କ୍ୟାମେରାମ୍ୟାନ ମାନସଙ୍କୁ ମାରିଲେ କାହିଁକି? ଭିଡିଓ କ୍ଲିପ ଭାଇରାଲ ହେବାର ଭୟ ଥିଲା କି ?

163

କନକ ବ୍ୟୁରୋ: ସାମ୍ନାକୁ ଏକ ସାଧାରଣ ହତ୍ୟାକାଣ୍ଡ ଭଳି ପ୍ରତୀୟମାନ ହେଉଥିବା ଏହି ପୁରା ମାମଲା ପଛରେ ସାଂଘାତିକ ଷଡଯନ୍ତ୍ରର ଦିଗ ରହିଛି, ଯାହା ଏକ ଭିଡିଓ କ୍ଲିପ୍ ଚାରିପାଖେ ଘୁରିବୁଲୁଛି । ଯେଉଁଥି ପାଇଁ ଶର୍ମିଷ୍ଠା, ଉକ୍ତ କ୍ୟାମେରାମ୍ୟାନ୍ଙ୍କ ପଛରେ ହାତଧୋଇ ପଡିଥିଲେ । ମାନସଙ୍କ କ୍ୟାମେରାରେ ସୁଟ୍ ହୋଇଥିବା ଉକ୍ତ ଭିଡିଓ ଶେଷ ପର୍ଯ୍ୟନ୍ତ ଶର୍ମିଷ୍ଠାଙ୍କ ପାଖରେ ଥିଲା । ହେଲେ ଏହାକୁ ଚତୁରତାର ସହ ମାନସ କମ୍ପ୍ୟୁଟର ଓ କ୍ୟାମେରାରୁ ଡିଲିଟ କରି ନିଜ ପାଖରେ ଏକ କପି ରଖିଦେଇଥିଲେ । ସୂଚନା ଅନୁସାରେ, ଏହି ଭିଡିଓ ପାଇଁ ହିଁ ରକ୍ତମୁଖା ହୋଇଥିଲେ ଶର୍ମିଷ୍ଠା ଏବଂ ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରି ଆଣି ମାରିଦେଇଥିଲେ ।

ପୋଲିସକୁ ମିଳିଥିବା ତଥ୍ୟ ଅନୁସାରେ ମାନସ ଓ ୱେବ ପୋର୍ଟାଲ ମାଲିକାଣୀଙ୍କ ମଧ୍ୟରେ ଏକ ଭିଡିଓ କ୍ଲିପକୁ ନେଇ ଝଗଡା ଥିଲା । ଯେଉଁ ବିବାଦରୁ ମାନସଙ୍କୁ ହତ୍ୟା କରିବା ଯାଏଁ କଥା ଗଲା । ଏବେ ପ୍ରଶ୍ନ ଉଠୁଛି ଯେ, ଭିଡିଓରେ କଣ ଥିଲା ଯାହା ଜଣେ କ୍ୟାମେରାମ୍ୟାନ ମୃତ୍ୟୁର କାରଣ ହେଲା ।

କ୍ୟାମେରାମ୍ୟାନ ଅପହରଣ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଖୋଜୁଛି ପୋଲିସ । ପୋଲିସକୁ ମିଳିଥିବା ସୂଚନା ଅନୁସାରେ କିଛି ଆପତିଜନକ ଭିଡିଓ ହିଁ ହତ୍ୟାକାଣ୍ଡର କାରଣ । କୁହାଯାଉଛି ୱେବ ପୋର୍ଟାଲ ଆଳରେ ଅଶ୍ଳୀଳ ପିଲ୍ମର ଶୁଟିଂ ସହ ପ୍ରଭାବଶାଳୀଙ୍କୁ ବ୍ଲାକମେଲ କରି ଟଙ୍କା ରୋଜଗାର କରୁଥିଲେ ମାଲିକାଣୀ । ଆଉ ଏହି କଳା କାରନାମାକୁ ଲୁଚାଇବା ପାଇଁ ବୃଦ୍ଧାଶ୍ରମକୁ ଢାଲ କରାଯାଇଥିଲା । ଯାହାକୁ ସ୍ୱୀକାର କରିଛନ୍ତି ଦୟାଲ ଆଶ୍ରମର କେୟାର ଟେକର ।

ଖବର ପ୍ରସାରଣ ସଂସ୍ଥା ନାଁରେ ଶର୍ମିଷ୍ଠା ଅନେକ ନାମୀଦାମୀ ବ୍ୟକ୍ତି ବିଶେଷଙ୍କ ସହ ମଧ୍ୟ ସଂପର୍କ ଗଢିଥିଲେ । ଅନେକ ରାଜନେତାଙ୍କ ସହ ତାଙ୍କର ଫଟୋ ଏବେ ସାମ୍ନାକୁ ଆସିବାରେ ଲାଗିଛି । ଚର୍ଚ୍ଚା ହେଉଛି, ପ୍ରଭାବଶାଳୀଙ୍କୁ ହାତବାରିସି ସଜାଇ ବେଶ ଫାଇଦା ହାସଲ କରିଥିଲା ଏହି ସଂସ୍ଥା । ଭିଡିଓର ଦିଗକୁ ନେଇ ପୁଲିସ ଅନୁସନ୍ଧାନ ଅନେକ ପ୍ରଶ୍ନ ତିଆରି କରିଛି ।

– କାହାକୁ ନେଇ ଭିଡିଓ ତିଆରି କରୁଥିଲେ ଶର୍ମିଷ୍ଠା?

– କୈାଣସି ରାଜନେତାଙ୍କର ଆପତ୍ତିଜନକ ଭିଡିଓ ତାଙ୍କ ନିକଟରେ ଥିଲା କି?

– ନେତାଙ୍କ ଭିଡିଓ ସୁଟ୍ କରି କରୁଥିଲେ କି ବ୍ଲାକମେଲିଂ?

– ବିବାଦୀୟ ଭିଡିଓ ଏବେ କାହା ନିକଟରେ ରହିଛି?

ଖୁବ କମ ଦିନରେ ଶର୍ମିଷ୍ଠା ରାଉତଙ୍କ ୱେବ ପୋର୍ଟାଲ ଅନେକ ସରକାରୀ ସୁବିଧା ହାତେଇଥିବାର ପ୍ରମାଣ ମଧ୍ୟ ପୋଲିସର ହସ୍ତଗତ ହୋଇଛି । ଏପରିକି ସଚିବାଳୟ ଓ ବିଧାନସଭାର ଅନୁମତି ପତ୍ର ମଧ୍ୟ ଏହି ମାଲିକାଣୀଙ୍କୁ ଦିଆଯାଇଥିଲା । ତେଣୁ ଏବେ ପ୍ରଶ୍ନ, କେଉଁ ପ୍ରଭାବଶାଳୀ ବ୍ୟକ୍ତି ଶର୍ମିଷ୍ଠାଙ୍କ ସହ ସମ୍ପର୍କରେ ଥିଲେ ତାହାର ଖୋଳତାଡ କରିବ କି ପୋଲିସ ?