ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ୩୦ରୁ ବଡ ବର୍ଷା, ୪ ଦିନ ଧରି ସାରା ଓଡିଶାରେ ପ୍ରବଳ ବର୍ଷିବ ।

1,460

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ଆଶ୍ବସ୍ତି । ୩୦ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବ । ପ୍ରଭାବରେ ୪ ଦିନ ଧରି ସାରା ଓଡ଼ିଶାରେ ବର୍ଷା ଲାଗି ରହିବ । ଜୁଲାଇ ୧ ବେଳକୁ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶା ଉପରେ ବି ପ୍ରବଳ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ବିଭାଗ ପକ୍ଷରୁ ଆହୁରି ସ୍ପଷ୍ଟ କରାଯାଇଛି ଯେ ୨୮ ତାରିଖ ରାତିଠାରୁ କୋହଲା ପାଗ ଆରମ୍ଭ ହେବ । କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର, ନୟାଗଡ଼, ଖୋର୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ ଓ କଟକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ । ତେବେ ୨୯ ତାରିଖ ରାତିଠାରୁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ଯାହାକି ପରବର୍ତୀ ସମୟରେ ବଢ଼ିବ । ଜୁଲାଇ ୩ ତାରିଖ ଯାଏ ଏହି ବର୍ଷା ଲାଗି ରହିବ ବୋଲି କୁହାଯାଇଛି ।

ଅନ୍ୟପଟେ ଗତ ୨୧ ତାରିଖରେ ମୌସୁମୀ ସ୍ପର୍ଶ କରିବା ପରେ ଉଭାନ୍‌ ହୋଇଯାଇଛି । ବର୍ଷାର ଦେଖା ନାହିଁ । ଜୁନ୍‌ ମାସରେ ଓଡ଼ିଶାରେ ଯେତିକି ବର୍ଷା ହେବା କଥା, ତାହା ହୋଇନାହିଁ । ମୌସୁମୀ ଦୁର୍ବଳ ରହିଥିବାରୁ ଜୁନ୍‌ ୧ରୁ ୨୪ ତାରିଖ ସୁଦ୍ଧା ଓଡ଼ିଶାରେ ୨୪ ପ୍ରତିଶତ କମ୍‌ ବର୍ଷା ହୋଇଛି । ଗଜପତି ଜିଲ୍ଲାରେ ୬୪% ଓ ରାୟଗଡ଼ା ଜିଲ୍ଲାରେ ୫୨% କମ୍‌ ବର୍ଷା ହୋଇଛି । ଜୁନ୍‌ ୨୮ ପ‌ରେ ପୁଣିଥରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି । ୩୦ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବା କଥା ହେଉଛି ଯେ ମୌସୁମୀ ଛୁଇଁବାର କିଛି ଦିନ ଲାଗି ବର୍ଷା ଛାଡ଼ିଯାଏ । ତେବେ ମୌସୁମୀ ବାୟୁ ପୁଣିଥରେ ସକ୍ରିୟ ହେବା ପରେ ବର୍ଷା ପରିମାଣ ବଢ଼େ । ୩୦ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ତେଣୁ ୨୯ ତାରିଖ ରାତିଠାରୁ ବର୍ଷାର ପରିମାଣ ବଢ଼ିବ । ଯାହାକି ଜୁଲାଇ ୨ ଅପରାହ୍‌ଣ ଯାଏ ଲାଗି ରହିବ । ୩ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ଏହାପରେ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡ଼କୁ ଲଘୁଚାପ ଚାଲିଯିବ ବୋଲି ସେ କହିଛନ୍ତି । କିଛି ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ମୌସୁମୀ ବାୟୁରେ ଥିବା ଟ୍ରପ୍‌ଲାଇନ୍‌ ଏବେ ଉତ୍ତର ଆଡ଼କୁ ଯାଇଛି । ଯେଉଁଥିପାଇଁ ବର୍ଷାର ପରିମାଣ କମିଛି । ଟ୍ରପ୍‌ ଲାଇନ୍‌ ସ୍ୱାଭାବିକ ସ୍ଥିତିରେ ରହିଲେ ମୌସୁମୀ ବାୟୁ ଦେଶରେ ସକ୍ରିୟ ହୋଇ ରୁହେ । ଯେହେତୁ ଏହା ଉତ୍ତର ଓ ହିମାଳୟ ପାଖାପାଖି ହୋଇଛି ସେଥିପାଇଁ ବର୍ଷାର ପରିମାଣ କମିଛି ।

ମୌସୁମୀ ଆସିବାରେ ବିଳମ୍ୱ ହେବାରୁ ଜୁନ୍‌ ମାସରେ ବର୍ଷାର ପରିମାଣ କମିଛି । ତେବେ ଜୁଲାଇ ମାସରେ ବର୍ଷାର ପରିମାଣ ବଢ଼ିପାରେ । ଦେଶର ଅଧାରୁ ଅଧା ଅଞ୍ଚଳକୁ ମୌସୁମୀ ଛୁଇଁଛି । ଏହା ସତ୍ତ୍ୱେ ଦେଶରେ ଆଶାନୁରୂପ ବର୍ଷା ହୋଇନାହିଁ । ଜୁନ ୧ରୁ ୧୯ ମଧ୍ୟରେ ପ୍ରାୟ ୪୪ ପ୍ରତିଶତ କମ ବର୍ଷା ହୋଇଥିଲେ ମଧ୍ୟ ଦୀର୍ଘମିଆଦି ହାରାହାରି ନିଅଣ୍ଟ ପରିମାଣ ୩୭ ପ୍ରତିଶତକୁ ହ୍ରାସ ପାଇଛି । ଆସନ୍ତା ୨୯-୩୦ ବେଳକୁ ଓଡ଼ିଶାରେ ପୁଣି ମୌସୁମୀ ସକ୍ରିୟ ହେବାର ଆଶା କରାଯାଉଛି । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଯୋଗୁଁ ବର୍ଷା ପରିମାଣ ବଢ଼ିବା ଆଶା କରାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ବର୍ଷା ହୋଇନାହିଁ । ତାଳଚେରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୧ ଡିଗ୍ରି ରହିଥିଲା ।