ଘର ଓଡ଼ିଶାରେ, କିନ୍ତୁ ଲୋକେ ଓଡ଼ିଆ ବୁଝନ୍ତିନି ! ସୀମାନ୍ତ ଗାଁ ଉପରେ ଆନ୍ଧ୍ରର ନଜର

33

କନକ ବ୍ୟୁରୋ : ଘର ଓଡ଼ିଶାରେ । କିନ୍ତୁ ଲୋକେ ଓଡ଼ିଆ ବୁଝନ୍ତିନି । କିଛି କାମ ପାଇଁ ବି ଓଡ଼ିଶା ଉପରେ ଆଶ୍ରା କରନ୍ତି ନାହିଁ । ସବୁ କାମ ପାଇଁ ଆନ୍ଧ୍ର ଭରସା । ଏମିତି ଏକ ଗାଁ ହେଉଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ତଳଗୋଲୁରୁ ପଞ୍ଚାୟତ ଅନ୍ତର୍ଗତ ବାଙ୍ଗାରିଗୁଡି । ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା ଏହି ଗାଁକୁ ଅକ୍ତିଆର କରିବାକୁ ଏବେ ଆନ୍ଧ୍ର ଯୋଜନା ଚଳାଇଛି । ସ୍କୁଲ, ଅଙ୍ଗନବାଡି କେନ୍ଦ୍ର କରି ଲୋକଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ ଆରମ୍ଭ କରିଛି ।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଥିଲା ବେଳେ ଆଉ କିଛି ସୀମାନ୍ତ ଗାଁକୁ ଅକ୍ତିଆର କରିବା ଆନ୍ଧ୍ର ଯୋଜନା କରୁଛି । ଓଡ଼ିଶାର ଉଦାସୀନତା ମଧ୍ୟ ଆନ୍ଧ୍ରକୁ ବେଶ ସୁହାଉଛି । ପଟାଙ୍ଗୀ ବ୍ଲକର ସୁଙ୍କି, ରାଲେଗଡା, ତଳଗୋଲୁରୁ ଆଦି ଅଂଚଳରେ ଏହି ସମସ୍ୟା ସାଂଘାତିିକ । ମାଓବାଦୀଙ୍କ ଭୟ ଆଳରେ ଓଡ଼ିଶା ଏହି ଅଂଚଳ ଗୁଡିକରେ ଉନ୍ନୟନ ମୂଳକ କାମ କରିବାରେ ବିଫଳ ହେଉଛି । ଓଡ଼ିଶା ଅଧିକାରୀମାନେ ଏହି ଗାଁ ଗୁଡିକୁ ଯାଉ ନ ଥିବାରୁ କବ୍‌ଜା କରିବାକୁ ବିଭିନ୍ନ ବାଟରେ ଉଦ୍ୟମ କରୁଛି । ତଳଗୋଲୁରୁ ପଞ୍ଚାୟତ ଅଧୀନରେ ଥିବା ବାଙ୍ଗାରିଗୁଡି ଗ୍ରାମ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାର ହୋଇଥିଲା ବେଳେ ଏହି ଗାଁରେ ଏବେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର କରିଛି ଆନ୍ଧ୍ର ସରକାର । ଆନ୍ଧ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସରକାରୀ ସହାୟତା ମଧ୍ୟ ଏହି ଗ୍ରାମବାସୀଙ୍କୁ ପ୍ରଦାନ କରାଯାଉଛି । କାଗଜପତ୍ରରେ ଓଡ଼ିଶାର ଗାଁ ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବ ଚିତ୍ର ପୂରା ଓଲଟା ।

