ରୋହତକରେ ୧୦୨ ବର୍ଷୀୟ ବୃଦ୍ଧଙ୍କ ଅଭିନବ ପ୍ରତିବାଦ। ଶୋଭାଯାତ୍ରା କରି ଅଫିସରେ ପହଞ୍ଚିଲେ ଦୁଲି ଚନ୍ଦ। 

77

କନକ ବ୍ୟୁରୋ: ଶୁଣ ସରକାର, ମୁଁ ଏବେ ବଞ୍ଚିଛି । ଏ ପଦୁଟିଏ କଥା କହିବାପାଇଁ ଏଭଳି ଅଭିନବ ଉପାୟରେ ପ୍ରତିବାଦ । ଆପଣମାନେ ଏହି ଭିଡିଓରେ ଦେଖୁଥିବେ ବାଜା ବାଜୁଛି, ନାଚହେଉଛି । ଆଉ ଘୋଡାଗାଡିରେ ବସି ଏ ବୃଦ୍ଧ ଜଣକ ଯାଉଛନ୍ତି । ତେବେ ସମସ୍ତଙ୍କ ହାତରେ ରହିଛି ମୁଁ ବର୍ତ୍ତମାନ ବଞ୍ଚିଛିର ପ୍ଲାକାର୍ଡ । ବୃଦ୍ଧ ଜଣଙ୍କ ମଧ୍ୟ ନିଜେ ପ୍ଲା କାର୍ଡ ଧରି ଘୋଡାରେ ବସିଛନ୍ତି । ସମସ୍ତେ ଭାବୁଥିବେ କାହିଁକି ପ୍ରତିବାଦ ହେଉଛି । ଆଉ ଏ ବାଜାବାଣର ଶୋଭାଯାତ୍ରା କଣ ପାଇଁ । ଏଠି କହିରଖିବାକୁ ଚାହିଁବୁ, ଏ ପ୍ରକାରର ନିଆରା ପ୍ରତିବାଦ କେବଳ ନିଜକୁ ବଞ୍ଚିଥିବା ଦର୍ଶାଇବା ପାଇଁ । ମୁଁ ବଞ୍ଚିଛି ବୋଲି କହିବା ପାଇଁ ସରକାରୀ ବାବୁଙ୍କ ପାଖକୁ ଯାଉଛନ୍ତି ଏହି ବୃଦ୍ଧ ଜଣଙ୍କ ।

ଘୋଡାଗାଡିରେ ବର ଭଳି ସଜେଇ ହୋଇବସିଥିବା ଏ ହେଉଛନ୍ତି ହରିୟାଣାର ୧୦୨ ବର୍ଷୀୟ ଦୁଲି ଚନ୍ଦ । ରୋହତକ ଗାନ୍ଧରା ଗାଁର ନିବାସୀ ଦୁଲି ଚନ୍ଦଙ୍କୁ କାଗଜକଲମରେ ମାରିଦେଇଛନ୍ତି ହରିୟାଣା ସରକାରର ପ୍ରଶାସନିକ ଅଧିକାରୀ । ତାଙ୍କୁ ମୃତ ଘୋଷଣା କରି ତାଙ୍କ ପେନସନକୁ ବନ୍ଦ କରିଦିଆଯାଇଛି । ନିଜ ପେନସନ ଫେରିପାଇବା ପାଇଁ ଏ ବାବୁଙ୍କ ଠାରୁ ନେଇ ସେ ବାବୁଙ୍କ ପାଖକୁ ଗତ ୬ ମାସଧରି ଧାଇଁବାରେ ଲାଗିଛନ୍ତି । ହେଲେ ବାବୁମାନେ ତାଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନୁହେଁ । ଶେଷରେ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି ସେ । ନିଜକୁ ଜୀବିତ ଦର୍ଶାଇବା ପାଇଁ ବରଯାତ୍ରୀଙ୍କ ଭଳି ଶୋଭାଯାତ୍ରା କରି ସରକାରୀ ଅଫିସରେ ପହଞ୍ଚିଛନ୍ତି । ଲୋକେ ସରକାରୀ ବାବୁଙ୍କୁ କଟାକ୍ଷ କରି ପ୍ଲାକାର୍ଡରେ ଲେଖିଛନ୍ତି ଥାରା ଫୁଫା ଅଭି ଜିନ୍ଦା ହୈା

ଦୁଲି ଚନ୍ଦଙ୍କ ସହ ଅନ୍ୟମାନେ ମଧ୍ୟ ଏ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପ୍ରଶାସନିର ଏ ଅବହେଳାକୁ ଦାୟୀ କରିବା ସହ ରାଜ୍ୟରେ ଯେଉଁଭଳି ସ୍ଥିତି ରହିଛି ତାକୁ ନେଇ ସରକାରକୁ ଘେରିଥିଲେ । ଏହା ସହ ଯେଉଁମାନେ ମଧ୍ୟ ଏଥିରେ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବୀ କରିଛନ୍ତି । ସେପଟେ ବିଭାଗୀୟ ଅଧିକାରୀ ଏହାର ଉତ୍ତର ମଧ୍ୟ ରଖିଛନ୍ତି ।

ମୁଁ ବଞ୍ଚିଛି କହିବା ପାଇଁ ଏ ବୃଦ୍ଧଙ୍କୁ ଏଭଳି ଶୋଭାଯାତ୍ରା କରିବାକୁ ପଡୁଛି । ତେବେ ପ୍ରଶାସନ ନିଜଆଡୁ ପଦକ୍ଷେପ ନେଇ ଏ ସମସ୍ୟାର ସମାଧାନ କରିବାର ଆବଶ୍ୟକତା ରହିଛି ।