ଆଉ ମାତ୍ର ୭ ଦିନ ପରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା : ରଥଖଳା ଚଳଚଚଞ୍ଚଳ, ଆଜି ଉଠିବ ଦ୍ୱିତୀୟ ଭୁଇଁ

71

କନକ ବ୍ୟୁରୋ : ରଥଯାତ୍ରାକୁ ଆଉ ମାତ୍ର ୭ ଦିନ ରହିଲା । ବିଶ୍ବକର୍ମାମାନେ ତିନି ରଥ ନିର୍ମାଣକୁ ଜୋରସୋରରେ ଆଗେଇ ନେଇଛନ୍ତି । ଧାର୍ଯ୍ୟ ସମୟ ମଧ୍ୟରେ ରଥ କାମ ସାରିବା ଲାଗି ଆସନ୍ତାକାଲିଠାରୁ ବିଶ୍ବକର୍ମାମାନେ ସେମାନଙ୍କ ଭାଇପୁଅଙ୍କ ସମେତ ଭୋଇ ସେବାୟତମାନଙ୍କୁ ନେଇ ଓଭର ଟାଇମ୍‌ କାମ କରିବେ । ଆଜି ଦ୍ବିତୀୟ ଭୁଇଁ କାମ ସରିଥିବା ବେଳେ ତୃତୀୟ ଭୁଇଁ ସାରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତାକାଲି ଚଉଦ ନାହାକା ବୁଲିବା ପରେ ଦ୍ବିତୀୟ ଭୁଇଁ ଉଠିବ । ଏହା ପରେ ତୃତୀୟ ଭୁଇଁ କାର୍ଯ୍ୟ ‌‌ଶେଷ ହେବା ପରେ ଧମକରେ କଣ୍ଟା ବାଡ଼େଇ ତୃତୀୟ ଭୁଇଁକୁ ଉଠାଯିବ ।

ଆସନ୍ତାକାଲି ପ୍ରଥମ ପରସ୍ତ ପୋଟଳ ତିଆରି ହେବ ବୋଲି ଆଶା କରାଯାଉଛି । ଗତବର୍ଷ ତିନି ରଥ ବାମ ଆଡ଼କୁ ବାରମ୍ବାର ମୋଡ଼ ନେଇଥିଲା । ଏଥର ସେ ଦିଗ ପ୍ରତି ତିନି ରଥର ବିଶ୍ବକର୍ମାମାନେ ଦୃଷ୍ଟି ଦେଇଛନ୍ତି । ଚଳିତବର୍ଷ ବଡ଼ଦାଣ୍ଡରେ ପିଚୁ ପଡ଼ିଥିବାରୁ ଏହାର ମାନକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ବଡ଼ଦାଣ୍ଡରେ ତିନି ରଥ ଗଡ଼ିବା ପାଇଁ ବଡ଼ଦାଣ୍ଡ ସମତୁଲ ରଖିବା ପାଇଁ ରଥଯାତ୍ରା ସମନ୍ବୟ ବୈଠକରେ ଆଲୋଚନା ହୋଇଥିଲା । ମାତ୍ର ଚଳିତ ବର୍ଷ ବଡ଼ଦାଣ୍ଡରେ ପିଚୁ ପକାଇବା ସମୟରେ ଏହାକୁ ଗୁରୁତ୍ବ ଦିଆଯାଇନଥିବା ଜଣାପଡ଼ିଛି ।