ରାଜ୍ୟରେ ଆହୁରି ୪୩୦୦ ନଗଡ଼ା, ଏବେ ବି ଅପହଞ୍ଚ, ରାସ୍ତାଟିଏ ନାହିଁ: ଆଗରେ କଳାହାଣ୍ଡି, ବାଲେଶ୍ୱର ଜିଲ୍ଲା; ଶିକ୍ଷା, ସ୍ୱାସ୍ଥ୍ୟ ସେବା ପହଞ୍ଚିବ କିପରି?

142

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳତା ପାଇଁ ତାଙ୍କ ବ୍ୟକ୍ତିଗତ ସ୍ବଚ୍ଛତା ଓ ମହିଳା ସଶକ୍ତୀକରଣ ଯେମିତି ଦାୟୀ, ସେମିତି ସମଗ୍ର ରାଜ୍ୟରେ ଚିକ୍ ଚିକ୍ ରାସ୍ତା ମଧ୍ୟ ଅନ୍ୟତମ କାରଣ। ଅନ୍ୟ ରାଜ୍ୟ ତୁଳନାରେ ଏହା ଯଥେଷ୍ଟ ଉଲ୍ଲେଖନୀୟ। ଏକଥା ରାଜ୍ୟ ବାହାରର ଆଗନ୍ତୁକ ଭୁବନେଶ୍ବରରୁ ଯେ କୌଣସି ଜିଲ୍ଲା ସଦର ମହକୁମା ଗଲେ ନିଶ୍ଚୟ ସ୍ବୀକାର କରିବେ। ଏହା ସତ୍ତ୍ବେ ରାଜ୍ୟର ବଭିନ୍ନ ଗାଁ ଓ ଜନବସତିକୁ ସଡକ ଯୋଗାଯୋଗ ନେଇ ସରକାରୀ ରିପୋର୍ଟ ଆଖି ଖୋସି ଦେବା ଭଳି। ଏହି ରିପୋର୍ଟ ସୂଚାଉଛି ଯେ ୨୦୧୯ ମସିହାରେ ବି ରାଜ୍ୟର ୪୩୦୦ ଗାଁ ବା ପଡାକୁ ଯିବା ପାଇଁ ରାସ୍ତାଟିଏ ନାହିଁ। ଯେଉଁଠାରେ ଯାନବାହନ ଚଳାଚଳ କରିବା ଭଳି ସଡକ ଶେଷ ହୋଇଛି, ଏସବୁ ଗାଁକୁ ଯଦି ସେହିଠାରୁ ସଂଯୋଗ ପାଇଁ ସରକାର ନିଷ୍ପତ୍ତି ନିଅନ୍ତି, ତେବେ ପାଖାପାଖି ୧୧୫୦୦ କିଲୋମିଟର ରାସ୍ତା ନିର୍ମାଣ କରିବାକୁ ପଡିବ। ଏତିକି ରାସ୍ତା ନିର୍ମାଣ ହୋଇପାରିଲେ ଯାଇ ଏସବୁ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ମୁଖ୍ୟ ସଡକକୁ ସୁବିଧାରେ ଯା ଆସ କରିପାରିବେ।

ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା, ଏସବୁ ଗାଁ ଓ ଜନବସତି ମଧ୍ୟରୁ ଶହ ଶହ ଅଞ୍ଚଳ ଏମିତି ରହିଛି, ଯେଉଁଠାକୁ ଚାରି ଚକିଆ ଯାନ କଥା ଦୂରେ ଥାଉ, ମୋଟର ସାଇକେଲ୍ ଯାଇପାରିବ ନାହିଁ। କିଛି ଲୋକ ପାଦରେ ଚାଲିକି ଯାଉଛନ୍ତି, ଆଉ କିଛି ଅତିବେଶିରେ ସାଇକେଲ୍ରେ ଯା ଆସ କରିପାରୁଛନ୍ତି। ଆହୁରି ଏମିତି ଶତାଧିକ ଗାଁ ଓ ବସତି ରହିଛି, ଯେଉଁଠି ସାଇକେଲ୍ ଯିବା ମଧ୍ୟ ସାତ ସପନ। ଗମନାଗମନ ଲାଗି କେବଳ ପାଦ ଚଲା ରାସ୍ତା ଉପରେ ଲୋକେ ଆଜି ବି ନିର୍ଭର କରୁଛନ୍ତି। ଓଡ଼ିଶାର ବିକାଶ ସଂପର୍କରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତିଦିନ ବାଦ ପ୍ରତିବାଦ ଚଳାଇଛନ୍ତି। ହେଲେ ରାଜ୍ୟର ୩୦ ଟି ଜିଲ୍ଲା ଅନ୍ତର୍ଗତ ୪୩୦୦ ଗାଁ ଓ ବସତିର ଏ ବିକଳ ଚେହେରା ସତ ବଖାଣୁଛି ଯେ ଆମ ଭିତ୍ତିଭୂମିର ସ୍ଥିତି କେଉଁଠି। ଆହୁରି ବିଡମ୍ବନାର ବିଷୟ ହେଉଛି, ସରକାର ଯେଉଁ ଆଖି ଝଲସିବା ଭଳି ଯୋଜନା କରୁଛନ୍ତି, ତାହା ଏମାନଙ୍କ ପାଖରେ ପହଞ୍ଚୁନି। ଯେଉଁଠି ରାସ୍ତା ନାହିଁ, ସେଠାରେ ଅଙ୍ଗନବାଡି, ସ୍ବାସ୍ଥ୍ୟ, ଶିକ୍ଷା ଓ ଜୀବନ ଜୀବିକା କାର୍ଯ୍ୟକ୍ରମ କିଭଳି ସମ୍ଭବ? ଏସବୁ ଆଉ ଗୋଟିଏ ଗୋଟିଏ ନଗଡାକୁ ସୂଚାଉନି କି?

