#ଡାହାମିଛ । ଲିକ୍ ହେଲା ଶ୍ରୀକାନ୍ତ-ଶଗରିଆଙ୍କ ଅଡିଓ ଟେପ୍ ! ବହୁତ କଥା ଥିଲା, କିଛି ବୁଝି ହେଲା, କିଛି ଅବୁଝା ରହିଲା ।

କଂଗ୍ରେସ ରାଜନୀତିରେ ଫୁଲ ଯେତିକି କଂଟା ତାଠାରୁ ଢେର ଅଧିକ । ଏପରିକି ପିସିସି ସଭାପତି ପଦରେ ଯିଏ ବସିଲା ସଙ୍ଗେ ସଙ୍ଗେ ତାଙ୍କ ବିରୋଧରେ ଦିଲ୍ଲୀ ଚଲୋ ଆଉ ପଦରୁ ହଟାଇବାକୁ ଅଭିଯାନ ଆରମ୍ଭ ହୋଇଯିବ । ଆଉ ସମାନ ସ୍ଥିତି ଏବେ ନିରଂଜନ ପଟ୍ଟନାୟକ ସାମ୍ନା କରୁଛନ୍ତି ।

1,592

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।)

କନକ ବ୍ୟୁରୋ : #ଡାହାମିଛ ହ୍ୱାଟସଆପରେ ଆଜି କାଲି ଯାହା ସବୁ ମେସେଜ ଆସୁଛି, ସେଥିରେ ସତ କଣ ଆଉ ମିଛ କଣ, ବୁଝିବା ଭାରି କଷ୍ଟକର । ଏମିତିରେ ବି ସବୁ ମେସେଜ ପଢିବା, ଫଟୋ ଆଉ ଭିଡିଓ ଡାଉନଲୋଡ କରି ପଢିବା ସପକ୍ଷରେ ନଥାଏ । ଅଯଥାରେ ମୁଣ୍ଡ ଗୋଳମାଳିଆ କରିବା ପାଇଁ ଉଦ୍ଦିଷ୍ଟ ବହୁ ବାର୍ତ୍ତାକୁ ନଜର ଅନ୍ଦାଜ କରିବା ଆବଶ୍ୟକ । ହେଲେ ସେଦିନ କଣ ହେଲା କେଜାଣି ଜଣେ ବନ୍ଧୁଙ୍କ ଠାରୁ ଆସିଥିବା ଗୋଟିଏ ଅଡିଓ କ୍ଲିପ ଆଉ ତାତଳେ ଲେଖାହୋଇଥିବା ଦୁଇଟି ବାର୍ତ୍ତା ମନକୁ ପାଇଗଲା । ଆଉ ଇଛା ହେଲା ତାକୁ ଡାଉନଲୋଡ କରି ଶୁଣିବା ପାଇଁ । ବାର୍ତ୍ତାରେ ଲେଖାଥିଲା, ଅଡିଓ ଏକ୍ସକ୍ଲୁସିଭ । କଂଗ୍ରେସ ରାଜନୀତିର ଗୁମର କଥା ।

ଡାଉନଲୋଡ କରି ଶୁଣିବା ପରେ ମନ ପୁରା ଘାବରେଇଗଲା । କଂଗ୍ରେସ ରାଜନୀତିର ଦୁଇ ତୁଙ୍ଗ ନେତାଙ୍କ ମଧ୍ୟରେ ବାର୍ତ୍ତାଳାପର ଅଡିଓ ଟେପ୍ ଲିକ୍ ହୋଇଥିବାର ବୁଝିବାକୁ ଆଉ ଅବକାଶ ନଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ନିକଟରେ ବିଧାୟକ ପଦରୁ ଇସ୍ତଫା ଦେଇଥିବା କୃଷ୍ଣ ଶଗରିଆଙ୍କ ଭିତରେ ହୋଇଥିବା କଥାବାର୍ତ୍ତାର ପୁରା ଶୁଣିବା ପରେ ଲାଗିଲା, ସ୍ଥିତି ବଡ ସଂଗୀନ କଂଗ୍ରେସ ରାଜନୀତିର ।

congressଉଭୟଙ୍କ କଥାବାର୍ତ୍ତାର ସାରାଂଶ ଥିଲା, ପାଣି ଯେତେ ଗୋଳିଆ ହେବ, ଫାଇଦା ସେତେ ଅଧିକ ମିଳିବ । ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କର କହିବା ଅନୁସାରେ, ଦଳ ସେତେବେଳେ କ୍ଷମତାକୁ ଆସିବ ଯେତେବେଳେ ଜଣେ ପଛୁଆ ବର୍ଗର ନେତା ମୁଖ୍ୟମନ୍ତ୍ରୀ ଆସନରେ ବସିବ । ନିରଂଜନଙ୍କୁ ଅସ୍ଥିର କରିବା ପାଇଁ ତିଆରି ହୋଇଥିବା ବ୍ଲୁ-ପ୍ରିଂଟର ସମସ୍ତ ତଥ୍ୟ ମଧ୍ୟ ଏହି ଅଡିଓ କ୍ଲିପର ଅଂଶ ବିଶେଷ ଥିଲା ।

ଅଡିଓ କ୍ଲିପରେ ଶ୍ରୀକାନ୍ତ ଜେନାଙ୍କ କହିବା ଅନୁସାରେ, ଦିଲ୍ଲୀ ରାଜନୀତିରେ ତାଙ୍କ ଖାଦି ଢେର ଅଧିକ । ଏପରିକି ନିକଟରେ ସଭାପତି ଦାୟିତ୍ୱ ପାଇଥିବା ନିରଂଜନଙ୍କୁ ଦିଲ୍ଲୀରେ ବଦନାମ କରିବା ପାଇଁ ଶଗରିଆଙ୍କୁ ଇସ୍ତଫା ଦେବାକୁ ମଧ୍ୟ ଅଡିଓ କ୍ଲିପରେ ସେ କହିଥିବା ଶୁଣାଯାଉଛି ।

congressକଂଗ୍ରେସ ରାଜନୀତିରେ ଫୁଲ ଯେତିକି କଂଟା ତାଠାରୁ ଢେର ଅଧିକ । ଏପରିକି ପିସିସି ସଭାପତି ପଦରେ ଯିଏ ବସିଲା ସଙ୍ଗେ ସଙ୍ଗେ ତାଙ୍କ ବିରୋଧରେ ଦିଲ୍ଲୀ ଚଲୋ ଆଉ ପଦରୁ ହଟାଇବାକୁ ଅଭିଯାନ ଆରମ୍ଭ ହୋଇଯିବ । ଆଉ ସମାନ ସ୍ଥିତି ଏବେ ନିରଂଜନ ପଟ୍ଟନାୟକ ସାମ୍ନା କରୁଛନ୍ତି । ଶ୍ରୀକାନ୍ତଙ୍କୁ ଦଳରୁ ବାହାର କରାଯିବାକୁ ଗୋଟିଏ ଗୋଷ୍ଠୀ ଦାବି କରୁଛନ୍ତି, ହେଲେ ଦିଲ୍ଲୀ କିନ୍ତୁ ନୀରବ ଅଛି ।

ସେ ଯାହା ହେଉ, ଲିକ୍ ଅଡିଓ ଟେପ ଶୁଣିଦେଇ ଶୀତୁଆ ସକାଳର କୋହଲା ପାଗ ଭିତରେ ମୁଣ୍ଡରୁ ଝାଳ ବୋହିଗଲା । କେଡେବଡ ଖବରଟାଏ ମଣିଷ ପାଇଲା ବୋଲି ଭାବି ଏକ୍ସକ୍ଲୁସିଭ ଷ୍ଟୋରୀ କରିବାକୁ ମନେ ମନେ ପ୍ରସ୍ତୁତ ହୋଇଗଲି । ଏତିକିବେଳେ କିନ୍ତୁ ହ୍ୱାଟସଆପର ନୂଆ ଫିଚରକୁ ବ୍ୟବହାର କରି ସାଙ୍ଗଟା ମେସେଜକୁ ଡିଲିଟ କରିଦେଲା । ମନଟା ସାଙ୍ଗେ ସାଙ୍ଗେ ଆମ୍ବିଳା ହୋଇଗଲା । ଯେତେ ଅନୁରୋଧ କଲେ ବି ଅଡିଓକୁ ଆଉ ଦେଲାନାହିଁ । ମନେ ମନେ ସାଙ୍ଗକୁ ଗାଳିକରି ତୁନି ହୋଇ ବସିପଡି, ସକାଳର ଗରମ ଚା କପକୁ ଉପଭୋଗ କଲି ।

ବି. ଦ୍ର : ଉପରୋକ୍ତ ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ ।  ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ । ପଢନ୍ତୁ ଆଉ ମଜା ନିଅନ୍ତୁ ।

ବି. ଦ୍ର : ଆପଣ ମଧ୍ୟ ଏଭଳି ଚିନ୍ତାଧାରାରେ ଲେଖା ଆମ ପାଖକୁ ପଠାଇବାକୁ ଚାହାନ୍ତି ତେବେ ଆମ ହ୍ୱାଟସଆପ ନମ୍ବରକୁ ପଠାଇପାରିବେ । ଆମ ନମ୍ବର – ୯୧୭୮୪୬୭୦୦୫