ରେକର୍ଡକୁ ଉଡାଇନେଲା ଅଦିନିଆ ଝଡ଼ ! ଭାଙ୍ଗିଲା ବିଶ୍ୱର ସବୁଠାରୁ ଉଚ୍ଚତମ ଦୁର୍ଗା ମୂର୍ତ୍ତି, ୧୧୦ରୁ ଖସି ହେଲା ୭୦ ଫୁଟ୍

46

60774200କନକ ବ୍ୟୁରୋ : ଭାଙ୍ଗିଗଲା ରେକର୍ଡ ଭାଙ୍ଗିବା ସ୍ୱପ୍ନ । ଅଧାରେ ରହିଗଲା ଗିନିଜ୍ ବୁକ୍ ଅଫ୍ ଓ୍ଵର୍ଲଡରେ ସ୍ଥାନ ପାଇବାର ଆଶା । ସ୍ୱପ୍ନକୁ ଧୂଳିସାତ୍ କରିଦେଲା ଅଦିନିଆ ଝଡ଼ବତାସ । ୭୨ ଘଂଟାର ଝଡ଼ ଯୋଗୁଁ ଭାଙ୍ଗିଯାଇଛି ବାଉଁଶ ନିର୍ମିତ ୧୧୦ ଫୁଟ ଉଚ୍ଚ ଦୁର୍ଗା ପ୍ରତିମା । ତେବେ ସ୍ଥାନୀୟ ବାସିନ୍ଦା ଏବଂ କାରିଗରଙ୍କ ସହାୟତାରେ ପ୍ରତିମାକୁ ଖଡ଼ମାରେ ଛିଡା କରାଯାଇଛି । ହେଲେ ପ୍ରତିମା ନିଜ ଉଚ୍ଚତା ହରାଇ ୭୦ ଫୁଟକୁ ଖସିଆସିଛି ।

ଗୋହାଟିର ର୍ବିଷ୍ଣୁପୁର ଦୁର୍ଗାପୂଜା କମିଟି ପ୍ରତିବର୍ଷ ନୂଆ ନୂଆ ଶୈଳୀରେ ଦୁର୍ଗାଙ୍କ ମୂର୍ତ୍ତି ର୍ନିମାଣ କରି ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥାଏ । ଚଳିତବର୍ଷ ର୍ବିଷ୍ଣୁପୁର ଦୁର୍ଗାପୂଜା କମିଟି ବାଉଁଶରେ ୧୧୦ ଫୁଟ୍‌ ଉଚ୍ଚର ଦୁର୍ଗା ମୂର୍ତ୍ତି ର୍ନିମାଣ କରି ଗିନିଜ୍‌ ବୁକ୍‌ ଅଫ ୱାର୍ଲ୍‌ଡ ରେକର୍ଡରେ ସ୍ଥାନ ପାଇବାକୁ ଆଶା ରଖିଥିଲେ ।

ତେବେ ପୂଜା ନିକଟବର୍ତ୍ତୀ ହୋଇଆସିଥିବାରୁ ସମସ୍ତେ ଆୟୋଜକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ସ୍ୱଳ୍ପ ସମୟ ମଧ୍ୟରେ ଅସମ୍ଭବ କାମକୁ ସମ୍ଭବ କରାଇବା ମୁଖ୍ୟ କାରିଗର ନୁରୁଦ୍ଦିନ୍ ଅହମ୍ମଦଙ୍କ ପାଇଁ ଚ୍ୟାଲେଂଜ୍ ପାଲଟିଯାଇଥିଲା । ତେବେ ପଛଘଂଚା ନଦେଇ ୧୧୦ କୁଡୋଙ୍କୁ ଆଣି ଦୁର୍ଗା ପ୍ରତିମାକୁ ପୁଣି ଖଡ଼ମାରେ ଅବସ୍ଥାପିତ କରାଇଛନ୍ତି ।

କୁଶଳ କାରିଗର ଏବଂ ସାଧାରଣ ଶ୍ରମିକଙ୍କ ସମେତ ୭୦ ଜଣ ଲୋକ ଲାଗିପଡି ନିର୍ଦ୍ଧାରିତ ସମୟରେ କାର୍ଯ୍ୟଟିକୁ ଶେଷ କରିଛନ୍ତି । ବିଜୁଳି, ମୋକୋଲ୍ ଏବଂ ଅନ୍ୟାନ୍ୟ ପ୍ରଜାତିର ପ୍ରାୟ ୬୦୦୦ ବାଉଁଶରେ ଏହି ସୁଉଚ୍ଚ ପ୍ରତିମାଟି ନିର୍ମାଣ କରାଯାଇଛି ।

ପ୍ରତିମାଟିକୁ ୧୧୦ ଫୁଟ ଉଚ୍ଚ କରାଯାଉଥିବାରୁ ପୂର୍ବରୁ ଆୟୋଜକ ଗିନିଜ୍ ବୁକ୍ ଅଫ୍ ୱର୍ଲଡ୍ ରେକର୍ଡର ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ ପ୍ରକୃତି ଦାଉ ସାଧିବାରୁ ଏବେ ଏହାର ଉଚ୍ଚତା କମି ୭୦ ଫୁଟ୍ ହୋଇଯାଇଛି । ତେବେ ପୁଣି ଥରେ ପ୍ରତିମା ଠିଆ କରାଇ ଗିନିଜ୍ ବୁକ୍ ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଛନ୍ତି ଆୟୋଜକ ।