ସ୍ୱାମୀର ଜୀବନ ପାଇଁ  କାନି ପାତି ଭିକ ମାଗୁଛି ସ୍ତ୍ରୀ  । କର୍କଟ ଯନ୍ତ୍ରଣାରେ ଛଟପଟ ମିଥୁନଙ୍କ ପାଇଁ ମା’ ଆଖିରୁ ଅହରହ ଝରୁଛି  ଲୁହ

131

କନକ ବ୍ୟୁରୋ: ସ୍ୱାମୀର ଜୀବନ ବଞ୍ଚାଇବାକୁ କଇଁକଇଁ ହୋଇ କାନ୍ଦୁଛି , ଆଉ କାନି ପାତି ଭିକ ମାଗୁୁଛି ସ୍ତ୍ରୀ । ଇଏ ହେଉଛି କ୍ୟାନ୍ସର ରୋଗରେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ୱାମୀର ଜୀବନ ବଞ୍ଚାଇବାକୁ ସ୍ତ୍ରୀର ବିକଳ କାନ୍ଦ । ସ୍ତ୍ରୀ କାନ୍ଦୁଛି, ଜନ୍ମକଲା ମା’ ବି କାନ୍ଦୁଛି । ଆଉ କୋଳରେ କଅଁଳା ଝିଅ ଜୁୁଳୁ ଜୁଳୁ ହୋଇ ଚାହିଁଛି । ମଜୁରୀ ଲାଗି ଘର ଚଳାଉଥିବା ସ୍ୱାମୀ ଯେତେବେଳେ ଶଯ୍ୟାଶାୟୀ ଏମାନେ ଆଜି ଅସହାୟ ।

ସ୍ୱାମୀକୁ ବଞ୍ଚାଇବାକୁ ସବୁ ଚେଷ୍ଟା କରି ନିଃସ୍ୱ ହୋଇଯିବା ପରେ ଏବେ ଘର ଘର ବୁଲି କାନି ପାତି ଭିକ ମାଗୁଛନ୍ତି ସ୍ତ୍ରୀ ଓ ମା’ । ସମସ୍ତଙ୍କୁ ପାଦ ଛୁଇଁ ଗୁହାରୀ କରୁଛନ୍ତି, ସେଇ ରୋଗାକ୍ରାନ୍ତ ସ୍ୱାମୀ ପାଇଁ ଟିକେ ଭଗବାନଙ୍କ ପାଖରେ ଗୁହାରୀ କରିବାକୁ । ଏ ହେଉଛନ୍ତି ଆଠଗଡ ବ୍ଳକ ରାଧାଦାମୋଦର ଗାଁର ମିନତୀ ପୁହାଣ । ମୁଖ କ୍ୟାନ୍ସରରେ ପୀଡିତ ହୋଇ ଏବେ ସ୍ୱାମୀ ମିଥୁନ ପୁହାଣ ଶଯ୍ୟାଶାୟୀ । ଘରେ ୩ ଜଣ ବଢିଲା ନଣନ୍ଦ । ବିଧବା ଶାଶୁ । ରୋଜଗାର ବୋଲି କିଛି ନାହିଁ । ଟାଇଲ ଛପର ଘର ଖଣ୍ଡେ ଛଡା ବିଲ ବୋଲି ଗୁଣ୍ଟେ ନାହିଁ । ଏପରି ସ୍ଥିତିରେ ସ୍ୱାମୀ ମିଥୁନଙ୍କ କ୍ୟାନ୍ସର ରୋଗ ଏ ସମସ୍ତଙ୍କ ଜୀବନ ଦୁର୍ବିସହ କରିଦେଇଛି । ମାଗିଯାଚି ସ୍ୱାମୀଙ୍କୁ ଚିକିତ୍ସା କରିବା ପରେ ବି କିଛି ଲାଭ ନହେବାରୁ ଏବେ ମିନତୀଙ୍କ ପାଖରେ ଆଉ କିଛି ଉପାୟ ନାହିଁ । ଶେଷରେ ବାଧ୍ୟ ହୋଇ ଘର ଘର ବୁଲି ମିଥୁନଙ୍କ ପାଇଁ  ଭିକ ମାଗୁଛନ୍ତି ସ୍ତ୍ରୀ ମିନତୀ ଓ ମା’ ।

୩ ଝିଅରେ ମିଥୁନ ଗୋଟିଏ ବୋଲି ପୁଅ  । ସ୍ୱାମୀ ଚାଲିଗଲା ପରେ ଅଭାବ ଅନାଟନ ଭିତରେ ବି ପିଲାଙ୍କୁ ବଡ କରିଛନ୍ତି ମା’ । ପୁଅକୁ ୨ ବର୍ଷ ତଳେ ବାହା ଦେଇଥିଲେ । ଅଭାବ ଭିତରେ ବି ପୁଅ ଯାହା ମଜୁରୀ ଆଣେ ସେଥିରେ ଚଳୁଥିଲା ଅଭାବୀ ସଂସାର । ସେତକ ବି ଦଇବ ସହିଲା ନାର୍ହି । ପୁଅକୁ ହେଲା ଦୂରାରୋଗ୍ୟ ମୁଖ କ୍ୟାନ୍ସର । ଏମିତି ଅବସ୍ଥାରେ ପୁଅର ଯନ୍ତ୍ରଣା ନା ଦେଖିପାରୁଛି ନା ସହିପାରୁଛି ମା’ । ଯେଉଁଠି ବସିଲେ ଆଖିରୁ ଅନବରତ ଝରୁଛି ଲୁହ ।

ଏପରି ସ୍ଥିତିରେ ଦୁନିଆଁ କ’ଣ ଜାଣିନଥିବା କୁନି ଝିଅଟିର ଅବସ୍ଥା କ’ଣ ହେବ ସେଇ ଚିନ୍ତାରେ ମିନତୀ  । ତଥାପି ଏହି ଯନ୍ତ୍ରଣାସିକ୍ତ ପରିବାରର ଦୁଃଖ ଦେଖିବା ପରେ ଯଦି ପ୍ରଶାସନ ସାହାଯ୍ୟର ହାତ ବଢାନ୍ତେ, ତେବେ ଏହି ପରିବାରର ଦୁଃଖ କିଛି ମାତ୍ରାରେ ଲାଘବ ହୋଇପାରନ୍ତା  ।

ମିଥୁନ ପୁହାଣଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଠିକଣା: 

ନାଁ – ମିନତୀ ପୁହାଣ

ବ୍ୟାଙ୍କ ଆକାଉଣ୍ଟ:  ୪୧୦୪୩୯୮୨୦୦୪

ଆଇଏଫଏସସି କୋଡ୍: SBIN୦୦୧୦୯୦୬