କାହିଁକି ବୁଡିଲା ଡଙ୍ଗା ? ବୃଦ୍ଧ କହିଲେ, ଡଙ୍ଗାବୁଡି ପଛର ପୂରା କାହାଣୀ ।

ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

2,432

କନକ ବ୍ୟୁରୋ : କେନ୍ଦ୍ରାପଡା ମହାକାଳପଡା ନିପାଣିଆରେ ଡଙ୍ଗା ବୁଡି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ଏହାଛଡା ଅଗ୍ନିଶମ ବିଭାଗ ଓ ଏସଆରସିକୁ ମଧ୍ୟ ଉଦ୍ଧାରକାର୍ଯ୍ୟରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ଉଦ୍ଧାର ହୋଇଥିବା ସମସ୍ତ ପ୍ରଭାବିତଙ୍କ ସୁରକ୍ଷା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଡଙ୍ଗା ବୁଡି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାଛଡା ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଧର୍ମେନ୍ଦ୍ର ।

ସୂଚନା ଅନୁଯାୟୀ, ଆଜି ପାରାଦୀପର କୁଜଙ୍ଗ ଅଂଚଳର ପ୍ରାୟ ୪୫ ଜଣ ଯାତ୍ରୀ ଏକ ଦେଶୀ ଡଙ୍ଗାରେ ଆଜି ସକାଳୁ ପିକନିକ୍ ପାଇଁ ହୁକିଟୋଲା ବତୀଘରକୁ ଯାଇଥିଲେ । ସେଠାରେ ପିକନିକ୍ ସାରି ସନ୍ଧ୍ୟାରେ ଫେରିବା ବାଟରେ ମହାକାଳପଡାର ନିପାଣିଆ ଠାରେ ଭାରସାମ୍ୟ ହରାଇ ନଦୀ ମଝିରେ ହିଁ ଓଲଟିପଡିଥିଲା । ଡଙ୍ଗାରେ ପ୍ରାୟ ୪୦ରୁ ଉଦ୍ଧ୍ୱର୍ ଜଣ ଯାତ୍ରୀ ଥିଲେ । ଡଙ୍ଗା ବୁଡିବା ଘଟଣା ପ୍ରଚାର ହେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ସ୍ଥାନୀୟ ଲୋକ । ତେବେ ଉଦ୍ଧାର ସମୟରେ ଜଣଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟ ୬ ଜଣ ନିଖୋଜ ଥିବା ଜଣାପଡିଛି ।
ତେବେ ଡଙ୍ଗାବୁଡି ପଛର ପୂରା କାହାଣୀ କହିଛନ୍ତି ସ୍ଥାନୀୟ ବାସିନ୍ଦା । ହୁକିଟୋଲାକୁ ପିକନିକ କରିବାକୁ ଆସିଥିବା ଏହି ପର୍ଯ୍ୟଟକ ମାନେ ଛୋଟ ଦେଶୀ ଡଙ୍ଗା ନେଇ ଯିବାରୁ ଏଭଳି ଦୁର୍ଘଟଣା ହୋଇଛି ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ବୃଦ୍ଧ । ତାଙ୍କ କହିବା ଅନୁଯାୟୀ, ପାରାଦୀପର କୁଜଙ୍ଗ ଅଞ୍ଚଳରୁ ପିକନିକ କରିବାକୁ ଏମାନେ ଆସିଥିଲେ । ତେବେ ହୁକିଟୋଲାକୁ ଯିବା ପାଇଁ ଯେଉଁ ଦେଶୀ ଡଙ୍ଗା ଏମାନେ ଠିକ୍ କରିଥିଲେ ତାହା ବେଶ ଛୋଟ ଥିଲା । ତାଙ୍କୁ ବଡ ଡଙ୍ଗା ଠିକ୍ କରିବାକୁ କହିବା ପରେ ମଧ୍ୟ ଏମାନେ ରାଜି ହୋଇନଥିଲେ । ଏବଂ ଏହି ଛୋଟ ଦେଶୀ ଡଙ୍ଗାରେ ବଣଭୋଜି କରିବାକୁ ହୁକିଟୋଲା ଯାଇଥିଲେ । କ୍ଷମତା ଠାରୁ ଅଧିକ ଯାତ୍ରୀ ଡଙ୍ଗାରେଯାଇଥିଲେ । ତେବେ ଫେରିବା ବେଳେ କୂଳରେ ଲାଗିବାକୁ ଆଉ ଅଳ୍ପ କେଇ ମିନିଟ୍ ବାକି ଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା ।

ରାତି ଅନ୍ଧାରରେ ଡଙ୍ଗାଟି ବୁଡି ଥିବାରୁ ଉଦ୍ଧାରକାର୍ଯ୍ୟରେ ମଧ୍ୟ ଅସୁବିଧା ଦେଖା ଦେଇଛି । ତେବେ ଉଦ୍ଧାରକାର୍ଯ୍ୟରେ ୩ଟି ଅଗ୍ନିଶମ ବାହିନୀ ଟିମକୁ ନିୟୋଜିତ କରାଯାଇଛି । ଅଗ୍ନିଶମ ବିଭାଗର ୨୧ ଜଣ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘଟଣାସ୍ଥଳରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବିଧାୟକ ଉପସ୍ଥିତ ରହିଛନ୍ତି ।