ଗଜପତି ଗୁମାରେ ଧସିଲା ପାହାଡ, ଖସିଲା ମାଟି ଅତଡା । ମାଟିରେ ମିଶିଲା ୨୦ଘର, ଅଳ୍ପକେ ବର୍ତିଲେ ଲୋକ ।

477

କନକ ବ୍ୟୁରୋ : ଲଗାଣ ବର୍ଷାରେ ଗଜପତିରୁ ଆସିଛି ଭୟଙ୍କର ଚିତ୍ର । ଦୁଇ ଦିନର ଲଗାଣ ବର୍ଷାରେ ଧସିଲା ପାହାଡ, ଖସିଲା ମାଟି ଅତଡା । ଏହା ଫଳରେ ଭାଙ୍ଗିଛି ୨୦ରୁ ଅଧିକ ଘର । ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ କୁଲଙ୍ଗ ଗାଁ ନିକଟରେ ଥିବା ମୁଖଲିଙ୍ଗ ପାହାଡ ନିକଟରେ ଦେଖିବାକୁ ମିଳିଛି ଏଭଳି ଲୋମଟାଙ୍କୁରା ଦୃଶ୍ୟ । ୨୦ଟି ଘର ପୁରା ନଷ୍ଟ ହୋଇଯାଇଛି । ଏହା ସହ ୧୫୦ରୁ ଅଧିକ ଗାଇଗୋରୁ ଏବଂ ଛେଳିଙ୍କ ଜୀବନ ଯାଇଛି ।

କହିବାକୁ ଗଲେ ବର୍ଷା ପରେ ପରେ ସତେ ଯେମିତି ମୃତ୍ୟୁ ମାଡି ଆସିଛି । ଘଟଣା ସ୍ଥଳରେ ସରପଂଚ, ବିଡ଼ିଓ ଏବଂ ଜିଲ୍ଲା ପରିଷଦ ସଭ୍ୟ ପହଂଚି ଲୋକଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଛନ୍ତି । ସୌଭାଗ୍ୟବଶତଃ ଏହି ପାହାଡ଼ ଧସିବାରେ କୌଣସି ଲୋକ ମୃତାହତ ହୋଇନାହାନ୍ତି । ପ୍ରାୟ ୮୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ରାଜ୍ୟରେ ଦୁଇ ଦିନ ହେଲା ଲଗାଣ ବର୍ଷା ଲାଗି ରହିବା ଦ୍ୱାରା ଏହାର ପ୍ରଭାବରେ ପାହାଡ଼ ଧସିଥିବା ଜଣାପଡ଼ିଛି ।