୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ । ଦୁଇ ଦିନ ମଧ୍ୟରେ ନେଇପାରେ ଲଘୁଚାପ ରୂପ ।

301

କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଭିଜିବ ଓଡିଶା । ଦୁଇ ସପ୍ତାହ ମଧ୍ୟରେ ଦୁଇଟି ଲଘୁଚାପ ଆସୁଥିବାରୁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଘୂର୍ଣ୍ଣିବଳୟ । ଆଉ ୯ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପ୍ରଭାବରେ ଓଡିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

  • ୭ରେ ଘୂର୍ଣ୍ଣିବଳୟ, ୯ରେ ଲଘୁଚାପ!
  • ଅଧା ଓଡ଼ିଶାକୁ ଭିଜାଇବ ବର୍ଷା

ଆସନ୍ତା ୭ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ପାଣିପାଗ ବିଭାଗ ଜାରି କରିଥିବା ସାଟେଲାଇଟ୍ ଚିତ୍ରରୁ ଜଣାପଡୁଛି ବଙ୍ଗୋପସାଗରେ ବାଦଲଖଣ୍ଡ ଏକାଠି ହେବାରେ ଲାଗିଛି । ୭ରେ ଘୂର୍ଣ୍ଣିବଳୟ ଓ ଏହାର ୪୮ ଘଣ୍ଟା ମଧ୍ୟରେ ଅର୍ଥାତ ୯ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରୁଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

  • ୯ ତାରିଖରେ ପ୍ରବଳ ବର୍ଷା ଆଶଙ୍କା
  • ଦକ୍ଷିଣ ଓ ଆଭ୍ୟନ୍ତର ଓଡ଼ିଶା ପାଇଁ ଚେତାବନୀ

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ଆଶଙ୍କା ଥିବା ବେଳେ ୮ ତାରିଖରୁ ବର୍ଷା ପରିମାଣ ବୃଦ୍ଧି ପାଇବା ସମ୍ଭାବନା ରହିଛି । ୯ ତାରିଖରେ ଅଧା ଓଡ଼ିଶାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବିଶେଷ କରି ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଦୁଇ ସପ୍ତାହ ମଧ୍ୟରେ ଦୁଇଟି ଲଘୁଚାପ ଆସୁଥିବାରୁ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।