ବଞ୍ଚି ପାରିଲାନି ଛୁଆ, ବିକିବାକୁ ଚାହୁଁଥିଲା ମାଆ: ପ୍ରଶାସନର ଅଣଦେଖା ଯୋଗୁଁ ଆଖିବୁଜିଲା ୩ ମାସର ଶିଶୁ

212

କନକ ବ୍ୟୁରୋ: ବସ୍ତାଏ ଚାଉଳ, କିଛି ପକେଟ ଛତୁଆ ଓ ପଲିଥିନ୍ ଖଣ୍ଡେ ଯଦି ଦାରିଦ୍ୟ ଦୂର ହୋଇଯାଉଥାନ୍ତା, ସେଦିନ ମା’ଟିଏ ଜନ୍ମକଲା ଛୁଆଟିକୁ ବିକ୍ରି କରିଦେବା ପାଇଁ ହୁଏତ ବାହାରିନଥାନ୍ତା । ପ୍ରଶାସନ ସହାୟତାର ପୁଡ଼ିଆଟିଏ ଧରେଇ ଦେବା ବଦଳରେ ଯଦି ପିଲାଟିର ଯତ୍ନ ନେଇଥାନ୍ତା, ହୁଏତ ପିଲାଟି ବଂଚିଯାଇଥାନ୍ତା । ଶେଷରେ ଆଖି ବୁଜି ଦେଇଛି ୩ମାସର ଶିଶୁ, ଯାହାକୁ ବିକ୍ରି କରିଦେବା ପାଇଁ କିଛି ଦିନ ତଳେ ବାହାରି ଆସିଥିଲେ ମା’ ମମତା ଦାସ । ପିଲାଟି ମରିଯିବା ପରେ ଅନାହାର ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହେବା ସହ ବିକ୍ରି ହୋଇଥିଲେ ବୋଧେ ପିଲାଟି ବଂଚିଯାଇଥାନ୍ତା ବୋଲି ଯୁକ୍ତି କରାଯାଉଛି ।

କେନ୍ଦୁଝର ଜିଲ୍ଲା ମନୋହରପୁର ଗାଁର ମମତା ଦାସଙ୍କ ଦୁଃଖ କାହାଣୀ, ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଘର ଚଳାଉଥିବା ସ୍ୱାମୀ ଓ ଶୂଶୁରଙ୍କ ମୃତ୍ୟୁ ହୋଇଥିଲା । ଘରର ମୁରବୀ ଚାଲିଯିବା ପରେ ୪ଟି ପିଲାଙ୍କୁ ନେଇ ଅତି ଦୟନୀୟ ଭାବେ ଦିନ କାଟୁଥିଲେ । ବଡ଼ ପୁଅକୁ ଘୁଷୁରି ଚରାଇ ଛାଡ଼ି ଦେଇଥିବା ବେଳେ ତିନି ଝିଅକୁ ପାଖରେ ରଖିଥିଲେ ମମତା । ଖାଦ୍ୟ ଅଭାବରୁ ଶିଶୁମାନେ ଅପପୃଷ୍ଠିର ଶିକାର ମଧ୍ୟ ହୋଇଥିଲେ । ଏଭଳି ସ୍ଥିତିରେ କିଛି ଦିନ ତଳେ ୩ ମାସର ଝିଅକୁ ବିକ୍ରି କରିବା ପାଇଁ ଘର ଘର ବୁଲୁଥିଲେ । ଏବେ ସେଇ କୁନି ଝିଅ ଆଖି ବୁଜି ଦେଇଛି ।

ଶିଶୁ ବିକ୍ରି ଉଦ୍ୟମର ଖବର ଗଣମାଧ୍ୟମରେ ପ୍ରକାଶ ପାଇବାରୁ କିଛି ସମାଜସେବୀ ଓ ସ୍ଥାନୀୟ ପ୍ରଶାସନ ଶିଶୁଟିକୁ ଉଦ୍ଧାର କରିଥିଲା । ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରିବା ସହ କିଛି ଭିଟାଭିନ୍ ଔଷଧ ଦେଇଛାଡ଼ି ଦେଇଥିଲା । ଆଉ ପରିବାର ଲୋକଙ୍କୁ ସହାୟତା ନାଁରେ ବସ୍ତାଏ ଚାଉଳ, ଛତୁଆ ପକେଟ ଓ ପଲିଥିନ୍ ଦେଇ ଭଣ୍ଡାଇ ଦେଇଥିଲା । ଏବେ ୩ମାସର ଶିଶୁ ମରିଯିବା ପରେ ଧର୍ମକୁ ଆଖିଠାର କଲା ଭଳି ପ୍ରଶାସନ କହୁଛି- ଅନ୍ୟ ଶିଶୁଙ୍କ ଯତ୍ନ ନିଆଯିବ ।

– ପ୍ରଶାସନର ଏହି ସଫେଇ ଭିତରେ ପ୍ରଶ୍ନ ଆସୁଛି
– କୁନି ଝିଅଟିର ମୃତ୍ୟୁ ପାଇଁ ଦାୟୀ କିଏ?
– ବିକ୍ରି ବେଳେ ଉଦ୍ଧାର କରିଥିବା ଶିଶୁର ଯତ୍ନ କାହିଁକି ନେଲାନି ପ୍ରଶାସନ?
– ଶିଶୁଟି ବିକ୍ରି ହୋଇଯାଇଥିଲେ ବଂଚିଯାଇଥାନ୍ତା କି?