ପାରା ଚଢୁଛି, ଜଳ କଷ୍ଟ ବଢୁଛି । ଅଧିକାରୀଙ୍କ ଅବହେଳା ଯୋଗୁଁ ଏବେ ନାଗାବଳୀର ଦୂଷିତ ପାଣି ପାଲଟିଛି ସାହା ଭରସା ।

84

କନକ ବ୍ୟୁରୋ : ଖରା ବଢୁଛି, ତା ସହ ଜଳ କଷ୍ଟ ମଧ୍ୟ ବଢିବାରେ ଲାଗିଛି । ହେଲେ ଖରା ଓ ଜଳକଷ୍ଟଠୁ ବଳି ଯାଇଛି ବିଭାଗୀୟ ଅଧିକାରୀଙ୍କ ଅବହେଳା । ରାୟଗଡାର ଖିଲମିଶଗୁଡାରେ ଦୀର୍ଘ ୫ ମାସ ହେଲା ଅଚଳ ନଳକୂପକୁ ସଜଡା ଯାଇପାରୁ ନାହିଁ । ବାଧ୍ୟହୋଇ ଲୋକେ ନାଗାବଳୀର ଦୂଷିତ ପାଣି ବ୍ୟବହାର କରୁଛନ୍ତି । ସେପଟେ ପାନୀୟ ଜଳ ସମସ୍ୟାର ସମାଧାନ ଦାବିରେ କୋରାପୁଟ ଦଶମନ୍ତପୁରରେ ରାସ୍ତାକୁ ଓହ୍ଲାଇଛନ୍ତି ଉତ୍ୟକ୍ତ ଲୋକେ ।

ପିଇବା ପାଣି ପାଇଁ ଏହି ସଂଘର୍ଷ । ଗାଁଠୁ ଦୂରରେ ବହି ଯାଉଥିବା ନାଗାବଳୀ ନଦୀରୁ ପାଣି ସଂଗ୍ରହ କରି ଫେରୁଛନ୍ତି ଗାଁର ଯୁବତୀ, ମହିଳା । ଏ ହେଉଛି ରାୟଗଡା ଜିଲ୍ଲା କେରେଡା ପଂଚାୟତ ଖିଲମିଶଗୁଡାର ଗାଁରେ ଥିବା ୨ଟି ନଳକୂପ ଦୀର୍ଘ ୫ରୁ ୬ ମାସ ହେଲା ଭାଙ୍ଗିଯାଇଛି, ସୋଲାର ପମ୍ପ ପୋଡି ଯାଇଛି । ଗ୍ରୀଷ୍ମ ଆରମ୍ଭ ସତ୍ୱେ ଏହାର ମରାମତି ହୋଇପାରିନି । ଆଉ ଖରାରେ ଆଉଟୁପାଉଟୁ ଲୋକେ ବାଧ୍ୟ ହୋଇ ନାଗାବଳୀର ଦୂଷିତ ପାଣି ଉପରେ ନିର୍ଭର କରୁଛନ୍ତି ।

ଅନ୍ୟପଠେ ପାନୀୟ ଜଳ ସମସ୍ୟାକୁ ନେଇ ତାତିଛନ୍ତି ଲୋକେ । ରାସ୍ତା ଉପରେ ଧାଡିରେ ଥୁଆ ହୋଇଛି, ଗରା ମାଠିଆ, ବାଲଟି । ରାସ୍ତା ଉପରେ ବାଉଁଶ ବାନ୍ଧି ରାସ୍ତାରୋକ କରିଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ସଦର ମହକୁମାର ବାସିନ୍ଦା । ଖରା ବଢୁଥିବା ବେଳେ ଉକ୍ରଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ଉଚ୍ଚ ଅଧିକାରୀଙ୍କ ପ୍ରତିଶ୍ରୁତି, ପ୍ରତିଶ୍ରୁତିରେ ରହି ଯାଉଛି । ତେଣୁ ପିଇବା ପାଣିର ସ୍ଥାୟୀ ସମାଧାନ ଦାବିରେ ରାସ୍ତା ରୋକ କରିଛନ୍ତି ଉତ୍ୟକ୍ତ ସ୍ଥାନୀୟ ବାସିନ୍ଦା ।

ସରକାର ପାନୀୟ ଜଳର ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଗ୍ରାମାଂଚଳର ଲୋକେ ଏହାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ।