ନବୀନ ସରକାରରୁ କାହିଁକି ଇସ୍ତଫା ଦେଲେ ଦୁଇ ମନ୍ତ୍ରୀ? ପଢ଼ନ୍ତୁ କ’ଣ ହୋଇପାରେ ଏହାପଛର କାରଣ?

38,775

କନକ ବ୍ୟୁରୋ: ବିଜେଡି ସରକାରରେ ବଡ଼ ହଲଚଲ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ପରେ ଇସ୍ତଫା ଦେଲେ ରାଜ୍ୟର ଦୁଇ ପାୱରଫୁଲ୍ ମନ୍ତ୍ରୀ । ହଠାତ୍ କାହିଁକି ଇସ୍ତଫା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ? ଏନେଇ ରାଜ୍ୟ ରାଜନୀତିରେ ବଢ଼ିଲା ଚର୍ଚ୍ଚା । ତେବେ ପୂର୍ବରୁ ଦୁଇ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ରହିଆସିଛି । ଯେପରିକି, ସମୀର ଦାଶ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ବିବାଦରେ ଥିଲେ, ଜିଲ୍ଲା ପରିଷଦ ପ୍ରାର୍ଥୀ ହାରିବା ମଧ୍ୟ ଅନ୍ୟ ଏକ କାରଣ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ସେହିପରି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ମଧ୍ୟ ସଂଗୀନ ଅଭିଯୋଗ ରହିଛି । ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଖୋଦ୍ ମହିଳା ଅଭିଯୋଗ କରିଥିଲେ । ଯାହା ଶ୍ରୀକାନ୍ତଙ୍କୁ ବିବାଦୀୟ କରାଇଥିଲା । ତେଣୁ ମନ୍ତ୍ରୀପଦରୁ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ସବୁଠାରୁ ବଡ଼କଥା ହେଲା, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରିସ୍କ ନେବାକୁ ଚାହୁଁନାହାନ୍ତି ନବୀନ? ସ୍ୱଚ୍ଛ ଭାବମୂର୍ତ୍ତି ରଖିଥିବା ନବୀନ ଦାଗୀ ନେତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରିବା କିଛି ନୂଆକଥା ନୁହେଁ । ପୂର୍ବରୁ ମଧ୍ୟ ନବୀନ ନିଜ ମନ୍ତ୍ରୀମଣ୍ଡଳରୁ ଅନେକ ନେତାଙ୍କୁ ବିଦା କରି ବଡ଼ ବଡ଼ ନିଷ୍ପତି ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ଏବେ ନବୀନ ଦିଲ୍ଲୀ ଗସ୍ତରେ ଥିବାବେଳେ ରାଜ୍ୟ ସରକାରରୁ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ଦେବା ଘଟଣା ରାଜ୍ୟ ରାଜନୀତିରେ ଝଡ଼ ଆଣିଛି ।