#ଡ଼ାହା ମିଛ । ଏବେ ପୋଷ୍ଟର ମାଳ ମାଳ, ଟ୍ରାଫିକ୍ ଦୁର୍ବଳ, ଠିକଣା ସ୍ଥାନକୁ ଯିବାପାଇଁ ବାଟ ଦେଖାଉଛନ୍ତି ନେତା ।

#ଡ଼ାହା ମିଛ । ଏବେ ଆପଣ ଯୁଆଡ଼େ ଯିବେ ରାଜରାସ୍ତା ହେଉ ଅଥବା ଗାଁର ଚା’ଦୋକାନ ସବୁଠି ପୋଷ୍ଟର, ପୋଷ୍ଟର ଆଉ କେବଳ ପୋଷ୍ଟର ।

1,563

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।)

କନକ ବ୍ୟୁରୋ: ବୁଧବାର ଆମିଷ ବାରି ଥିବାରୁ ତାଜା ମାଛ ଆଣିବା ପାଇଁ ନିଆଳି ଛକକୁ ସକାଳୁ ସକାଳୁ ବାହାରିଗଲି । ମୋ ସହିତ ମୋର କିଛି ବନ୍ଧୁ ମଧ୍ୟ ମାଛ ଆଣିବାକୁ ବାହାରିଲେ । ସାଙ୍ଗମାନଙ୍କ ସହିତ କଥା ହେଉ ହେଉ ନଖରା ଓଭରବ୍ରିଜ୍ ତଳ ରାସ୍ତାଦେଇ ପହଁଚିଲୁ. ହେଲେ କ’ଣ ହେଲା କେଜାଣି ସେଠାରୁ ନିଆଳିକୁ ଯିବାପାଇଁ ବାଟ ମିଳିଲାନି । ସାଙ୍ଗ ଜଣକ କହିଲେ କିରେ ବାଟ ବାଉଳା ହେଇଗଲୁ ନା କ’ଣ? ମୁଁ କହିଲି ନାଇଁରେ ଏଇଠି ତ ଗୋଟେ ହୋର୍ଡ଼ିଂରେ ଲେଖାଯାଇଥାଏ ନିଆଳି ଯିବାକୁ ରାସ୍ତା ଗଲା କୁଆଡ଼େ । ଚାରିଆଡ଼େ ଆଖି ବୁଲେଇଲା ବେଳକୁ ୱାହ କି ନଜାରା ଥିଲା । ଖାଲି ଶୁଭେଚ୍ଛା, ଅଭିନନ୍ଦନ ଆଉ ସ୍ୱାଗତମ୍ ଲେଖା ପୋଷ୍ଟର ରାସ୍ତାର ଉଭୟ ପାଶ୍ୱର୍ରେ ଯେମିତି ଗଛ ଲତା ଭଳି ମାଡ଼ଥିଲା । 

କିଛି ସମୟ ପରେ ବୁଝାପଡ଼ିଲା ଯେ, ଆମ ବାଟମାରଣାର ହେବାର କାରଣ ବିଭିନ୍ନ ଦଳୀୟ ନେତାଙ୍କ ଏହି ପୋଷ୍ଟର ସହିତ ଯୋଡ଼ିହୋଇଥିଲା । ତା’ପରେ ଟେକନୋଲିଜର ସଦୁପଯୋଗ କରି ଜିପିଏସ୍ ଦ୍ୱାରା ନିଆଳି ଆଡ଼କୁ ବାହାରିଲୁ । ଗାଡ଼ିରେ ପେଟ୍ରୋଲ ବି କମ୍ ଥାଏ ତେଣୁ ସାଙ୍ଗକୁ କହିଲି ତୁ ପେଟ୍ରୋଲ ପମ୍ପ ଦେଖିଲେ କହିବୁ । ହେଲେ ନଖରା ଛକ ଡେଇଁଲା ପରେ ବି ସମାନ ଅବସ୍ଥା ପେଟ୍ରୋଲ ପମ୍ପ ସିଗନାଲ୍, ସ୍ପିଡ୍ ବ୍ରେକର ସିଗନାଲ୍ ଆଉ ଶିକ୍ଷାନୁଷ୍ଠାନ ସିଗନାଲ୍ ଉପରେ ନୂଆ ବୋହୁପରି ସଜେଇ ହୋଇଥିଲା ବିଭିନ୍ନ ରାଜନୈତିକ ଦଳର ପ୍ରଚାର ପୋଷ୍ଟର । ସାଙ୍ଗମାନେ କହିଲେ ଆରେ କି ମାଛ ପାଇଁ ଆସିଲେ ଯେ, ମଣିଷ ନାକେଦମ୍ ହୋଇଗଲେଣି । ନିର୍ବାଚନ ନଆସୁଣୁ ଲୋକମାନଙ୍କୁ ମନେଇବା ପାଇଁ ଶାସକ ଓ ବିରୋଧୀଙ୍କ ପ୍ରଚାର ପୋଷ୍ଟର ଆଉ ହୋର୍ଡ଼ିଂ ରାସ୍ତାକୁ ଆବୁରି ବସିଛି । 