ଏହି ଗାଁର ୯୦ପ୍ରତିଶତ ଲୋକ ଓଡ଼ିଶା ବୁଝି ପାରନ୍ତି ନାହିଁ କି କହି ପାରନ୍ତି ନାହିଁ । ନିୟମିତ ଜୀବନରେ ତେଲଗୁ ଭାଷା ହିଁ ବ୍ୟବହାର କରିଥାନ୍ତି । ଗାଁ ନିକଟରୁ ଆନ୍ଧ୍ରର ସାଲୁର ପାଖ ହେଉଥିବାରୁ ଲୋକମାନେ ସେହି ସହର ଉପରେ ନିର୍ଭର କରନ୍ତି । ଅପରପକ୍ଷରେ ତଳଗୋଲୁରୁ ପଞ୍ଚାୟତ ମହକୁମା ଠାରୁ ବାଙ୍ଗାରିଗୁଡିକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ । ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବା ପାଇଁ ଲୋକମାନେ ପାହାଡ ଚଢି ୧୦କିଲୋମିଟର ଚାଲି ଚାଲି ଆସିବାକୁ ପଡେ। ତେଣୁ ଗାଁକୁ ସରକାରୀ ବାବୁଙ୍କ ପାଦ ପଡେନି । ଏଥିରେ ଲୋକେ ବୀତସ୍ଫୃହ ହୋଇ ଆନ୍ଧ୍ର ଆଡକୁ ମୁହାଁଇଛନ୍ତି । ଆନ୍ଧ୍ର ମଧ୍ୟ ଏହାର ଫାଇଦା ନେଇ ଲୋକଙ୍କ ସୁବିଧା ପାଇଁ ସ୍କୁଲ ଖୋଲିଛି । ଏଠାରେ ତେଲଗୁ ଭାଷାରେ ପାଠ ପଢା ଯାଉଥିଲା ବେଳେ ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ବିପିଏଲ କାର୍ଡ ମଧ୍ୟ ପ୍ରଦାନ କରାଯାଇଛି । ଗ୍ରାମର କିଛି ଲୋକଙ୍କ ପାଖରେ ଓଡ଼ିଶାର ରାସନ କାର୍ଡ ଥିଲେ ମଧ୍ୟ ଏମାନେ ଆନ୍ଧ୍ରରୁ ଅଧିକ ଫାଇଦା ନେଉଛନ୍ତି । ଗ୍ରାମବାସୀଙ୍କ କହିବାନୁଯାୟୀ, ଗ୍ରାମକୁ ଓଡ଼ିଶାର ଅଧିକାରୀମାନେ କେବେ ଆସନ୍ତିନି । ଲୋକଙ୍କ ଦୁଃଖ ସୁଖ ବୁଝନ୍ତିନି । ଏପରିକି ଏହା ଓଡ଼ିଶାର ଏକ ଗାଁ ବୋଲି ସେମାନେ ଭୁଲି ଯାଇଛନ୍ତି । ଅପରପକ୍ଷରେ ଆନ୍ଧ୍ର ସରକାର ଏହି ଗାଁକୁ ସୁବିଧା ସୁଯୋଗ ଯୋଗାଇ ଦେଇ ସରକାରୀ ସହାୟତା ଦେଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି ।

ଓଡ଼ିଶା ଭିତରେ ଏହି ଗାଁ ଥିଲେ ମଧ୍ୟ ମାଓବାଦୀଙ୍କ ଭୟରେ ଏହି ଗାଁରେ ପୁଲିସ ବାବୁଙ୍କ ପାଦ ପଡେନି । ପୁଣି ଥାନାର ଦୂରତା ପାଖାପାଖି ୯୦କିଲୋମିଟର ହେଉଥିବାରୁ ଏହି ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ଲୋକେ ଆନ୍ଧ୍ରର ପାଚିପେଣ୍ଟା ଥାନା ଉପରେ ନିର୍ଭର କରିଥାନ୍ତି । ଆଗକୁ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏହି ଗାଁରେ ଏବେ ଆନ୍ଧ୍ର ସରକାର ଭୋଟର କାର୍ଡ ବାଣ୍ଟିବା ସହ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣୁଛନ୍ତି। ତେଣୁ କେବଳ ନାଁକୁ ଓଡ଼ିଶାର ହୋଇ ରହିଛି ବାଙ୍ଗାରିଗୁଡି । ଆନ୍ଧ୍ର ସରକାରଙ୍କ ଲୋଭନୀୟ ଯୋଜନା ଏହି ଗ୍ରାମର ଲୋକଙ୍କୁ ଆନ୍ଧ୍ର ବାସିନ୍ଦା କରି ସାରିଲାଣି । କେବଳ ଏହି ଗୋଟିଏ ଗାଁ ନୁହେଁ, ଆଖପାଖ ତୁମ୍ବିଗୁଡା, ଉଲାପାରୁ, ଖାରିବେଡା, ପାଣ୍ଡିରିଚିନ୍ତା ପରି ଅନେକ ସୀମାନ୍ତ ଗାଁକୁ ଓଡ଼ିଶା ସରକାର ଅବହେଳା କରୁଥିବାରୁ ସେମାନେ ଆନ୍ଧ୍ର ମୁହାଁ ହେଲେଣି । ପୁଣି ଆନ୍ଧ୍ର ବିଭାଜନ ପରେ ନିଜ କାୟା ବଢାଇବା ପାଇଁ ଆନ୍ଧ୍ର ଜୋରଦାର ଉଦ୍ୟମ କରୁଥିବାରୁ ସୀମାନ୍ତ ଗାଁ ଗୁଡିକ ଉପରେ ନଜର ପକାଇଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଓ କୋରାପୁଟ ଜିଲ୍ଲା ପ୍ରଶାସନ ଏବେଠାରୁ ସଚେତନ ନ ହେଲେ ଅନେକ ସୀମାନ୍ତ ଗାଁ ହାତରୁ ଚାଲି ଯିବାର ଆଶଙ୍କା ସୃଷ୍ଟି ହୋଇଛି ।