ପଦ୍ମପୁରରେ କାହିଁକି ଫୁଟି ପାରିଲାନି ପଦ୍ମ, ହେବ ସମୀକ୍ଷା । ଏନେଇ ପୁଣି କ’ଣ କହିଲେ ଜୟନାରାୟଣ ?

138

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନରେ କାହିଁକି ହାରିଲା ବିଜେପି । ଏହାର ସମୀକ୍ଷା କରିବ ମୁଖ୍ୟ ବିରୋଧୀ ଦଳ । ତେବେ ତା ପୂର୍ବରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପରାଜୟର କେତୋଟି କାରଣ ସମ୍ପର୍କରେ ମତ ରଖିଛନ୍ତି । ବର୍ଷାଙ୍କୁ ବିଦେଶିନୀ କହି ନିର୍ବାଚନୀ ପ୍ରଚାର ବେଳେ ବାରମ୍ବାର ଟାର୍ଗେଟ୍ କରିଥିଲେ ଜୟନାରାୟଣଙ୍କ ସମେତ ବିଜେପିର ଏକାଧିକ ବରିଷ୍ଠ ନେତା । ଏହା ଦଳ ପାଇଁ ବୁମେରାଂ ହେଲା ବୋଲି କୁହାଯାଉଥିବା ବେଳେ ପୁରୁଣା କଥାକୁ ପୁଣି ଦୋହରାଇଛନ୍ତି ବିରୋଧୀ ଦଳ ନେତା । ବର୍ଷା ପଦ୍ମପୁରର ଝିଅ ହୋଇଥିଲେ ବି କଣାସର ବୋହୂ ଏକଥା ଅସତ୍ୟ ନୁହେଁ ବୋଲି କହିଛନ୍ତି । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ତାଙ୍କୁ ଝିଅ ବୋଲି କହିନଥିଲେ । ନିର୍ବାଚନ ଜିତିବା ପରେ ତାଙ୍କୁ ଏଭଳି ସମ୍ବୋଧନ କରିବାକୁ ଗ୍ରହଣ କରିନାହାନ୍ତି ଜୟନାରାୟଣ ।

ତେବେ ସାଧାରଣ ନିର୍ବାଚନକୁ ଆଉ ଦେଢ ବର୍ଷରୁ କମ୍ ସମୟ ଥିବାରୁ ଲୋକେ ସରକାର ବିରୋଧରେ ଗଲେ ନାହିଁ ବୋଲି ଅନୁମାନ ଲଗାଇଛନ୍ତି । କଂଗ୍ରେସ ଭୋଟ୍ ବିଜେଡିକୁ ଚାଲିଯିବା ଫଳରେ ପଦ୍ମପୁରରେ ବିଜେପି ପରାଜୟର ମୁହଁ ଦେଖିବା କଥା କହିଛନ୍ତି ଜୟନାରାୟଣ । କିନ୍ତୁ ୨୦୨୪ରେ ଏହାର ପ୍ରଭାବ ପଡ଼ିବ ନାହିଁ ଓ ବିଜେପି-ବିଜେଡି ମଧ୍ୟ ଦ୍ୱିମୁଖି ଲଢେଇ ହେବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି । ଶେଷରେ ପଦ୍ମପୁରରେ ନବୀନ ମ୍ୟାଜିକ୍କୁ ହସି ଉଡାଇ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରୟଣ ମିଶ୍ର ।