ସରିଲା କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ ଗ୍ରହଣ, ୧୩ ତାରିଖରେ ଇଭିଏମ ଖୋଲିବ ନେତାଙ୍କ ଭାଗ୍ୟ

92

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ସମାପ୍ତ ହୋଇଛି । ଅପରାହ୍ନ ୫ଟି ସୁଦ୍ଧା ରାଜ୍ୟରେ ୬୫.୬୯ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି । ପ୍ରଥମ ଥର ପାଇଁ କର୍ଣ୍ଣାଟକରେ ୯୪ ହଜାରରୁ ଅଧିକ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତି ଘରେ ରହି ଭୋଟ ଦେଇଛନ୍ତି । ଚଳିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୨୨୪ ଟି ଆସନ ପାଇଁ ୨୬୧୪ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ଭୋଟିଂ ବେଳେ ୩ଟି ସ୍ଥାନରେ ହିଂସା ହୋଇଥିବା ଦେଖିବାକୁ ମିଳିଛି । ପୋଲିସ କହିବା ମୁତାବକ ବିଜୟପୁର, ବାସବାନା ଓ ବାଗେବାଡିରେ କିଛି ଲୋକ ଇଭିଏମ ଓ ଭିଭିପାଟ ମେସିନ ଭଙ୍ଗାରୁଜା କରିଛନ୍ତି । ଏହାସହ ପୋଲିିଂ ଅଫିସରଙ୍କ ଗାଡି ମଧ୍ୟ ଭାଙ୍ଗିଦେଇଛନ୍ତି ସାଧାରଣ ଲୋକେ । ଏଠାରେ ଏକ ଖବର ପ୍ରସାରିତ ହୋଇଥିଲା କି ପୋଲିଂ ଅଫିସର ଇଭିଏମ ମେସିନ ବଦଳାଇ ଦେଇଛନ୍ତି । ଏହାପରେ ହିଂସା ଦେଖିବାକୁ ମିଳିଥିଲା ।

ଭୋଟ ଗ୍ରହଣ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ଯୁବ ଓ ନୂଆ ଭୋଟରଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ । ସେହିଭଳି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟାଙ୍କ ଖଡଗେ ଇଭିଏମରେ ଗଡବଡ କରାଯାଇଥିବା ନେଇ ଅଭିଯୋଗ ଆଣିଥିବା ବେଳେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟା କହିଛନ୍ତି ବଜରଙ୍ଗବାଲୀଙ୍କ ଜନ୍ମଭୂମି କର୍ଣ୍ଣାଟକରେ ମେ ୧୩ ତାରିଖରେ ସମସ୍ତ ପ୍ରଶ୍ନର ଉତର ଦିଆଯିବ ।

କର୍ଣ୍ଣାଟକରେ ମୋଟ ଭୋଟରଙ୍କ ସଂଖ୍ୟା ୫.୩୧ କୋଟି । ଏହି ୫.୩୧ କୋଟି ଭୋଟର ୨୬୧୫ ଜଣ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । ଏହି ଭୋଟ କ୍ରମରେ କର୍ଣ୍ଣାଟକରେ ପ୍ରମୁଖ ୩ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ଜେଡିଏସ ନିର୍ବାଚନ ଜିତିବାକୁ ପୁରା ଦମ୍ ଲଗାଇ ଦେଇଛନ୍ତି । ହେଲେ କାହା ମୁଣ୍ଡରେ ହାତୀ ସୁନା କଳଶ ଢାଳିବ ତାହା ୧୩ ତାରିଖରେ ସ୍ପଷ୍ଟ ହେବାକୁ ଯାଉଛି ।