ବିଜେପୁର ପରୀକ୍ଷା ! ପୁଣି ଶୁଭିଲା ‘ଶଙ୍ଖ’ । କାହିଁକି ଫୁଟିଲାନି ‘ପଦ୍ମ’ ? ଫଳ ବାହାରିଲା, ଚର୍ଚ୍ଚା ବଢ଼ିଲା ।

ପୁଣି ବିଜେପୁରରେ ଶୁଭିଲା ‘ଶଙ୍ଖ’ । ବହୁତ ଚେଷ୍ଟା କରି ମଧ୍ୟ ଫୁଟିଲାନି ‘ପଦ୍ମ’ । ବିରୋଧୀଙ୍କୁ ଏମିତି ପଛରେ ପକାଇଲା ବିଜେଡି ଯାହା କୌଣସି ବିଧାନସଭା ନିର୍ବାଚନରେ ଦେଖିବାକୁ ପାଇନଥିଲେ ରାଜ୍ୟବାସୀ ।

925

କନକ ବ୍ୟୁରୋ: ପୁଣି ବିଜେପୁରରେ ଶୁଭିଲା ‘ଶଙ୍ଖ’ । ବହୁତ ଚେଷ୍ଟା କରି ମଧ୍ୟ ଫୁଟିଲାନି ‘ପଦ୍ମ’ । ବିରୋଧୀଙ୍କୁ ଏମିତି ପଛରେ ପକାଇଲା ବିଜେଡି ଯାହା କୌଣସି ବିଧାନସଭା ନିର୍ବାଚନରେ ଦେଖିବାକୁ ପାଇନଥିଲେ ରାଜ୍ୟବାସୀ । ଇତିହାସ ରଚିଲେ ରୀତା, ରେକର୍ଡ ସଂଖ୍ୟକ ଭୋଟ୍ ବ୍ୟବଧାନରେ ବିରୋଧଙ୍କୁ କଲେ ଚିତ୍ । ତେବେ ବିଜେଡିର ବିପୁଳ ବିଜୟ ପରେ ଏବେ ଗେରୁଆ କ୍ୟାମ୍ପରେ ଖେଳିଯାଇଛି ନୀରବତା । କାରଣ ବିଜେପୁରରେ ‘ପଦ୍ମ’ର ଶୋଚନୀୟ ପରାଜୟ ବିଜେପି ଶିବିରକୁ ସ୍ତବ୍ଧ କରିଦେଇଛନ୍ତି ।

ତେବେ ବିଜେପୁରରେ ବିଜେପିର ଏଭଳି ପରାଜୟ କାହିଁକି ହେଲା ଏବଂ କେଉଁ କାରଣରୁ ବିଜେପି ବିଫଳ ହେଲା ସେନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଅଙ୍କ କଷା । ପ୍ରଥମ କାରଣ- ବିଜେପୁର ବିଜେପିରେ ଅର୍ନ୍ତକନ୍ଦଳ ଦଳକୁ ଏଭଳି ପରାଜୟ ଆଣିଦେଇଥିବା ଚର୍ଚ୍ଚା ହେଉଛି । ସେହିପରି ୨୦୧୮ ଉପ-ନିର୍ବାଚନରେ ବିଜେପି ପାଇଁ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ଭୋଟ୍ ପଡ଼ିବାର କିଛି ଦିନ ପୂର୍ବରୁ ବିଜେପିକୁ ବାଏ ବାଏ କହିଥିଲେ ।

କେବଳ ଏତିକି ନୁହେଁ ବିଜେପୁର ବ୍ୟାଟେଲ୍ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଥିବା ଅନେକ କେନ୍ଦ୍ରମନ୍ତ୍ରୀ ତଥା କେନ୍ଦ୍ରୀୟ ନେତାମାନେ ବିଜେପୁର ମାଟି ମାଡ଼ିଲେନି । ଏହାସହ ଦଳୀୟ ଅର୍ନ୍ତକନ୍ଦଳକୁ ସମାଧାନ ନକରି ବିଜେପୁର ବିଜେପିର ଫାଟ ଅଧିକ ସମସ୍ୟା ବଢ଼ାଇଲା ଯାହା ବିଜେପିକୁ ବ୍ୟାକଫୁଟକୁ ନେଲା ଆଉ ଏଭଳି ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଲା ବୋଲି ବିଜେପୁରରୁ ଭୁବନେଶ୍ୱ ଚା’ଖଟିରେ ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପଟେ ବିଜେଡି ଯେଉଁ ଦମ୍ଭୋକ୍ତି ବାଢ଼ିଥିଲା ତାହାକୁ ବାସ୍ତବରେ ପରିଣତ କଲା । ଆଉ ୯୭ ହଜାର ୯୯୪ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେପୁରରେ ହ୍ୟାଟ୍ରିକ୍ ମାରି ବିରୋଧୀଙ୍କୁ ଚିତ୍ ପଟାଙ୍ଗ କରିଦେଲେ ବିଜେଡି ପ୍ରାର୍ଥୀ ରୀତା ସାହୁ । ତେବେ କେଉଁ କେଉଁ ପ୍ରସଙ୍ଗ ନେଇ ଶଙ୍ଖର ସଫଳତା ପାଇଲା ସେନେଇ ଚାଲିଛି ଚର୍ଚ୍ଚା ଆଲୋଚନା । ବିଶେଷ ଭାବେ ନବୀନ ଫ୍ୟାକ୍ଟର ବିଜେପୁରରେ ବଡ଼ ଭୂମିକା ନେଇଥିବା କୁହାଯାଉଛି । ଏପରିକି ନିର୍ବାଚନ ପୂର୍ବରୁ ଏବଂ ବିଜେଜପୁର ବିଧାୟକ ପଦବୀ ଛାଡ଼ିବା ପରେ ବିଜେପୁରବାସୀଙ୍କ ପାଇଁ ନବୀନଙ୍କ ପ୍ୟାକେଜ୍ ଭୋଟରଙ୍କ ମନଜିଣିପାରିଥିଲା ।

ତେବେ ବିଜେପୁରକୁ ସାଧାରଣ ନିର୍ବାଚନରେ ନବୀନଙ୍କୁ ଯେଉଁଭଳି ସମର୍ଥନ ଦେଇଥିଲେ ବିଜେପୁର ବାସୀ ତା’ଠୁ ଅଧିକ ଆଶୀର୍ବାଦ ରୀତା ସାହୁଙ୍କ ଉପରେ ଅଜାଡ଼ିଦେଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ବିରୋଧୀଙ୍କ ଷ୍ଟାର ପ୍ରଚାରକ ତାଲିକାର ଶୀର୍ଷନେତାମାନେ ବିଜେପୁର ପ୍ରଚାର ପାଇଁ ମାଟି ମାଡ଼ିନଥିବାବେଳେ ବିଜେଡି ସୁପ୍ରିମୋଙ୍କ ଦୁଇ ଦିନିଆ ମାରାଥନ୍ ସୋ’ ଲୋକଙ୍କ ବିଶ୍ୱାସ ଜିତିପାରିଲା । ତେଣୁ ଏଭଳି ବିପୁଳ ଭୋଟ୍ ଏବଂ ରେକର୍ଡ କରି ରୀତା ‘ଶଙ୍ଖ’ନାଦ କଲେ ବୋଲି ଚର୍ଚ୍ଚା ହେଉଛି ।