କାହିଁକି ଥାନାକୁ ଯାଇଥିଲେ ରାଇମୋହନ? ମୃତ୍ୟୁର ଚାରି ଦିନ ପରେ ଆତ୍ମହତ୍ୟାର ରହସ୍ୟ ଉପରୁ ଉଠୁନି ପରଦା

307

କନକ ବ୍ୟୁରୋ: ସମୟ ଗଡୁଛି, ସନ୍ଦେହ ବଢୁଛି । ମୃତ୍ୟୁକୁ ୫ ଦିନ ବିତିଯାଇଥିଲେ ବି ରାଇମୋହନ କାହିଁକି ଆତ୍ମହତ୍ୟା କଲେ ତାହା ଏବେ ବି ସ୍ପଷ୍ଟ ହୋଇପାରିନାହିଁ । ବରଂ ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ସବୁଠାରୁ ବଡ ଦିଗ ହେଉଛି ମୃତ୍ୟୁର କିଛି ଦିନ ପୂର୍ବରୁ ରାଇମୋହନ ମଂଚେଶ୍ୱର ଥାନାକୁ ଯାଇଥିଲେ ବୋଲି ପୁଲିସ ସ୍ପଷ୍ଟ କରିଛି, ଯାହାକୁ ନେଇ ଅନେକ ପ୍ରଶ୍ନ ଏବେ ମୁଣ୍ଡ ଟେକିଛି ।

-ମୃତ୍ୟୁର କିଛି ଦିନ ପୂର୍ବରୁ କାହିଁକି ଥାନାକୁ ଯାଇଥିଲେ ରାଇମୋହନ ?
-ଥାନାରେ କାହା ସହିତ ସମସ୍ୟା ବିଷୟରେ ଆଲୋଚନା କରିଥିଲେ?
-ଥାନାବାବୁ ରାଇମୋହନଙ୍କ ଅଭିଯୋଗକୁ ଗ୍ରହଣ କରିଥିଲେ କି?
-ଥାନାରେ କୌଣସି ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା କି?
-ପୁଲିସ ବିବାଦର ସମାଧାନ କରିବାକୁ ଉଦ୍ୟମ କରିଥିଲା କି?

ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତିଙ୍କ ସହ ବିବାଦ ଯୋଗୁଁ ଥାନାକୁ ଯାଇଥିଲେ ରାଇମୋହନ । ଏହା ପରେ ଥାନା ଅଧିକାରୀ ଉଭୟଙ୍କୁ ଥାନାକୁ ଡାକି ସମାଧାନର ବାଟ ବାହାର କରିଥିଲେ । ପରେ ବିବାଦକୁ ନେଇ ଥାନାରେ ଆପୋଷ ବୁଝାମଣା ହୋଇଥିଲା । କିନ୍ତୁ ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ ହୋଇଥିବାରୁ ଡିସିପି ଏ ବାବଦରେ ଗଣମାଧ୍ୟମରେ କିଛି କହିବାକୁ ମନା କରିଛନ୍ତି ।

କମିଶନରେଟ ପୁଲିସର ହସ୍ତଗତ ହୋଇଛି ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ । ରଶିରେ ଝୁଲିପଡ଼ିବାରୁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ଅଛି । ଏବେ ଭିସେରା ଟେଷ୍ଟ ପାଇଁ ଏସଏଫଏସଏଲକୁ ନମୂନା ପଠାଯାଇଛି । ତେବେ କାହିଁକି ସେ ଆତ୍ମହତ୍ୟା କଲେ ତାହା ଏବେ ବି ରହସ୍ୟଘେରରେ ରହିଛି ।