ସାରା ରାଜ୍ୟରେ ୩ ଦିନ ଧରି ବର୍ଷିବ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ

103

କନକ ବ୍ୟୁରୋ: ଉତ୍ତର ବଙ୍ଗୋପସାଗରରେ ପୁଣିଥରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ । ଏହାଫଳରେ କାଲିଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୂଚନା ମୁତାବକ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଫଳରେ କିଛି ସ୍ଥାନରେ ବର୍ଷା ହେବ। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ପୁରୀ , ଗଜପତି, ଗଞ୍ଜାମ, କଟକ, କେରାପୁଟ , ଖୋର୍ଦ୍ଧା ଓ ଜଗତସିଂହପୁରରେ ବର୍ଷା ହେବ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ କାଲିଠାରୁ ଗଜପତି, ରାୟଗଡା, କନ୍ଧମାଳ, କଟକ ଓ ଖୋର୍ଦ୍ଧାରେ ବର୍ଷାର ପରିମାଣ ବଢ଼ିବ । ଏହାସହିତ ୧୯ ଓ ୨୦ ତାରିଖରେ ଗଭୀର ସମୂଦ୍ରକୁ ନଯିବାକୁ ମତ୍ସ୍ୟଜୀବିଙ୍କୁ ଯିବାକୁ ବାରଣ କରାଯାଇଛି ।

ଲଘୁଚାପରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ବଲାଙ୍ଗୀର, ନବରଙ୍ଗପୁର ନୂଆପଡ଼ା ସମେତ ଉତ୍ତର ଓଡ଼ିଶାରେ ବର୍ଷା ହେବ। ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବି ବର୍ଷା ହୋଇପାରେ। ୩ ଦିନ ଧରି ଲଘୁଚାପ ବର୍ଷା ଲାଗିରହିବ। ୨୦ ତାରିଖରେ ବର୍ଷା ପରିମାଣ ଅଧିକ ରହିବ। ସେହିଭଳି ୨୧ ତାରିଖଠାରୁ ଧୀରେ ଧୀରେ ବର୍ଷା ପରିମାଣ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଗତ ୩୨ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ସର୍ବାଧିକ ବର୍ଷା ହୋଇଛି। ଶୁକ୍ରବାର ରାତିରେ ଏଠାରେ ୩୩.୯ ମିମି ବର୍ଷା ହୋଇଥିବା ବେଳେ ଆଜି ଦିନ ସମୟରେ ହାଲକା ବର୍ଷା ହୋଇଥିଲା। ଏହି ସମୟ ମଧ୍ୟରେ ପୁରୀରେ ୩୨, ସୋନପୁରରେ ୨୫, ହୀରାକୁଦରେ ୧୬.୯, ବାରିପଦାରେ ୧୩.୪, ଢ଼େଙ୍କାନାଳରେ ୧୨ ମିମି ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।