ଢେଙ୍କାନାଳ ଅଳସୁଆ ସାପ୍ତାହିକ ହାଟରେ ଅଘଟଣ: ରାଇସ୍ ମିଲ କାନ୍ଥ ଭୁଶୁଡି ୪ ମୃତ, ୧୨ରୁ ଅଧିକ ଆହତ;ଅଧା ଭଙ୍ଗା କାନ୍ଥକୁ ଜେସିବି ଲଗାଇ ଭାଙ୍ଗିଦେଲା ପ୍ରଶାସନ

206

କନକ ବ୍ୟୁରୋ: ଢେଙ୍କାନାଳ ଅଳସୁଆ ସାପ୍ତାହିକ ହାଟରେ ବଡ ଧରଣର ଅଘଟଣ । ରାଇସ୍ ମିଲ୍ କାନ୍ଥ ଭୁସୁଡି ୪ ଜଣ ପ୍ରାଣ ହରାଇଛନ୍ତି । ୧୨ରୁ ଅଧିକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ୪ ମୃତକଙ୍କ ପରିଚୟ ମିଳିଛି । ମୃତକ ମାନେ ସଂଗ୍ରାମ ସାହୁ, ରାମଚନ୍ଦ୍ର ସାହୁ, ମାୟାଧର ମଲ୍ଲିକ ଏବଂ ଅଭିମନ୍ୟୁ ବିଶ୍ୱାଳ । ସଂଗ୍ରାମ ସାହୁଙ୍କ ଘର ଚାଇଁପୁର ହୋଇଥିବା ବେଳେ ରାମଚନ୍ଦ୍ର ସାହୁ ଗେଙ୍ଗୁଟିଆ ଗାଁର ।

ସେହିଭଳି ଶିଦ୍ଧପାଳର ମାୟାଧର ମଲ୍ଲିକ ଏବଂ ଗେଙ୍ଗୁଟିଆର ଅଭିମନ୍ୟୁ ବିଶ୍ୱାଳଙ୍କ ପ୍ରାଣ ରାଇସ୍ ମିଲ୍ କାନ୍ଥ ତଳେ ଚାପି ହୋଇ ଚାଲିଯାଇଛି । ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିଛି ଢେଙ୍କାନାଳ ମ୍ୟୁନିସିପାଲଟି । ପ୍ରତି ମୃତକଙ୍କ ପରିବାରକୁ ୨୫ ହଜାର ଟଙ୍କାର ସହାୟତା ଦିଆଯାଇଛି । ଅଧିକ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିବ ମ୍ୟୁନିସିପାଲଟି । ଅଳସଆ ସପ୍ତାହିକ ହାଟ ନିକଟରେ ଅଘଟଣର ତଦନ୍ତ ନିର୍ଦେଶ ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ।

ସାପ୍ତାହିକ ହାଟ ଚାଲିଥିବାରୁ କାନ୍ଥ କଡରେ ବସିଥିଲେ ଉଠାଦୋକାନୀ । ଭଙ୍ଗା କାନ୍ଥ ତଳେ ଗାଡି ଚାପି ହେବା ସହ କିଛି ଲୋକ ବି ଫଶି ରହିଥିଲେ । ଓଡ୍ରାଫ ଟିମ୍, ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ କରାଯାଇଛି । କାଂଥ ଭୁଷୁଡି ଅଘଟଣ ଘଟିବା ପରେ ବାକି କାଂଥକୁ ପ୍ରଶାସନ ଜେସିବି ଲଗାଇ ଭାଙ୍ଗି ଦେଇଛି ।