ମୃଦଙ୍ଗ କାରିଗରଙ୍କ ଦୁଃଖ, ବର୍ଷରେ ମାତ୍ର ୨ମାସ କାମ ତ ୧୦ ମାସ ଦିନ ମଜୁରିଆ

88

କନକ ବ୍ୟୁରୋ : ହିନ୍ଦୁ ଧର୍ମରେ ମୃଦଙ୍ଗର ବହୁଳ ବ୍ୟବହାର ହୋଇଥାଏ । ନାମଯଜ୍ଞ, ଅଷ୍ଟପ୍ରହରୀ, ତ୍ରିନାଥ ମେଳା ସମେତ ବିଭିନ୍ନ ଶୁଭ ଓ ଅଶୁଭ କାମରେ ଏହାର ଆବଶ୍ୟକତା ରହିଛି । ତେଣୁ ଧାର୍ମିକ ଅୁନଷ୍ଠାନ ଓ ପୂଜା ମଣ୍ଡଳୀରେ ଏହି ବାଦ୍ୟ ରହିଥାଏ । ଏହାର ବହୁଳ ବ୍ୟବହାର ହେଉଥିଲେ ବି ମରାମତି ପାଇଁ କାରିଗରଙ୍କ ଅଭାବ ରହିଛି । ଥରେ ଏହି ବାଦ୍ୟ ଖରାପ ହେଲେ ବର୍ଷ ବର୍ଷ ଧରି ପଡ଼ିରହିଥାଏ । ତେବେ ବରଗଡ଼ ଜିଲ୍ଲାର ମୃଦଙ୍ଗ କାରିଗର ମାନେ ବର୍ଷକୁ ୨ ମାସ ଗୁଣୁପୁର ଆସି ମୃଦଙ୍ଗ ମରାମତି କରନ୍ତି । ପ୍ରାପ୍ୟ ପାଇଁ ନୁହେଁ ବରଂ କୌଳିକ ବୃତିକୁ ବଂଚାଇରଖିବା ପାଇଁ ଏହି କାମ କରୁଥିବା କହିଛନ୍ତି କାରିଗର ।

ବର୍ଷକୁ ଦୁଇ ମାସ ମୃଦଙ୍ଗ ମରାମତି ଓ ନିଜେ ପ୍ରସ୍ତୁତ କରିଥିବା ମୃଦଙ୍ଗ ବିକ୍ରି କରି କିଛି ରୋଜଗାର କରନ୍ତି କାରିଗର । ଆଉ ବାକି ୧୦ ମାସ ଦିନ ମଜୁରିଆ ଭାବେ କାଳ କାଟନ୍ତି । ପ୍ରାୟ ୧୫ ବର୍ଷ ହେଲା ଏହି କାରିଗର ମାନେ ବରଗଡ଼ ବରପାଲିରେ ମୃଦଙ୍ଗ ମରାମତି କରୁଛନ୍ତି । ଅକ୍ଟୋବର ଓ ନଭେମ୍ବର ମାସରେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରେ କାରିଗର ମାନେ ସେମାନଙ୍କ ବ୍ୟବସାୟ କରନ୍ତି । ଆଉ ଏମାନଙ୍କ ଆଗମନକୁ ଅପେକ୍ଷା କରିଥାଆନ୍ତି ଅଂଚଳବାସୀ । ୨ ମାସ ଭିତରେ ରାୟଗଡ଼ା, ଗଜପତି ତଥା ଆଖ ପାଖ ଅଂଚଳରେ ଲୋକେ ମୃଦଙ୍ଗ କିଣିବା ସହ ମରାମତି କରିଥାଆନ୍ତି । ଏହା ଦ୍ୱାରା କାରିଗର ମାନେ ମଧ୍ୟ ବେଶ ଉପକୃତ ହେଉଛନ୍ତି ।

କଂଚାମାଲର ଅଭାବ, କମ୍ ପାରିଶ୍ରମିକ ସତ୍ୱେ ବୃତି ଓ କର୍ତବ୍ୟରେ କେବେ ଅବହେଳା କରନ୍ତି ନାହିଁ କାରିଗର । ତେଣୁ ସେମାନଙ୍କୁ ପ୍ରୋତ୍ସାହନ ସହ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।