ଏକାଧିକ ମାମଲା, ୭୫ ହଜାର ଟଙ୍କା ପୁରସ୍କାର ଘୋଷଣା, ଦୀର୍ଘ ଦିନରୁ ଫେରାର… କେଉଁଠି ଅଛନ୍ତି ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କ ପତ୍ନୀ?

881

କନକ ବ୍ୟୁରୋ: ପୁରା ଉତ୍ତରପ୍ରଦେଶରେ ଆତଙ୍କ ଖେଳାଇଥିବା ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀର ମୃତ୍ୟୁ ପରେ ପୁରା ରାଜ୍ୟରେ ଉତ୍ତେଜନା ଦେଖାଦେବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ୧୪୪ ଧାରା ଜାରି ହୋଇଛି । ଏତେବେଳେ ପ୍ରଶ୍ନ ଉଠୁଛି କୁଆଡେ ଗଲେ ଅନସାରୀଙ୍କ ପତ୍ନୀ ଅଫଶାଂ ଅନସାରୀ?

ଦୀର୍ଘ ଦିନରୁ ଫେରାର ଅଛନ୍ତି ମୁଖତାର ଅନସାରୀଙ୍କ ପତ୍ନୀ ଅଫଶାଂ ଅନସାରୀ । ତାଙ୍କ ଉପରେ ପୋଲିସ ଘୋଷଣା କରିଛି ପାଖାପାଖି ୭୫ହଜାରର ପୁରସ୍କାର । ଦୀର୍ଘ ଦିନରୁ ଖୋଜା ଜାରି ରଖିଛି ପୋଲିସ । କାରଣ ଅଫଶାଂଙ୍କ ଉପରେ ରହିଛି ଏକାଧିକ ମାମଲା । ବିବାହ ପୂର୍ବରୁ ଅଫଶାଂଙ୍କ ନାଁ କୌଣସି ମାମଲା ନଥିଲା କିନ୍ତୁ ମୁଖତାରଙ୍କୁ ବିବାହ କରିବା ପରେ ସେ ମଧ୍ୟ ଗ୍ୟାଙ୍ଗଷ୍ଟର ସାମ୍ରାଜ୍ୟରେ ସାମିଲ ହୋଇଯାଇଥିଲେ । ସୂଚନା ଅନୁସାରେ, ଅଫଶାଂ ଗାଜିପୁର ଜିଲ୍ଲା ୟୁସୁଫପୁର ମୋହମ୍ମଦାବାଦର ବାସିନ୍ଦା । କିଛି ବର୍ଷ ପୂର୍ବରୁ ମଉ ଦକ୍ଷିଣ ଟୋଲାର ରୈନି ଗାଁ ନିକଟରେ ଥିବା ବିସ୍ତୃତ ଜମିକୁ ବେଆଇନ ଭାବେ ନିଜ ନାଁରେ ରେଜେଷ୍ଟ୍ରି କରାଇ ଏଠାରେ ଏକ ଗୋଦାମ କରିଥିଲେ ଯାହାକୁ ଫୁଡ କର୍ପୋରେସନକୁ ଭଡାରେ ଦେଇଥିଲେ । ଏହା ଅନୁସୂଚିତ ଜାତି ଲୋକଙ୍କ ନାଁରେ ଥିବାବେଳେ କିଛି ସାଧାରଣ ବର୍ଗର ଲୋକଙ୍କ ନାଁରେ ଥିବା ଜମିକୁ ବି ହଡପ କରିନେଇ ତାହା ଉପରେ ଏହି ଗୋଦାମ କରିଥିଲେ ଆଫଶାଂ । ଏହି ଜମି ଆଫଶାଂଙ୍କ ସହ ତାଙ୍କର କିଛି ସମ୍ପର୍କୀୟଙ୍କ ନାଁରେ ରେଜେଷ୍ଟ୍ରି ହୋଇଥିଲା । ଏହା ଜଣାପଡିବା ପରେ ତାଙ୍କ ନାଁରେ ସମ୍ପତ୍ତି କ୍ଷତି ଅଧିନିୟମ ଅନୁସାରେ ମାମଲା ଦାଏର କରାଯାଇଥିଲା ।

ଏହି ମାମଲାରେ ସମସ୍ତ ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିଲେ ବି ଆଫଶାଂ କିନ୍ତୁ ବାରମ୍ବାର ନୋଟିସ୍ ପରେ ବି ହାଜର ହୋଇନଥିଲେ । ୨୦୨୧ ଜୁନରେ ଏହି ଜମିର ପାଚେରୀକୁ ଭାଙ୍ଗି ଏହାକୁ ମୁକ୍ତ କରାଗଲା । କିନ୍ତୁ ସେବେଠାରୁ ଆଫଶାଂ କେଉଁଆଡେ ଫେରାର ଅଛନ୍ତି । ଏହି ଘଟଣାରେ ଉଭୟ ମଉ ପୋଲିସ ଗାଜିପୁର ପୋଲିସ ଆଫଶାଂଙ୍କ ଉପରେ ୭୫ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ।