#ଡାହା ମିଛ । ବୈଜୟନ୍ତଙ୍କ ‘ପି’ ଥିଓରୀ । ‘ପି’ରେ ପାଣ୍ଡିଆନ, ପଟ୍ଟନାୟକ, ପଣ୍ଡା ନା ‘ପି’ରେ ପ୍ରେମ, ପ୍ରତାରଣା ଆଉ ପଲିଟିକ୍ସ ।

198

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।)

ରାଜନେତାଙ୍କ ଭିତରେ ଏବେ ଖୁବ ଚର୍ଚ୍ଚାରେ ବୈଜୟନ୍ତ ପଣ୍ଡା । ସକାଳୁ ସଂଜ ଯାଏଁ ସବୁଆଡେ ପଣ୍ଡା ଆଜ୍ଞାକୁ ନେଇ ଖବର । କେତେବେଳେ ଭଲ, ପୁଣି କେତେବେଳେ ଖରାପ । ମୁଣ୍ଡ ପୁରା ଗୋଳମାଳ । ବେଳା ଖରାପ ପଡିଲେ, ଏଇ ଅବସ୍ଥା । ସବୁକିଛି ଠିକ ଚାଲିଥିଲା । କି ବିଜେପି ମାୟା ବାୟା କଲା ଯେ, ଜୟ ବାବୁ ଆମର ପୁରା ବିବାଦୀୟ ହୋଇଗଲେ । ପୁରୁଣା କଥାର ପୁନରାବୃତ୍ତି ଆଉ କରିବାନି । କାହିଁକି ନା ବେଶୀ ଚର୍ଚ୍ଚା କଲେ ବିପଦ । ବଡ ବଡ ସଂସ୍ଥାର ମାଲିକ । ଆମେ ହେଲୁ ଛୋଟକାଟିଆ ସାମ୍ବାଦିକ । କେତେବେଳେ କଣ ଦରକାର ପଡିଲେ, ପଣ୍ଡା ବାବୁ ପୁଣି ସାହା ହେବେନା । ନହେଲେ କଥା ସରିଲା, ପିଲା ଛୁଆ ସଂସାର ମୋର ଭାସିଯିବ । ଏତେ ବଡ ସାମ୍ରାଜ୍ୟର ମାଲିକ, କେଉଁଠି ଗୋଟେ ଚପରାସୀ ନହେଲେ କରିଦେବେ ।

ଚପରାସୀ କଥାରୁ ମନେପଡିଲା, ଆଜିକାଲି ନେତାଙ୍କ ବାବଦରେ ଅଧିକ ଖବର ଏମାନଙ୍କ ପାଖେ ଥାଏ । ସେଥିପାଇଁ ଏହି ପୋଷ୍ଟରେ ଜଗି ରଖି ବିଶ୍ୱସ୍ତ ଲୋକଙ୍କୁ ନିଆଯାଏ । କିଏ ଆସିଲା, କିଏ ଗଲା, କିଏ କଣ କହିଲା, କଣ ମନ୍ତ୍ରଣା କଲା ସବୁ କଥାର ସାକ୍ଷୀ ଥାନ୍ତି ଏମାନେ । ସବୁ ଜାଣିଥାନ୍ତି, କିନ୍ତୁ କିଛି କଥା ଉଗାଳନ୍ତିନି । ମାଲିକଙ୍କର ଖୁବ ବିଶ୍ୱସ୍ତ । ପାଟି ବିଲକୁଲ ଖୋଲିବେନି । ହେଲେ ଆମେ ତ’ ଆହୁରି ଚାଲାକ । କୋଉ ଛାଡିବା ଲୋକ । ସକାଳୁ ସଂଜ ଯାଏଁ ନଜର ଥାଏ ଏହି ଲୋକ ମାନଙ୍କ ଉପରେ । ନବୀନ ନିବାସ ଭିତର ଖବର ଠାରୁ ଆରମ୍ଭ କରି ପ୍ଲଟ – ୮ (ବୈଜୟନ୍ତଙ୍କ ବାସଭବନ)ର ଖବର ଜାଣିବାକୁ ଏମାନଙ୍କୁ ନିଇତି ଜୁହାର ହେବାକୁ ପଡେ ।


ଗଲା ଶନିବାର କଥା । କୋଉ ଗୋଟେ ହଲିଉଡ ଫିଲ୍ମର ହିନ୍ଦୀ ଅନୁବାଦ ଚଳଚିତ୍ର କେଶରୀ ଟକିଜରେ ଲାଗିଥାଏ । ବୈଜୟନ୍ତ ବାବୁଙ୍କ କାର୍ଯ୍ୟାଳୟର ଦୁଇ କର୍ମଚାରୀ ଫିଲ୍ମ ଦେଖିବାକୁ ଯିବେ ବୋଲି ଖବର ଆସିଗଲା ହ୍ୱାଟସଆପରେ । ଆଉ କୋଉ ତର ସହିବ ମତେ? ସାଙ୍ଗେ ସାଙ୍ଗେ ସେମାନଙ୍କ ପାଖ ସିଟ କେମିତି ମିଳିବ, ସେଥିପାଇଁ ହଲ୍ ମ୍ୟାନେଜରଙ୍କୁ ଫୋନ୍ କରି ବହୁ ଅନୁରୋଧ କରିବାକୁ ପଡିଲା । ୫୦୦ ଟଙ୍କା ହାତଗୁଂଜା ଦେବା ପରେ ପାଖ ସିଟଟି ମିଳିଲା । ଆଉ ସୁଯୋଗ ମତେ ମିଳିଗଲା, ଆପଣଙ୍କ ନିକଟରେ ଆଉ ଏକ ଡାହାମିଛ ଖବର ପହଂଚାଇବାକୁ ।


ଆଖି ମୋର ଚଳଚିତ୍ର ଉପରେ ଥାଏ, ହେଲେ କାନ କିନ୍ତୁ ପାଖରେ ବସିଥିବା ଦୁଇ ଲୋକଙ୍କ ଉପରେ । କଣ ଟିକେ କଥା ହେଲେ ସାଙ୍ଗେ ସାଙ୍ଗେ ଆସି ଗାରେଇ ଦେବି ବୋଲି ମନରେ ଚିନ୍ତା କରୁଥାଏ । ଦୁର୍ଭାଗ୍ୟ କି କଣ, କେହି ବି ଭିତିରିଆ କଥା ହେଉନଥିଲେ । ଭାବିଲି, ଦିନଟା ପୁରା ବ୍ୟର୍ଥ ଗଲା । ୭୦୦ ଟଙ୍କା ଖର୍ଚ୍ଚ କରିବାର କିଛି ଲାଭ ମିଳିବନି । ଭାଗ୍ୟକୁ ଆଦରି ଥଣ୍ଡା ପବନ ଖାଇ ପରଦା ଉପରକୁ ଚାହିଁ ବସିଲି । କାନ କିନ୍ତୁ ମୋର ହଟୁନଥାଏ । ଫିଲ୍ମ ଭଲ ହୋଇଥିଲେ ବି ମନ ଭିତରେ କିନ୍ତୁ ଚାଲିଥାଏ ବୈଜୟନ୍ତଙ୍କ ସିନ୍ । ଏହାରି ଭିତରେ ଇଂଟରଭାଲ ହୋଇଗଲା । ହଲର ଲାଇଟ ଏହାରି ଭିତରେ ଜଳିଗଲା । କାଳେ ମତେ ଚିହ୍ନିଦେବେ, ସାଙ୍ଗେ ସାଙ୍ଗେ ମୁହଁରେ ରୁମାଲ ପକାଇ ସିଟରେ ଆଉଜି ଶୋଇପଡିବାର ଅଭିନୟ କଲି ।


ଇଂଟରଭାଲ ପରେ ଆରମ୍ଭ ହେଲା ଅସଲ ସମୟ । ଯାହାହେଉ, ଭାଗ୍ୟଦେବୀ ଟିକେ ପ୍ରସନ୍ନ ହେଲେ । କଥା ଆରମ୍ଭ ହେଲା ପାଣ୍ଡିଆନଙ୍କୁ ନେଇ । ସେମାନଙ୍କ କହିବା ଅନୁସାରେ, ପାଣ୍ଡିଆନ ଆଉ ଆମ ବାବୁଙ୍କୁ ରଖେଇ ଦେବେନି । ଯାହା ଅବସ୍ଥା କଲେଣି । ରାଜନୀତି, ଅର୍ଥନୀତି ଚାରିଆଡୁ ବିପଦ ଆସୁଛି । କଣ ବା ଆଉ କରିବେ । ବିଜେପି ଆଡେ ଆଉଜିବା ବେଳକୁ ବିଜେଡି ବାଲା ସହିପାରୁନାହାନ୍ତି । ହଇଓ ତମ ପାଖକୁ ତ ଏତେ ନେତା ଆସିଲେଣି । ଗଣମାଧ୍ୟମର ବଡ ଲୋକ ସୈାମ୍ୟ ପଟ୍ଟନାୟକ, ଆଦିବାସୀଙ୍କ ତ୍ରାଣକର୍ତ୍ତା ବୋଲାଉଥିବା ଅଚ୍ୟୁତ ସାମନ୍ତ ଆସିଲେଣି, ତମେ କାଇଁ ଆମ ବାବୁଙ୍କ ପଛରେ ପଡିଛ କେଜାଣି । ସେଇ ପଣ୍ଡିଆନ ସବୁ କଥାର ମୁଳ କାରଣ । ଆମ ବାବୁ ସକାଳୁ ସଂଜ ଯାଏଁ ଭଲ କାମ କରି ଯାହା ଟିକେ ନାଁ କମାଉଛନ୍ତି, ସଂଜ ବେଳକୁ କିଏ ଗୋଟେ ବାଇଟ ଦେଇ ସବୁ କିଛି ବେଙ୍ଗା କରିଦେଉଛି । ଏମାନଙ୍କୁ କଣ ଧର୍ମ ସହିବ?


