ଧାମନଗରରେ କିଏ ଭାଙ୍ଗୁଛି ଆଚରଣ ବିଧି? ନିର୍ବାଚନ କମିଶନରେ ଫେରାଦ ବିଜେପି, ବିଜେଡି।

57

କନକ ବ୍ୟୁରୋ: ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେଡି । ଦଳର ସାଂସଦ ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକ ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟି ବିଜେପି ବିରୋଧରେ ଅଭିଯୋଗ କରିଛନ୍ତି । ଧାମନଗରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲାବେଳେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କିଛି ପ୍ରତିଶ୍ରୁତି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଭାବେ ସେ ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ ।

ଦିଲ୍ଲୀ ସମେତ ଭୁବନେଶ୍ୱର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଭେଟି ଫେରାଦ ହୋଇଛି ବିଜେଡି । ସମାନ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ ଫେରାଦ ହୋଇଛି ଦଳ । ବାରମ୍ବାର ବିଜେପି ଆଦର୍ଶ ଆଚରମ ବିଧିର ଉଲ୍ଲଂଘନ କରୁଥିବା କହିଛନ୍ତି ବିଜେଡି ନେତା ଲେନିନ ମହାନ୍ତି ।

ଭୋଟ୍ ରାଜନୀତିରେ ଜେରଦାର ହୋଇଛି ଦୋଷ ଲଦାଲଦି । ଧାମନଗରରେ ଟଙ୍କା ବଣ୍ଟା ଅଭିଯୋଗ ନେଇ ପୁଣିଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପହଞ୍ଚିଛି ବିଜେପି ପ୍ରତିନିଧି ଦଳ । ରାମାନୁଜ ଏସଏଚଜି ଗ୍ରୁପର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ସାହୁ ତିହିଡି ବ୍ଲକ ପାଳିଆବିନ୍ଧା ଗାଁରେ ୪ ହଜାର ଟଙ୍କାକୁ ୧୨ ଜଣ ସଦସ୍ୟାଙ୍କ ଭିତରେ ବାଣ୍ଟିଦେବାକୁ କୁହାଯାଇଥିବା ଏକ ଭିଡିଓରେ କହୁଥିବା ଅଭିଯୋଗ କରିଛି ବିଜେପି । ଶାସକ ଦଳ ଧାମନଗର ଉନିର୍ବାଚନ ଜିତିବା ପାଇଁ ଏସଏଚଜି ମହିଳାଙ୍କୁ ବ୍ୟବହାର କରୁଥିବା ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି ।

ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ଧାମନଗରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ ରାଲି କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହି ରାଲିରେ ଅଧିକ ସଂଖ୍ୟାରେ ମହିଳାଙ୍କୁ ଯୋଡିବା ପାଇଁ ଏସଏଚଜି ମହିଳାମାନଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ କରିଛି ବିଜେପି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଧ୍ୟ ଭଦ୍ରକରେ ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି ।

ଧାମନଗର ନିର୍ବାଚନ ମଣ୍ଡଳୀ ପୂର୍ବରୁ ବିଜେପି ଦଖଲ ଥିବାରୁ ଏହି ଆସନରେ ଉପନିର୍ବାଚନରେ ଜିତିବା ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଅନ୍ୟପଟେ ଉପନିର୍ବାଚନରେ ବିଜୟଧାରାକୁ ବଜାୟ ରଖିବାକୁ ସବୁ ବଳ ଖଟାଇ ଦେଇଛି ବିଜେଡି । ତେଣୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକୁ ନେଇ ଦୁଇଦଳ ଭିତରେ ଦୋଷ ଲଦାଲଦି ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ।