ହରର୍ବାଲ ଜୁସ୍ ପ୍ରତି ବଢୁଛି ଗ୍ରାହକଙ୍କ ଚାହିଦା, ୟୁଟ୍ୟୁବ ଦେଖି ପ୍ରସ୍ତୁତ ଶିଖିଥିଲେ ଏହି ଯୁବକ

121

କନକ ବ୍ୟୁରୋ : ସକାଳୁ ସକାଳୁ ଜମୁଛି ହରବାଲ ଜୁସ ସେଂଟରରେ ଭିଡ । ଚା’ ବଦଳରେ ହରବାଲ ଜୁସ ପିଇବାକୁ ପସନ୍ଦ କରୁଛନ୍ତି ଲୋକେ । ସକାଳୁ ମର୍ଣିଙ୍ଗ ୱାକ୍ ପରେ ଚା’ ଦୋକାନ ଛାଡି ହର୍ବାଲ ଜୁସ ପିଇବା ପାଇଁ ଭିଡ ଜମାଉଛନ୍ତି ଲୋକେ । ଏହି ଜୁସ ସେଂଟରରେ ଆଲୋଭେରା, ଲାଉ, କଲରା, ଅଁଳା ପରି ୧୬ ପ୍ରକାରର ଜୁସ ଉପଲବ୍ଧ ହେଉଛି । ଏହା ସହ ଗଙ୍ଗଶିଉଳି, ଗିଲୋଏ, ପୁଦିନା, ବ୍ରାହ୍ମୀ, ଦୁବ ଘାସ, ନିମ୍ବ ଚିରୋତା, ଅର୍ଜୁନ ଗଛର ଛେଲି, ଗାଜର, ହଳଦି, କାକୁଡିକୁ ନେଇ ପ୍ରସ୍ତୁତ ହୋଉ ଥିବା ମିକ୍ସ ଜୁସର ରହିଛି ଅଧିକ ଚାହିଦା ।

ଆୟୁର୍ବେଦରେ ମଧ୍ୟ ଏହି ହର୍ବାଲ ବା ଜଡିବୁଟି ରସର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ବିଶେଷ କରି ଉଚ୍ଚ ରକ୍ତ ଚାପ, ମଧୁମେହ ପରି ବହୁ ଦୁରାରୋଗ୍ୟ ରୋଗୀଙ୍କ ପାଇଁ ଏପରି ହରବାଲ ଜୁସ ରାମବାଣ ପ୍ରମାଣିତ ହୋଇଛି । ଘରେ ଘରେ ମଧ୍ୟ ଏହି ହର୍ବାଲ ଜୁସର ଆଦର ବଢି ଚାଲିଛି । ତେବେ ସକାଳ ଭ୍ରମଣ ପରେ ସହଜରେ ଏହି ଦୁର୍ଲଭ ଜଡିବୁଟି ରସ ବଜାରରେ ଉପଲବ୍ଧ ହୋଉଥିବାରୁ ପ୍ରାତଃ ଭ୍ରମଣକାରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ମାଲାନକଗିରି ଏମଭି ୯ ଗାଁ ର ଯୁବକ ବିଶ୍ୱଜିତ ଗୋସ୍ୱାମୀ ଲକ ଡାଉନ୍ ସମୟରୁ କାମ ଧନ୍ଧା ଅଭାବରେ ଘରେ ବସିଥିଲେ । ତେବେ ଆୟୁର୍ବେଦ ପ୍ରତି ବିଶ୍ୱଜିତଙ୍କର ପୂର୍ବରୁ ଦୁର୍ବଳତା ରହିଥିବାରୁ ଘରେ ବସି ୟୁ-ଟ୍ୟୁବରୁ ଏହି ସବୁ ଜୁସ୍ ପ୍ରସ୍ତୁତି ସିଖୁଥିଲେ ଏବଂ ନିଜେ ମଧ୍ୟ ବ୍ୟବହାର କରୁଥିଲେ । ଆଉ ଏବେ କିଛି ଅର୍ଥ ସଂଚୟ କରି ଗୋଟିଏ ଠେଲା ଗାଡିରେ ଏକ ଜୁସ ସେଂଟର କରିଛନ୍ତି ବିଶ୍ୱଜିତ । ଆଉ ଏହି ଦୁର୍ଲଭ ଜଡିବୁଟି ସବୁ ସଂଗ୍ରହ କରି ଜୁସ ପ୍ରସ୍ତୁତ କରି ୩୦ ଟଙ୍କା ପ୍ରତି ଗ୍ଲାସ ବିକ୍ରି କରି ଦୁଇ ପଇସା ରୋଜଗାର କରନ୍ତି ବିଶ୍ୱଜିତ ଗୋଶ୍ୱାମୀ ।

ଆଜିକା ଦିନରେ ଯୁବ ପିଢି କୋଲ୍ଡ ଡ୍ରିଙ୍କ୍ସ ଓ ବିଭିନ୍ନ ଥଣ୍ଡା ପାନୀୟ ପ୍ରତି ମନବଳାଉ ଥିବାବେଳେ ବିଶ୍ୱଜିତ୍ଙ୍କ ହର୍ବାଲ ଜୁସ୍ ସେଂଟର ସମସ୍ତଙ୍କର ଆକର୍ଷର କେନ୍ଦ୍ରବିନ୍ଦୁ ପାଲଟିଛି ।