ଅସହାୟ ମୁଖ୍ୟମନ୍ତ୍ରୀ, ଜିଦରେ ବିଦ୍ରୋହୀ: ଆଜି ପୁଣି ଆଲୋଚନା ପାଇଁ ଅସନ୍ତୁଷ୍ଟ ବିଧାୟକଙ୍କ ଉଦ୍ଧବଙ୍କ ଭାବବିହ୍ୱଳ ଅପିଲ

169

କନକ ବ୍ୟୁରୋ: ଶିିବସେନାର ବିଦ୍ରୋହୀ ବିଧାୟକମାନେ ସେମାନଙ୍କ ସମର୍ଥନ ପ୍ରତ୍ୟାହାର କରିବା ପରେ ଏବେ ଅସହାୟ ହୋଇପଡିଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ଥରେ ଭାବବିହ୍ୱଳ ନିବେଦନ କରିଛନ୍ତି । ବିଦ୍ରୋହୀ ବିଧାୟକଙ୍କୁ ଅପିଲ କରି କହିଛନ୍ତି, ଆଲୋଚନା ମାଧ୍ୟମରେ ବାହାରିପାରିବ ସମାଧାନର ବାଟ । ବିଧାୟକମାନେ କେବଳ ତାଙ୍କ ସହ କଥା ହେବା ଆବଶ୍ୟକ । ଜାରି କରିଥିବା ବାର୍ତାରେ କହିଛନ୍ତି,

ପରିବାରର ମୁଖ୍ୟ ଭାବରେ ମୋତେ ଆପଣମାନଙ୍କ ଚିନ୍ତା ଘାରିଛି । ଆପଣମାନଙ୍କୁ କିଛି ଦିନ ହେବ ବନ୍ଦୀ ଭାବରେ ଗୁଆହାଟିରେ ରଖାଯାଇଛି । ଆପଣମାନଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଆପଣଙ୍କ ମଧ୍ୟରୁ କେତେଜଣ ମୋ ସମ୍ପର୍କରେ ଅଛନ୍ତି । ଆପଣମାନେ ଏବେ ବି ହୃଦୟରୁ ଶିବସେନା ସହ ଅଛନ୍ତି । ଏବେ ବି ବହୁତ ବିଳମ୍ବ ହୋଇନାହିଁ । ଆପଣମାନେ ମୁମ୍ବାଇ ଆସି ମୋ ସହ ବସି ଆଲୋଚନା ମାଧ୍ୟମରେ ଆଶଙ୍କାକୁ ଦୂର କରନ୍ତୁ । ଏକାଠି ବସି ଆଲୋଚନା କଲେ ନିଶ୍ଚିତ ଭାବରେ ସମାଧାନର ବାଟ ବାହାରିବ । ଶିବସେନା ଆପଣମାନଙ୍କୁ ଯେଉଁ ଆଦର ସମ୍ମାନ ଦେଇଛି ଅନ୍ୟ କୌଣସି ସ୍ଥାନରେ ମିଳିବ ନାହିଁ ।

ପୂର୍ବରୁ ମଧ୍ୟ ସମାନ ଅପିଲ କରିଥିଲେ ଉଦ୍ଧବ ଠାକରେ । କହିଥିଲେ ଶିବସେନା ବିଧାୟକମାନେ ତାଙ୍କୁ କହିଲେ ସେ ମୁଖ୍ୟମନ୍ତ୍ରୀ ପଦ ଓ ପାର୍ଟି ପ୍ରମୁଖ ପଦ ଛାଡିବା ପାଇଁ ପ୍ରସ୍ତୁତ । ଏଥିପାଇଁ ମୁମ୍ବାଇ ଆସି ତାଙ୍କ ସହ ଆଲୋଚନା କରନ୍ତୁ । ହେଲେ, ମାନି ନଥିଲେ ସିନ୍ଦେ ଗୋଷ୍ଠୀ ।

ଗୁଆହାଟିରେ ଡେରା ପକାଇଥିବା ବିଦ୍ରୋହୀ ଗୋଷ୍ଠୀର ନେତା ଏକନାଥ ସିନ୍ଦେ କହିଛନ୍ତି, ସେମାନେ ଆଜି ବି ଶିବସେନାରେ ଅଛନ୍ତି ଏବଂ ବାଲାସାହେବଙ୍କ ବିଚାରଧାରାକୁ ଆଗକୁ ନେବା ପାଇଁ ପ୍ରୟାସ କରୁଛନ୍ତି ।

ମହାରାଷ୍ଟ୍ରର ମହାମେଂଟ ସରକାର ସଂଖ୍ୟା ଲଘୁ ହୋଇଯିବା ପରେ, ସରକାର ଗଢ଼ିବା ପାଇଁ ଭିତରେ ଭିତରେ ପ୍ରୟାସକୁ ଜୋରଦାର କରିଛି ବିଜେପି । ବିଜେପି ନେତା ଘନ ଘନ ବୈଠକ କରିବା ସହ ସହର ଛାଡି ନଯିବାକୁ ବିଧାୟକମାନଙ୍କ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଦିଲ୍ଲୀ ଯାଇ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜେ.ପି ନଡ୍ଡ୍ାଙ୍କୁ ଭେଟିଛନ୍ତି । ଶିବସେନାର ବିଦ୍ରୋହୀ ବିଧାୟକଙ୍କ ସହ ମିଶି ରବିବାର ସୁଦ୍ଧା ବିଜେପି ସରକାର ଗଢିବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏପର୍ଯ୍ୟନ୍ତ ସରକାର ଗଢ଼ିବା ନେଇ ସମ୍ପୂର୍ଣ୍ଣ କାର୍ଡ ଖୋଲିନି ବିଜେପି ।

ଉଦ୍ଧବ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବା ସ୍ପଷ୍ଟ ହୋଇଥିଲେ ବି ଅତି ଚତୁରତାର ସହ ଆଗକୁ ବଢ଼ୁଛନ୍ତି ଉଭୟ ଶିବସେନାର ବିଦ୍ରୋହୀ ଗୋଷ୍ଠୀ ଓ ବିଜେପି । ଏମାନେ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ନଆଣି ଛୋଟ ପାର୍ଟିର ବିଧାୟକଙ୍କ ଜରିଆରେ ଏନେଇ ରାଜ୍ୟପାଳଙ୍କୁ ଚିଠି ଲେଖିବା ପାଇଁ ଯୋଜନା କରୁଛନ୍ତି ।

ସରକାର ବିରୋଧରେ ଅନାସ୍ଥାପ୍ରସ୍ତାବ ଆସିଲେ ଏହା ପୁଣି ଥରେ ସୁପ୍ରିମକୋର୍ଟକୁ ଯିବା ଏକ ପ୍ରକାର ଥୟ । କାରଣ ସୋମବାର ଶୁଣାଣି ବେଳେ ମହାରାଷ୍ଟ୍ର ସରକାରଙ୍କ ଓକିଲ ଏହି ପ୍ରସଙ୍ଗ ଉଠାଇଥିଲେ । କିନ୍ତୁ ଖଣ୍ଡପୀଠ କହିଥିଲେ ଏବେ ଅନାସ୍ଥା ପ୍ରସ୍ତାବ ଆସିନଥିବାରୁ କୌଣସି ରାୟ ଦେଇପାରିବେ ନାହିଁ । ଆସିଲେ କୋର୍ଟରେ ଆବେଦନ କରିପାରିବେ ସରକାର । ଅର୍ଥାତ ଆହୁରି ଲମ୍ବା ଲବେ ମହାରାଷ୍ଟ୍ର ଲଢ଼େଇ ।