ପୁଣେରେ ସମ୍ମାନିତ ହେବା ପରେ ଫେରିଲେ ମୁଖ୍ୟମନ୍ତ୍ରୀ ! ବିମାନବନ୍ଦରରୁ ନବୀନ ନିବାସ ଯାଏଁ ବିଶାଳ ଶୋଭାଯାତ୍ରା

104

କନକ ବ୍ୟୁରୋ: ପୁଣେରେ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନରେ ନବୀନ ପଟ୍ଟନାୟକ ସମ୍ମାନିତ ହେବା ପରେ ଫେରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ବିମାନବନ୍ଦରରେ ପହଚିଂବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ବିମାନବନ୍ଦରରୁ ନବୀନ ନିବାସ ଯାଏଁ ଏକ ବିଶାଳ ଶୋଭାଯାତ୍ରା କରାଯାଇଛି । ଶୋଭାଯାତ୍ରାରେ ହଜାର  ହଜାର କର୍ମୀ ସାମିଲ ହୋଇଛନ୍ତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗତକାଲି ପୁନେର ଏମଆଇଟି ୱାର୍ଲ୍ଡ ପିସ୍ ୟୁନିଭର୍ସିଟିରେ ଅଷ୍ଟମ ଭାରତୀୟ ଛାତ୍ର ସଂସଦରେ ନବୀନ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ, ନବୀନଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବରେ ପୁରସ୍କାର ପ୍ରଦାନ କରିଥିଲେ । ନବୀନ ଏହି ପୁରସ୍କାର ସାଢ଼େ ୪ କୋଟି ଓଡ଼ିଆଙ୍କୁ ସମର୍ପିତ କରୁଛନ୍ତି ବୋଲି କହି ଅଭିଭାଷଣ ଆରମ୍ଭ କରିଥିଲେ ଏବଂ କହିଥିଲେ- ଲୋକଙ୍କୁ ଭଲ ପାଇଲେ ସରକାର ବିରୋଧୀ ହାୱା ରହିନଥାଏ ।

ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ଆଦର୍ଶ ପୁରସ୍କାର ପାଇବା ପ୍ରସଙ୍ଗରେ କଡା ପ୍ରତିକ୍ରିୟା ରଖିଛି ବିଜେପି । ଏହି ପୁରସ୍କାରକୁ ମହାକାଳ ଫଳ ସହିତ ତୁଳନା କରିଛନ୍ତି ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ । ବିଜେପିର ଉତ୍ଥାନରେ ହତାଶ ହୋଇପଡିଛନ୍ତି  ବିଜେଡି କର୍ମୀ । ତେଣୁ ପୁରସ୍କାର ଆଣି ବିଜେଡି କର୍ମୀଙ୍କୁ ଉତ୍ସାହିତ କରନ୍ତୁ ମୁଖ୍ୟମନ୍ତ୍ରୀ । କିନ୍ତୁ ଓଡିଶାର ସ୍ୱାଭିିମାନ ସହିତ ଖେଳିବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି । ସରକାର ଶିଳ୍ପ, ଯୁବକଙ୍କୁ ଚାକିରୀ , ଜଳସେଚନ, କୃଷି, ଶିକ୍ଷା, ସ୍ୱାସ୍ଥ୍୍ୟ ଭଳି ସବୁ କ୍ଷେତ୍ରରେ ବିଫଳ ବୋଲି ବିଜେପି କହିଛି । ନବୀନ ସରକାର ଓଡିଶା ଲୋକଙ୍କୁ ବହୁତ ଠକିିଲେଣି,  ଲୋକେ ବର୍ଜନ କଲା ବେଳେ ସେମାନେ ଭାବମୂର୍ତ୍ତୀ ବଢାଇବାକୁ ଚେଷ୍ଟା କରୁଛନ୍ତି ବୋଲି ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।

ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆଉ ବିଜ୍ଞାପନ ଦିଅନ୍ତୁ ନାହିଁ । କାରଣ ସେଥିରେ ଗରିବ ଲୋକଙ୍କ ଟିକସ ଟଙ୍କା ଲାଗିଛି । ମୁଖ୍ୟମନ୍ତ୍ରୀ  ସସମ୍ମାନେ ଅବସର ନେଲେ ଓଡିଶାବାସୀ ମନେ ରଖିବେ ବୋଲି ସେ କହିଛନ୍ତି । ଏହାର କଡା ଜବାବ ଦେଇଛି ବିଜେଡି । ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀ କହିଛନ୍ତି, ଆଗକୁ ନିର୍ବାଚନର ଫଳାଫଳ କଣ ହେବ ତାହା ଜମାପଡିଗଲାଣି, ତେଣୁ ବିଜେପି ଏଭଳି ମନ୍ତବ୍ୟ ଦେଉଛି । ପୁରସ୍କାର ଓଡିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ ଏବଂ ଏହାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ବିରୋଧୀଙ୍କ ସମାଲୋଚନା ହିଁ ସୂଚାଉଛି ଯେ ରାଜ୍ୟବାସୀଙ୍କ ପ୍ରତି ସେମାନଙ୍କ ଆନ୍ତରିକତା କେତେ ବୋଲି କହିଛନ୍ତି ଅମର ।