ନବୀନଙ୍କ ‘ଅନୁଭବ’ ବ୍ରହ୍ମାସ୍ତ୍ର!

ବୈଜୟନ୍ତଙ୍କୁ ଚେକମେଟ ଦେବାକୁ ବିଜେଡିର ନୂଆ ଅସ୍ତ୍ର ସାଜି ପାରନ୍ତି ଅନୁଭବ ?

1,093

କନକ ବ୍ୟୁରୋ : ରାଜ୍ୟସଭା ଆସନ ଛାଡିବେ, ଲୋକସଭା ଆସନରେ ଲଢିବେ । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିପାରନ୍ତି ଓଲିଉଡ ସୁପରଷ୍ଟାର ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି । ଏନେଇ ଏବେ ଜିଲ୍ଲା ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିକୁ ବାଏ ବାଏ କରିବା ସହ ସାଂସଦ ପଦରୁ ଇସ୍ତଫା ଦେବା ପରେ ଏବେ ଏହି ଆସନଟି ଖାଲି ପଡିଛି । ବୈଜୟନ୍ତ ଯିବା ପରେ ଏହି ଆସନରେ ଅନୁଭବଙ୍କୁ ଛିଡା କରିବାକୁ ବିଜେଡି ଯୋଜନା କରୁଥିବା ଲୋକେ କହୁଛନ୍ତି ।

ବୈଜୟନ୍ତ ବିଜେଡିରୁ ନିଲମ୍ବିତ ହେବା ପରେ କେନ୍ଦ୍ରାପଡାରୁ ବିଜେଡିର ଚେହେରା କିଏ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆଉ ସେହି ଚର୍ଚ୍ଚା ଭିତରେ ଏବେ ଅନୁଭବଙ୍କ ନାଁ ସାମ୍ନାକୁ ଆସୁଛି । ବୈଜୟନ୍ତ ବିଜେଡିକୁ ବାଏ ବାଏ କରିବା ପରେ ମଧ୍ୟ କେନ୍ଦ୍ରାପଡାରୁ ତାଙ୍କର ମୋହ ତୁଟି ନାହିଁ ବୋଲି ତାଙ୍କ ନିକଟତମ ଲୋକେ କହୁଛନ୍ତି । ଏଯାବତ୍ ବୈଜୟନ୍ତ କୌଣସି ଦଳକୁ ଯାଇନଥିଲେ ସୁଦ୍ଧା ପୁଣିଥରେ କେନ୍ଦ୍ରାପଡାରୁ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେଣୁ କେନ୍ଦ୍ରାପଡାରେ ବୈଜୟନ୍ତଙ୍କ ପତ୍ତା ସାଫ୍ କରିବାକୁ ଅନୁଭବ ନବୀନଙ୍କ ବ୍ରହ୍ମାସ୍ତ୍ର ଭାବେ ଉଭା ହୋଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି । ବୈଜୟନ୍ତଙ୍କୁ ଯେଉଁଭଳି ଭାବେ ରାଜ୍ୟସଭାରୁ ଅଣାଯାଇ କେନ୍ଦ୍ରାପଡା ଲୋକସଭା ଆସନରେ ଲଢାଯାଇଥିଲା ଠିକ୍ ସେହିଭଳି ଅନୁଭବଙ୍କୁ ମଧ୍ୟ ସମାନ ଢଙ୍ଗରେ ରାଜ୍ୟସଭାରୁ ଅଣାଯାଇ କେନ୍ଦ୍ରାପଡାରୁ ଲଢାଯିବ ବୋଲି ଜିଲ୍ଳା ବିଜେଡି କର୍ମୀ ମାନଙ୍କ ପାଖରୁ ଶୁଣିବାକୁ ମିଳୁଛି ।

ଅନୁଭବଙ୍କ ଭଳି ରାଜ୍ୟସ୍ତରୀୟ ଫିଗର କେନ୍ଦ୍ରାପଡା ଲୋକସଭା ଆସନରୁ ଲଢିଲେ ଦଳ ମଧ୍ୟ ବେଶ ଫାଇଦାରେ ରହିବ । ଅନୁଭବଙ୍କର ଲୋକପ୍ରିୟତା ଓ ଦଳୀୟ ସଙ୍ଗଠନ ବଳରେ ବିଜେଡି ଏଠାରେ କ୍ଲିନ ସୁଇପ କରିବାକୁ ଲକ୍ଷ୍ୟ ରଖିଛି ବୋଲି ଖବର ଶୁଣିବାକୁ ମିଳୁଛି । ଖାସକରି ଯୁବଗୋଷ୍ଠୀଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ମଧ୍ୟରେ ଅନୁଭବଙ୍କୁ ନେଇ ଜବରଦସ୍ତ କ୍ରେଜ ମଧ୍ୟ ରହିଛି । ତେଣୁ ଏହାକୁ ପାଥେୟ କରି ଦଳ ଏଠାରେ ଭଲ ଭୋଟ ହାତେଇବ ବୋଲି ଆଶା ରଖିଛି ।

ଏହି ଚର୍ଚ୍ଚା ଏଥିପାଇଁ ଉଠୁଛି କାରଣ ସାଂସଦ ଅନୁଭବ ମଧ୍ୟ ଏହା ମଧ୍ୟରେ କେତେଥର କେନ୍ଦ୍ରାପଡା ଗସ୍ତ କରିଥିବା ଶୁଣିବାକୁ ମିଳିଛି । ଏହାଛଡା କେନ୍ଦ୍ରାପଡା ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ଅନୁଭବଙ୍କ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଥିଲା । ତେଣୁ କେନ୍ଦ୍ରାପଡାରୁ ଅନୁଭବଙ୍କ ପ୍ରାର୍ଥୀ ହେବା ନେଇ ଏଭଳି କିଛି କଲ୍ପନା ଜଳ୍ପନା ଆରମ୍ଭ ହୋଇଛି । କିନ୍ତୁ ଯେତେବେଳ ଯାଏଁ ବିଜେଡି ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ ସେତେବେଳେ ଯାଏଁ ଏହା କେବଳ ଚର୍ଚ୍ଚା ମଧ୍ୟରେ ହିଁ ସୀମିତ ରହିବ ।