୨୦୨୩ରେ କ’ଣ ହେବ? ରାଜନୈତିକ ଗତି କୁଆଡେ?

432

କନକ ବ୍ୟୁରୋ: ଶେଷ ହେବାକୁ ଯାଉଛି ୨୦୨୨, ଆଉ ନୂଆ ଆଶା, ସମ୍ଭାବନାକୁ ନେଇ ଆସୁଛି ୨୦୨୩ । କିନ୍ତୁ ୨୦୨୩ରେ ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟ କେମିତି ରହିବ । ନିକଟରେ ଶେଷ ହୋଇଥିବା ଦୁଇ ଧାମନଗର ଓ ପଦ୍ମପୁର ଉପନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବ କି ନାହିଁ, ସେ ନେଇ କନକ ନ୍ୟୁଜର ସ୍ୱତନ୍ତ୍ର ସାକ୍ଷାତକାରରେ ମତ ରଖିଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ତାଙ୍କ ମତରେ, ଉପନିର୍ବାଚନର ଫଳାଫଳ ୨୦୨୩ ରାଜନୀତିକୁ ପ୍ରଭାବିତ କରିବ । ଆଂଚଳିକ ଦଳ ହୋଇଥିବାରୁ ବିଜେଡି ଫୋକସରେ ରାଜ୍ୟ ପ୍ରଥମ ।

କଂଗ୍ରେସ ଯେତେବେଳେ ଭାରତ ଯୋଡୋ ଯାତ୍ରା କରୁଛି, ସେତେବେଳେ ଦଳର ଭବିଷ୍ୟତକୁ ନେଇ ମତ ରଖିଛନ୍ତି ସୌମ୍ୟରଞ୍ଜନ । କହିଛନ୍ତି, ଭାରତ ଯୋଡୋ ଯାତ୍ରାର ପ୍ରଭାବ ରହିବ । କିନ୍ତୁ ସମସ୍ୟା ସମାଧାନ ପାଇଁ ଦଳ ଯେଉଁଭଳି ପଦକ୍ଷେପ ନେବା କଥା ନେଉନି । ନୂଆ ନେତୃତ୍ୱ ତିଆରି ହେଉନି ।

ଓଡିଶାରେ ବିରୋଧୀ ଦଳଙ୍କ ଭୂମିକାକୁ ନେଇ କହିଛନ୍ତି ଗଣତନ୍ତ୍ର ସମୃଦ୍ଧ ପାଇଁ ବିରୋଧୀ ଦଳ ରହିବା ଆବଶ୍ୟକ । ସେହିପରି ଗଣମାଧ୍ୟମ ତୃତୀୟ ନୟନ ଭୂମିକା ତୁଲାଇବା ଆବଶ୍ୟକ ବୋଲି ମତ ରଖିଛନ୍ତି ।

ଜାତୀୟ ରାଜନୈତିକ ଦୃଶ୍ୟପଟକୁ ନେଇ ସୌମ୍ୟରଞ୍ଜନଙ୍କ ମତ ହେଉଛ. ୨୦୨୩ ବେଶ ଗୁରୁତ୍ୱପୂର୍ଣ୍ଣ । ବିଜେପି ତାର ପୁରୁଣା ସହଯୋଗୀ ଦଳମାନଙ୍କୁ ହରାଇଛି । ତେଣୁ ଆଗାମୀ ନିର୍ବାଚନରେ ବଡ ଚାଲେଞ୍ଜର ସମ୍ମୁଖୀନ ହୋଇପାରେ ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ସ୍ୱତନ୍ତ୍ର ସାକ୍ଷାତକାରରେ ନିଜର ମତ ରଖିଛନ୍ତି । କହିଛନ୍ତି, ୨୦୨୩ ବିଜେପି ପାଇଁ ମହତ୍ୱପୂର୍ଣ୍ଣ । ହେବାକୁ ଥିବା ୯ଟି ବିଧାନସଭା ନିର୍ବାଚନରେ ଭଲ ରେଜଲ୍ଟ କରିବ ଦଳ ।

ଓଡିଶାକୁ ନେଇ ବିଜେପିର ରଣନୀତି ପ୍ରସଙ୍ଗରେ କହିଛନ୍ତି, ବିଳମ୍ବ ହୋଇଛି ସତ କିନ୍ତୁ ୩୬୫ ଦିନ ଯଥେଷ୍ଟ । ସମସ୍ତେ ପରିବର୍ତନ ଚାହୁଁଛନ୍ତି । ଏବେଠୁ ରାଜ୍ୟରେ ନିର୍ବାଚନୀ ଭଳି ମାହୋଲ ସୃଷ୍ଟି ହୋଇଥିବାବେଳେ ୨୦୨୩ରେ ଏହା ଆହୁରି ଜୋରଦାର ହେବ ବୋଲି ଅନୁମାନ କରାଯାଉଛି ।