ସେ ଯାହା ହେଉ, ନିର୍ବାଚନକୁ ଆଉମାତ୍ର କେଇ ମାସ ବାକି ରହିଛି । ତେଣୁ ସ୍ୱାଭାବିକ କଥା ସହରୁ ଠାରୁ ଆରମ୍ଭ କରି ଗାଁ ଗହଳିର ପ୍ରବେଶ ଦୁଆରରେ ନୂଆ ବୋହୁକୁ ଯେମିତି ନଣଦ ବାଟ ଓଗାଳେ ସେହିଭଳି ଭଳି ବିଭିନ୍ନ ଦଳର ସ୍ଥାନୀୟ ନେତାଙ୍କର ପ୍ରଚାର ପୋଷ୍ଟର ମଧ୍ୟ ଆପଣଙ୍କ ବାଟ ଓଗାଳିବାଟା ଥୟ । ଏପରକି ଆପଣ ସକାଳେ ଥରେ ଘରୁ ବାହାରିଗଲେ ସନ୍ଧ୍ୟାକୁ ଆପଣଙ୍କ ଘରକୁ ବି ବାଟ ପାଇବେନି । କାରଣ ଏମାନଙ୍କ ପ୍ରଚାର ପୋଷ୍ଟର ହୋର୍ଡିଂ ଆଉ ଚିତ୍ର ସନ୍ଧ୍ୟା ସୁଦ୍ଧା ଆପଣଙ୍କ ଘର ପାଚେରୀକୁ ଛୁଇଁ କ୍ୟାଲେଣ୍ଡର ପର୍ଯ୍ୟନ୍ତ ପହଁଚିଯିବ । ଛାଡ଼ନ୍ତୁ ଆପେ ବଞ୍ଚିଲେ ବାପାର ନାଁ , ଏହି କଥା ମନେ ପକାଇ ଡେରିରେ ହେଉ ପଛେ ନିଆଳି ଛକରେ ପହଁଚିଲୁ ଆଉ ମାଛ ଆଣିଲୁ ।

ବି. ଦ୍ର : ଉପରୋକ୍ତ ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ଆଗାମୀ ନିର୍ବାଚନ ପାଇଁ ଆଉ ମାତ୍ର କେଇ ମାସ ବାକି ଥିବାବେଳେ ଏବେଠାରୁ ଛକ ଛକରେ ଯେମିତି ଦଳୀୟ ନେତାଙ୍କ ପୋଷ୍ଟର ଛାଉଣୀ ହେବାରେ ଲାଗିଛି ତାହା ଆପଣଙ୍କୁ ଭିନ୍ନ ଢଙ୍ଗରେ ବୁଝାଇଲୁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ । ପଢନ୍ତୁ ଆଉ ମଜା ନିଅନ୍ତୁ ।

ବି. ଦ୍ର : ଆପଣ ମଧ୍ୟ ଏଭଳି ଚିନ୍ତାଧାରାରେ ଲେଖା ଆମ ପାଖକୁ ପଠାଇବାକୁ ଚାହାନ୍ତି ତେବେ ଆମ ହ୍ୱାଟସଆପ ନମ୍ବରକୁ ପଠାଇପାରିବେ । ଆମ ନମ୍ବର – ୯୧୭୮୪୬୭୦୦୫