ଏମାନଙ୍କୁ ଦେଖିଲେ ଭୟରେ ଥରି ଉଠନ୍ତି ଦୁଷ୍କର୍ମକାରୀ ! ନିଜ ସୁରକ୍ଷା ସହ ଲୋକଙ୍କୁ ସୁରକ୍ଷା ଦେଉଛନ୍ତି ମହିଳା ବାଉନ୍ସର ଟିମ୍ ।

859

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ମହିଳାଙ୍କ ପ୍ରତି ନିର୍ଯାତନା ଓ ଦୁଷ୍କର୍ମ ଭଳି ଘଟଣା ବଢ଼ିବାରେ ଲାଗିଛି । କିଛି ଏଭଳି କାମନାବିକୃତ ପୁରୁଷଙ୍କୁ ଜବାବ ଦେବାକୁ ଅଣ୍ଟା ଭିଡିଛି ‘ରଣରାଗିଣୀ’ । ‘ରଣରାଗିଣୀ’ ହେଉଛି ମହାରାଷ୍ଟ୍ର ପୁନେର ଏକ ମହିଳା ବାଉଁସରଙ୍କ ଟିମ ଯେଉଁମାନେ କି ନିଜକୁ ସୁରକ୍ଷା ଦେବା ସହ ମହିଳାଙ୍କୁ ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେଇଥାନ୍ତି । ‘ରଣରାଗିଣୀ’ର ସଦସ୍ୟାଙ୍କୁ ଦେଖିଲେ ଯେଉଁମାନେ ମହିଳାଙ୍କ ପ୍ରତି ଅତ୍ୟାଚାର କରିବାକୁ ଚିନ୍ତା କରିଥାନ୍ତି ସେମାନେ ଭୟରେ କମ୍ପିଥାନ୍ତି । କାରଣ ଏହି ବାଉଁସରମାନେ ଏଭଳି ଟେକନିକରେ ସୁରକ୍ଷା ଦେଇଥାନ୍ତି ଯେ ଦୁଷ୍କର୍ମ କରିବାକୁ ଚିନ୍ତା କରୁଥିବା ବ୍ୟକ୍ତିଙ୍କ ମନରେ ଛନକା ପଶିଯାଇଥାଏ ।

କିଭଳି ଗଠନ ହୋଇଥିଲା ‘ରଣରାଗିଣୀ’
ଏହାକୁ ପୁନେର ଦୀପା ପରବ ଗଠନ କରିଥିଲେ । ଏହି ସଂଗଠନଟି ହେଉଛି ଦେଶର ପ୍ରଥମ ମହିଳା ବାଉଁସରଙ୍କ ଗ୍ରୁପ । ଯାହାକି ଲୋକଙ୍କ ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିଛି । ପୁଲିସ କନେଷ୍ଟବଳ ହେବାକୁ ଦୀପାଙ୍କର ଇଚ୍ଛା ଥିଲା । କିନ୍ତୁ ତାଙ୍କ ପରିବାର ଏହାକୁ ସମର୍ଥନ କରି ନଥିଲେ । ଦୀପା କହିଥିଲେ ଯେ ସେ ସେହି ଦୁଃଖଦ ମୁହୂର୍ତ୍ତ କେବେ ବି ଭୁଲିପାରିବେ ନାହିଁ ଯେଉଁଦିନ ତାଙ୍କ ଆଖି ସାମ୍ନାରେ ତାଙ୍କ ଆବେଦନ ପତ୍ରକୁ ପରିବାର ଲୋକ ଚିରି ଦେଇଥିଲେ । ଏହା ପରେ ବି ଭାଙ୍ଗିପଡି ନଥିଲେ ଦୀପା ।

କାହିଁକି ମହିଳାମାନେ ରାତିରେ ଘରୁ ବାହାରକୁ ଯାଇପାରିବେ ନାହିଁ ? ଯଦି ମହିଳା ରାତିରେ ଘରୁ ବାହାରକୁ ଯାଇଥାନ୍ତି ତାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଯାଇଥାଏ । ଏଭଳି ପ୍ରଶ୍ନ ଉଠାଇଥିବା ବ୍ୟକ୍ତିଙ୍କୁ ‘ରଣରାଗିଣୀ’ ହିଁ ଜବାବ ଦେବ

ମହିଳାଙ୍କୁ ନେଇ ବାଉଁସର ଗ୍ରୁପଟିଏ ଗଠନ କରିବାକୁ ପଣ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୪ ଜଣ ମହିଳାଙ୍କୁ ନେଇ ଦୀପା ଆରମ୍ଭ କରିଥିବା ନିଜର ସଂଗଠନରେ ଏବେ ୬୦ରୁ ଉର୍ଦ୍ଧ୍ବ ମହିଳା କାର୍ଯ୍ୟ କରୁଛନ୍ତି ।