କୌତୂହଳର କଥା ହେଲା, ଯୋଗାଯୋଗ କ୍ଷେତ୍ରରେ ଏଭଳି ଦୁର୍ବଳ ଭିତ୍ତିଭୂମି ଥିବା ଗାଁ ବା ବସତି ସଂଖ୍ୟା କୋରାପୁଟ ବା ମାଲକାନଗିରି ଜିଲ୍ଲାରେ ନାହିଁ। ବରଂ କଳାହାଣ୍ଡି ଜିଲ୍ଲା ଏ କ୍ଷେତ୍ରରେ ଆଗରେ ରହିଛି। ପରିସଂଖ୍ୟାନ କହୁଛି, ଏହି ଜିଲ୍ଲାରେ ଏଭଳି ୫୫୮ଟି ଗାଁ ବା ବସତି ରହିଛି, ଯାହା ପାଇଁ ସଡକ ନିର୍ମାଣ କରିବା ଆବଶ୍ୟକତା ସଂପର୍କରେ ଏଯାଏ ସରକାର ହେଜିନାହାନ୍ତି। ଏହି ତାଲିକାରେ ଦ୍ବିତୀୟରେ ରହିଛି ଉପକୂଳବର୍ତୀ ବାଲେଶ୍ବର ଜିଲ୍ଲା। ଏଠାରେ ୪୦୩ଟି ଗାଁ ବା ବସତି ଆଜି ବି ଅପହଞ୍ଚ ହୋଇ ରହିଛି। ସେହିଭଳି ଭଦ୍ରକରେ ୩୯୦, ରାୟଗଡାରେ ୩୬୮, ଗଜପତିରେ ୩୧୫, କନ୍ଧମାଳରେ ୩୧୮ ଟି ବସତି ରହିଛି ଯେଉଁ ଅଞ୍ଚଳକୁ ଚାରିଚକିଆ ଯିବା ସ୍ବପ୍ନ। ୨୦୦ରୁ ଅଧିକ ଗାଁ ବା ବସତିକୁ ଯୋଗାଯୋଗ ନଥିବା ତାଲିକାରେ ନବରଙ୍ଗପୁର, କେନ୍ଦୁଝର ଜିଲ୍ଲା ରହିଛି। ସମ୍ବଲପୁର ଭଳି ଉନ୍ନତ ଅଞ୍ଚଳରେ ବି ୧୯୮ଟି ଗାଁ ବା ବସତିକୁ ଯୋଗାଯୋଗ ବ୍ୟବସ୍ଥା ନାହିଁ। ମୟୂରଭଂଜରେ ୧୯୫, ମାଲକାନଗିରିରେ ୧୯୦, ଜଗତସିଂହପୁରର ୧୧୦ ଗାଁ ସ୍ଥିତି ଅନୁରୂପ।

ତେବେ ସୋନପୁର ଜିଲ୍ଲା ଏ କ୍ଷେତ୍ରରେ ଅନ୍ୟ ଏକ ରେକର୍ଡର ଅଧିକାରୀ। ଏହି ଜିଲ୍ଲାରେ ମାତ୍ର ୫ଟି ଗାଁ ରହିଛି, ଯେଉଁ ଅଞ୍ଚଳକୁ ଏଯାଏ ଯୋଗାଯୋଗ ବ୍ୟବସ୍ଥା କରାଯାଇନାହିଁ। ସେହିଭଳି କେନ୍ଦ୍ରାପଡା, ଯାଜପୁରରେ ଏଭଳି ୭ଟି ଗାଁ ବା ବସତି ଥିବା ରେକର୍ଡ କହୁଛି। ଗୋଟିଏ ସମୟରେ କେବଳ ନଗଡ଼ାକୁ ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ତହବିଲରୁ ୧୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଇଥିଲା। ସେ ସମୟରେ ପ୍ରଥମ ପର୍ଯ୍ୟାୟରେ ୧୫୪ଟି ଗାଁର ସଡ଼କ ପଥର ବିକାଶ ପାଇଁ ଯୋଜନା ହୋଇଥିଲା। ସେତେବେଳେ ବଜେଟରେ ୫୦ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ ସରକାର। କିନ୍ତୁ ବାସ୍ତବ ଆକଳନ କରାଯିବା ପରେ ଜଣାପଡିଥିଲା ଯେ ସେସବୁ ରାସ୍ତା ପାଇଁ ୨୫୦କୋଟିରୁ ଅଧିକ ଟଙ୍କା ଆବଶ୍ୟକ। ପରବର୍ତୀ ସମୟରେ ବଜେଟରେ ଅର୍ଥ ବରାଦ ହୋଇଛି। ସରକାର କିଛି ଅର୍ଥ ଖର୍ଚ୍ଚ କରିଛନ୍ତି, କିନ୍ତୁ ଏହା ରାସ୍ତା ନିର୍ମାଣରେ ପଛୁଆ ପଣ ନେଇ ଥିବା ଦୁର୍ବଳତାକୁ ଢାଙ୍କି ପାରୁନାହିଁ।

Comments are closed.