ଭୋଟ୍ ଦେଲା ଝାରସୁଗୁଡ଼ା। ନେତା ବାଛିଲେ ଝାରସୁଗୁଡ଼ାବାସୀ

184

କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟା ପରେ ଖାଲି ପଡିଥିବା ଆସନ ପାଇଁ ନେତା ବାଛିଛନ୍ତି ଝାରସୁଗୁଡା ଭୋଟର । ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ସତ୍ୱେ ମତଦାନ କେନ୍ଦ୍ରକୁ ଆସି, ଧାଡିରେ ଅପେକ୍ଷା କରି ଭୋଟ୍ ଦେଇଛନ୍ତି । ବିଶେଷ କରି ମହିଳା ଓ ନୂଆ ଭୋଟରଙ୍କ ଭିତରେ ମତଦାନ ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇଛନ୍ତି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ସରବାହାଲ ୩୩ ନମ୍ବର ବୁଥରେ ଭୋଟ ଦେଇଛନ୍ତି । ମତଦାନ ପରେ ଦୀପାଳି ପ୍ରତିକ୍ରିୟା ରଖି କହିଛନ୍ତି ବହୁତ ଭୋଟ ବ୍ୟବଧାନରେ ଜିତିବ ବିଜେଡି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଝାରସୁଗୁଡା ମୁନସିପାଲଟିର ୧୯ ନମ୍ବର ୱାର୍ଡର ୭୦ ନମ୍ବର ବୁଥ୍ରେ ଭୋଟ୍ ଦେଇଛନ୍ତି । ଝାରସୁଗୁଡା ସହରର ୧୭ନମ୍ବର ୱାର୍ଡର ୭୨ନମ୍ବର ବୁଥରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମଧ୍ୟ ଭୋଟ ଦେଇଛନ୍ତି ।

ନିର୍ବାଚନ ବେଳ ବଡଧରଣର ଗଣ୍ଡଗୋଳ ହୋଇନଥିଲେ ବି, ଏକାତାଲିରେ ଥିବା ବୁଥନମ୍ବର ୪୯ ଓ ୫୦ରେ ଉତେଜନା ଦେଖାଦେଇଥିଲା । ବିଜେଡି-ବିଜେପି କର୍ମୀ ମାଡ ମରାମରି ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ତାଲିକାରୁ ନାଁ ବାଦ୍ ପଡିବା ନେଇ ୱାର୍ଡ ନମ୍ବର ୧୭ରେ ଦେଖିବାକୁ ମିଳିଥିଲା ଭୋଟରଙ୍କ ଅସନ୍ତୋଷ ।

ଝାରସୁଗୁଡା ଉପନିର୍ବାଚନ, ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ବୋଲି କୁହାଯାଉଥିବାରୁ ବିଶେଷ ଗୁରୁତ୍ୱବହନ କରୁଛି । ଚର୍ଚ୍ଚା ହେଉଛି, ଝାରସୁଗୁଡା ଉପନିର୍ବାଚନରୁ ସାରା ରାଜ୍ୟକୁ ବଡ ବାର୍ତା ଯିବ । ଯିଏ ଜିତିବ ସେ ଆଗାମୀ ନିର୍ବାଚନ ପାଇଁ ରଣନୀତି କରିବ । କିନ୍ତୁ ଯିଏ ହାରିବ ସେ କାରଣ ଖୋଜିବ । ଆଉ ମାନସ ମନ୍ଥନ କରିବ । ତେବେ ଭୋଟର କାହାକୁ ଭୋଟ ଦେଲେ, ୯ ପ୍ରାର୍ଥୀଙ୍କ ଭିତରେ କାହାକୁ ନେତା ବାଛିରେ ତାହା ୧୩ତାରିଖରେ ଭୋଟ ଗଣତି ପରେ ସ୍ପଷ୍ଟ ହେବ ।