କଥା ଏତିକିରେ ସରୁନି । ଏଇଟି ଆସିଲା ଟର୍ଣ୍ଣିଂ ପଏଂଟ । ବୈଜୟନ୍ତଙ୍କ କାର୍ଯ୍ୟାଳୟର କର୍ମଚାରୀ ଫୁସଫାସ ହୋଇ କହିଲେ, ଆମ ବାବୁ କଣ ସବୁ କଥାରେ ‘ପି’ ନାଁ ନେବାଟା ଠିକ ହେଉଛି କି? ‘ପି’ ନାଁରେ ହଜାର ହଜାର ଲୋକ ଅଛନ୍ତି । ସେହିଭଳି ତୃତୀୟ ମହଲାରେ ବି ‘ପି’ ନାମ୍ନୀ ବହୁ ଲୋକ ଅଛନ୍ତି । ‘ପି’ରେ ପଣ୍ଡା, ‘ପି’ରେ ପାଣ୍ଡିଆନ, ‘ପି’ରେ ପଟ୍ଟନାୟକ, ‘ପି’ରେ ପ୍ରଦୀପ୍ତ ଏମିତି ଅନେକ । ଅସଲ ଟାର୍ଗେଟ ଆମ ଜୟ ବାବୁ କାହାକୁ କରୁଛନ୍ତି, କିଛି ବୁଝାପଡୁନି । ଯଦି ଲଢିବେ, ସିଧାସଳଖ ଲଢନ୍ତୁ । ସାମ୍ନାସାମ୍ନି ଯୁଦ୍ଧ କରନ୍ତୁ । ଜଣାପଡିବ କାହା ପଟେ କଣ ଗୁଳିଗୋଳା ଅଛି, କିଏ ବାଜି ମାରୁଛି । ହେଲେ ଏହି ଛକାପଂଝାରୁ କିଛି ଫାଇଦା ମିଳୁନି । ରାମ୍ପୁଡି ଦେଇ ଯିବାର ଅର୍ଥ କଣ, ସିଧା ପଂଝା ମାର ଆଉ ରକ୍ତାକ୍ତ କର । ଏହି ସମୟ ବେଳକୁ ବୈଜୟନ୍ତଙ୍କ ଲୋକଙ୍କ ପାରା ଟିକିଏ ବଢିଯାଇଥାଏ ।


କିଛି ସମୟ ପାଇଁ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ‘ପି’ କହି କାହାକୁ ଟାର୍ଗେଟ କରୁଛନ୍ତି ବୈଜୟନ୍ତ । ସକାଳୁ ସନ୍ଧ୍ୟା ଏହି ଲେଟରକୁ ଘୋଷୁଛନ୍ତି । ଲାଗୁଛି, କିଛି ମନ୍ତ୍ର ଜପୁଛନ୍ତି । ମାତ୍ର କର୍ମଚାରୀଙ୍କ କଥା ଶୁଣି ଲାଗିଲା କି ଚାଲାକ ଏମାନେ । ସାମ୍ବାଦିକ ଥାଇ ମଧ୍ୟ ଆମ ମୁଣ୍ଡକୁ ଏତିକି ଜୁଟୁନଥିଲା । ଓଡିଶାର ଲୋକ ଭି ଏମିତି ଦ୍ୱନ୍ଦ୍ୱକୁ ଆସୁଥିବେ ତ? ପ୍ରଶ୍ନ ମନକୁ ଆସିଲା । ସବୁ ଟିଭିରେ ତ ‘ପି’ ମାନେ ପ୍ରେମ, ‘ପି’ ମାନେ ପ୍ରତାରଣା ଆଉ ‘ପି’ ମାନେ ପଲିଟିକ୍ସ । ଯେତେବେଳେ ଟିଭି ଖୋଲ ଏଥିରୁ ଗୋଟେ ନିହାତି ଖବର ପାଇବ । ଛାଡ, ବେଶୀ ଲେଖିଲେ ପୁଣି ଚାକିରୀକୁ ଅଡୁଆ । ଲାଗିଲା ବୈଜୟନ୍ତ ବାବୁ ଆଗରୁ ‘ପି’ ମାନେ ପ୍ରେମରେ ଥିଲେ ଅର୍ଥାତ୍ ବିଜେଡି ସହ ଥିଲା ନିବିଡ ସଂପର୍କ । ତାପରେ ଆସିଲା ‘ପି’, ଅର୍ଥାତ୍ ବିଜେଡି ସହ ପ୍ରତାରଣା । ଆଉ ଏବେ ଅସଲ ‘ପି’ ଅର୍ଥାତ୍ ପଲିଟିକ୍ସ । ଆଗକୁ ବଢିବାର ରାଜନୀତି । ତେଣୁ ବୈଜୟନ୍ତଙ୍କ ‘ପି’ ପଂଚାକ୍ଷରୀର ଅସଲ ଅର୍ଥ କଣ ଏବେ ତାକୁ ନେଇ ଚାରିଆଡେ ଚର୍ଚ୍ଚା ।


ଫିଲ୍ମ ସରି ସରି ଆସୁଥାଏ, ମତେ କିନ୍ତୁ ମସଲା ମିଳି ଯାଇଥାଏ । ହେଲେ ଡର ବି ଲାଗୁଥିଲା, କାହିଁକି ନା ଘରେ କହିକି ଆସିଥିଲି ଫିଲ୍ମ ଦେଖିବାକୁ ଯାଉଛି । ଆଉ ଘରକୁ ଫେରୁ ଫେରୁ ସମସ୍ତେ ପଚାରିବେ ଫିଲ୍ମ କେମିତି ଲାଗିଲା? ଶେଷରେ କଣ ହେଲା? ପ୍ରଶ୍ନର କଣ ଉତ୍ତର ଦେବି, ମତେ ଡର ଘାରିଲା । ରାଜନୀତି ଚକ୍କରରେ ଜୀବନ ନୀତି ବିପଦରେ ପଡିବନି ତ? ଏହି ଚିନ୍ତାରେ କିଛି ସମୟ ପଳାଇଲା । ପୁଣି ବାଧ୍ୟ ହୋଇ ପର ଶୋ’ର ଆଉ ଏକ ଟିକେଟ କଲି, ଆରମ୍ଭରୁ ଶେଷ ଯାଏଁ ଫିଲ୍ମ ଦେଖିଲି । କି ଚମକ୍ରାର ଫିଲ୍ମ ଆଉ ତା ସହ କି ଚମକ୍ରାର ‘ପି’ ଥିଓରୀ । ଲଢେଇ ଚାଲୁ, ‘ପି’କୁ ନେଇ ଚର୍ଚ୍ଚା ହେଉ, ଆମ ଡାହାମିଛ ସେଗମେଂଟ ଆଗକୁ ବଢୁଥାଉ ।

ବି. ଦ୍ର : ଉପରୋକ୍ତ ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ୨୦୧୯ ନିର୍ବାଚନ ପୂର୍ବରୁ ରାଜନୀତି ଜୋର ହେଉଥିବାରୁ ଆପଣଙ୍କୁ ଭିନ୍ନ ଢଙ୍ଗରେ କିଛି ସମୟ ଖୁସି କରିବାକୁ ଏହି ଲେଖା ଉଦ୍ଦିଷ୍ଟ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ । ପଢନ୍ତୁ ଆଉ ମଜା ନିଅନ୍ତୁ ।

ବି. ଦ୍ର : ଆପଣ ମଧ୍ୟ ଏଭଳି ଚିନ୍ତାଧାରାରେ ଲେଖା ଆମ ପାଖକୁ ପଠାଇବାକୁ ଚାହାନ୍ତି ତେବେ ହ୍ୱାଟସଆପ ନମ୍ବରକୁ ପଠାଇପାରିବେ । ଆମ ନମ୍ବର – ୯୧୭୮୪୬୭୦୦୫