ନିଆଳିର ବୃକ୍ଷ ମଣିଷ : ଗଛଟିଏ ମରିଗଲେ ଛୋଟ ପିଲାପରି ଦୁଃଖରେ କାନ୍ଦିପକାନ୍ତି, ସରକାରୀ ଚାକିରୀକୁ ତୁଚ୍ଛ କରି ପ୍ରତିଦିନ ଗଛ ଲଗାଉଛନ୍ତି ପ୍ରକୃତିପ୍ରେମୀ ତ୍ରିଲୋଚନ

903

କନକ ବ୍ୟୁରୋ : ଗଛ ପାଇଁ ଦରଦୀ ବନ୍ଧୁ । ଗଛଟିଏ ମରିଗଲେ ଆଖିରୁ ଲୁହ ଝରିପଡ଼େ । ଛୋଟ ପିଲାପରି କଇଁ କଇଁ କାନ୍ଦିପକାନ୍ତି । ଗଛକୁ ଖୁବ୍ ଭଲପାଆନ୍ତି, ଚାରା ଲଗାନ୍ତି । ଗଛ ଲଗାଇବ ତାଙ୍କର ନିଶା ଯୋଗୁ ସରକାରି ଚାକିରୀ ଛାଡ଼ିଲେ  । ପ୍ରକୃତିପ୍ରେମରେ ଏତେ ପାଗଳ ଯେ ଟଙ୍କାପଇସାକୁ ତୁଚ୍ଛ କରିଛନ୍ତି କଟକ ନିଆଳିର ତ୍ରିଲୋଚନ । ଚାକରୀ ଛାଡ଼ିବା ପରେ ବୃକ୍ଷରୋପଣ କରି ଜୀବନ ବିତାଉଛନ୍ତି । ଦୁଇ ଦୁଇଟି ପ୍ରଳୟଙ୍କରୀ ବାତ୍ୟା ନିଆଳି ଅଞ୍ଚଳରର ସୌନ୍ଦର୍ଯ୍ୟ ନଷ୍ଟ କରିଛି । ସରକାର କିଛି କରିବା ଆଗରୁ ସେ ଗଛ ଲଗାଇବାରେ ନିଜକୁ ସମର୍ପିତ କରିଛନ୍ତି । ପ୍ରକୃତି ସେବାକୁ ଜୀବନର ପରମ ବ୍ରତଭାବେ ଗ୍ରହଣ କରି ସେ ଆଜି ପାଲଟି ଯାଇଛନ୍ତି ଜଣେ ବୃକ୍ଷ ମଣିଷ ।

ଏ ହେଉଛନ୍ତି କଟକ ଜିଲ୍ଲା ନିଆଳି ବ୍ଲକ ବିଳାସୁଣୀ ଗାଁର ୬୩ ବର୍ଷୀୟ ତ୍ରିଲୋଚନ ରାଜ୍ । ପିଲାଟି ଦିନରୁ ଗଛ ସଉକିଆ । ଗଛକୁ ଭଲ ପାଉଥିବା ମଣିଷଟିଏ । କିଏ ଡାକେ ଗଛ ମଣିଷ, କିଏ ଡାକେ ଗଛ ପାଗଳ । ଆଜିକା ସମୟରେ ସମସ୍ତେ ଟଙ୍କା ପଛରେ ପାଗଳ ଥିବାବେଳେ ସେ ଚାକିରୀ ଛାଡ଼ି ଗଛ ଲଗାଉଛନ୍ତି । ଓଡ଼ିଶା ହସ୍ତତନ୍ତ ବିଭାଗରେ ଭଲ ଦରମାରେ ଚାକିରି କରିଥିଲେ ତ୍ରିଲୋଚନ । ହେଲେ ତାଙ୍କର ଗଛ ଲଗାଇବାର ନିଶା ଆଗରେ ବାଧକ ସାଜିଥିଲା ସରକାରୀ ଚାକିରି । ଅନ୍ୟମାନଙ୍କ ଦେହରେ ଗଲାନି । ତାଙ୍କୁ କଲିକତା ବଦଳି କରିଦିଆଗଲା । ଗଛ ପାଗଣ ମଣିଷ ଜଣକ ବାଧ୍ୟ ହୋଇ  ୨୦୦୬ରେ ଭିଆରଏସ୍ ନେଇଗଲେ । ସେହିଦିନ ଠାରୁ ବୃକ୍ଷ ରୋପଣରେ ମନ ଲଗାଇଛନ୍ତି  ।

ଏପରି ମଣିଷ  ଆପଣ କେବେ ଦେଖିନଥିବେ । ଗଛ ବଞ୍ଚିଲେ ଆମେ ବଞ୍ଚିବା ଉକ୍ତି ସାର୍ଥକ କରି ପ୍ରତିଦିନ ସକାଳ ହେଲେ ଗଛ ଲଗାଇବା ପାଇଁ ବାହାରି ଯାଆନ୍ତି । ସେ ତାଙ୍କ ଗାଁ ନିକଟସ୍ଥ ପ୍ରାୟ ୨୨ କିମି ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଗଛ ଲଗାଇଛନ୍ତି । କେବଳ ରାସ୍ତା କଡ଼େ କଡ଼େ ନୁହେଁ ସ୍କୁଲ, ମଶାଣୀ, ପୋଖରୀ  ଯେଉଁଠିକି ଯାଆନ୍ତି ଗଛ ପୋତି ପକାନ୍ତି ।  ଚାକୁଣ୍ଡା, ଅସନ, କୁରୁମ , ବେଲ, ଇବ, ଓସ୍ତ, କଦମ୍ବ ଅନେକ ପ୍ରକାର ଗଛକୁ ନିଜ ହାତରେ ବଢ଼ାଇଛନ୍ତି ସେ  । ତ୍ରିଲୋଚନ କେବଳ ଯେ ଗଛ ଲଗାଇ ଦିଅନ୍ତି ତା’ ନୁହେଁ ଗଛ ବଂଚାଇବା ପାଇଁ ସବୁବେଳେ ଚେଷ୍ଟା ଚଳାଇ ଥାଆନ୍ତି । ନିଜ ଛାତରେ ଚାରା ରୋପଣ କରନ୍ତି । ଆଉ ଟିକିଏ ବଡ଼ ହୋଇଗଲେ ବିଭିନ୍ନ ସ୍ଥାନରେ ନେଇ ପୋତି ଦିଅନ୍ତି ।

ଗଛ ବଢ଼ିଲେ ଅପୂର୍ବ ଶାନ୍ତି ପାଆନ୍ତି ତ୍ରିଲୋଚନ । ପ୍ରକୃତି ଗହଣରେ ସେ ଖୁବ ଆନନ୍ଦିତ ଅନୁଭବ କରନ୍ତି । ସବୁଜ ପରିବେଶ ତାଙ୍କୁ ଯେପରି କିମିଆ କରିଛି । ବୃକ୍ଷପ୍ରେମୀ ତ୍ରିଲୋଚନଙ୍କ ପରିବେଶ ପ୍ରତି ଭଲପାଇବା ଅନ୍ୟ ମାନଙ୍କ ପାଇଁ ପ୍ରେରଣା । ତାଙ୍କର ଏହି ନିଆରା ନିଶା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । ତେବେ ସରକାରଙ୍କ ପକ୍ଷରୁ ଅଧିକ କିଛି ସାହାଯ୍ୟ ମିଳିଲେ ସେ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ଦାବି କରାଯାଉଛି ।