ଆଜିଠାରୁ ବଢିବ ଶୀତ ! ୪ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ପାରଦ

53

କନକ ବ୍ୟୁରୋ: ଆକାଶ ଏବେ ନିର୍ମଳ, ମେଘମୁକ୍ତ । ବାୟୁମଣ୍ଡଳରେ ବି ଜଳୀୟବାଷ୍ପ ମାତ୍ରା କମ୍ ରହୁଛି । ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ବହୁଛି ଥଣ୍ଡା ପବନ । ଉତ୍ତର ପଶ୍ଚିମ ଦିଗରେ ଅବସ୍ଥିତ ରାଜସ୍ଥାନ, ଦିଲ୍ଲୀ, ପଞ୍ଜାବ, ହରିୟାଣା ଆଦି ରାଜ୍ୟଗୁଡ଼ିକ ଏବେ ଶୀତ ଲହରୀ କବଳିତ । ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବି ଶୀତ ଲହରୀ ପରିସ୍ଥିତି ସୃଷ୍ଟି ହେବା ନେଇ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଗତକାଲି ୧୦ଡିଗ୍ରୀ ତଳକୁ ଖସିଛି ଦାରିଙ୍ଗିବାଡ଼ି, ଫୁଲବାଣୀ, କେନ୍ଦୁଝର, ଝାରସୁଗୁଡ଼ାର ସର୍ବନିମ୍ନ ତାପମାତ୍ରା ରହିଛି । ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଆଜିଠାରୁ ରାଜ୍ୟର ଅନେକ ସ୍ଥାନରେ ଶୀତ ଲହରୀ ପରିସ୍ଥିତି ସୃଷ୍ଟି ହେବ। ପାରଦ ଆହୁରି ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି । ରାଜଧାନୀ ଭୁବନେଶ୍ୱର ବି ଶୀତ ଲହରୀରୁ ବାଦ୍ ପଡ଼ିବ ନାହିଁ ।

ସୂଚନାନୁସାରେ, ଗତକାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ପରିମାଣଠାରୁ କମ୍ ରହିଛି । ସ୍ୱାଭାବିକ ତାପମାତ୍ରାଠାରୁ ଝାରସୁଗୁଡ଼ାରେ ୩ଡିଗ୍ରୀ କମ୍ ରହିଛି । ଜଳୀୟବାଷ୍ପ ପରିମାଣ ବି ରହିଛି ୪୦ ପ୍ରତିଶତରୁ କମ୍ । ଏହି ସମୟରେ ଉପକୂଳବର୍ତୀ ସ୍ଥାନଗୁଡ଼ିକରେ ତାପମାତ୍ରା ୧୫ଡିଗ୍ରୀ ରହିବା କଥା। ଗତକାଲି ଏଥିରୁ ବି କମ୍ ରହିଛି । ଭୁବନେଶ୍ୱରରେ ତାପମାତ୍ରା ୧୫.୩ଡିଗ୍ରୀ ରହିଥିଲା । ଆଜି ଏହା ୧୩ଡିଗ୍ରୀକୁ ଖସିବାର ସମ୍ଭାବନା ଅଧିକ । ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିଛନ୍ତି ଯେ ଆଜି ଶୀତ ଲହରୀ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଶୀତ ଲହରୀ ପରିସ୍ଥିତି ନିମନ୍ତେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ହ୍ରାସ ପାଇବା, ୧୫ଡିଗ୍ରୀରୁ କମ୍ ତାପମାତ୍ରା, ସ୍ୱାଭାବିକ ତାପମାତ୍ରାଠାରୁ ଅନ୍ୟୂନ ୨ଟି ସ୍ଥାନରେ ୪ଡିଗ୍ରୀ ରୁ ୬ଡିଗ୍ରୀ ପର୍ଯ୍ୟନ୍ତ କମିବା ଭଳି ଅବସ୍ଥା ସୃଷ୍ଟି ହେଲେ ଶୀତ ଲହରୀ ପ୍ରବାହିତ ହେଉଛି ବୋଲି ବୁଝିବାକୁ ହେବ । ଆଜି ସେଭଳି ପରିସ୍ଥିତି ସୃଷ୍ଟି ହେବା ନିମନ୍ତେ ଅନୁକୂଳ ପାଗ ରହିଥିବା ଡ. ସାହୁ କହିଛନ୍ତି ।

ଗତକାଲି ରାଜ୍ୟର ୧୯ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି । ମାଲକାନଗିରିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନର ସର୍ବୋଚ୍ଚ ତାପମାତ୍ରା ୩୦ଡିଗ୍ରୀରୁ କମିଛି । ଦାରିଙ୍ଗିବାଡ଼ିରେ ୯ଡିଗ୍ରୀ ସେଲ୍ସିୟସ ଥିବା ବେଳେ ଫୁଲବାଣୀ ଓ ଝାରସୁଗୁଡ଼ାରେ ୯.୫ଡିଗ୍ରୀ ଏବଂ କେନ୍ଦୁଝରରେ ୯.୯ଡିଗ୍ରୀ ରହିଛି । ସୁନ୍ଦରଗଡ଼ରେ ୧୦ଡିଗ୍ରୀ, ହୀରାକୁଦରେ ୧୦.୨ଡିଗ୍ରୀ, ସମ୍ବଲପୁରରେ ୧୧ଡିଗ୍ରୀ, ବାରିପଦାରେ ୧୧.୫ଡିଗ୍ରୀ, ବାଲେଶ୍ୱରରେ ୧୧.୬ଡିଗ୍ରୀ, କୋରାପୁଟ, ଅନୁଗୁଳରେ ୧୨ଡିଗ୍ରୀ, ଭବାନୀପାଟଣାରେ ୧୨.୫ଡିଗ୍ରୀ, ଢେଙ୍କାନାଳରେ ୧୨.୯ଡିଗ୍ରୀ, ଚାନ୍ଦବାଲି, କଟକ, ତାଳଚେରରେ ୧୩ଡିଗ୍ରୀ, ସୋନପୁରରେ ୧୩.୨ଡିଗ୍ରୀ, ଟିଟିଲାଗଡ଼ରେ ୧୩.୫ଡିଗ୍ରୀ, ବଲାଙ୍ଗୀରରେ ୧୪.୨ଡିଗ୍ରୀ ରେକର୍ଡ ହୋଇଛି ।