ପାକିସ୍ତାନରେ ଇମ୍ରାନ ଖାନଙ୍କୁ ବାନ୍ଧିଲା ସେନା, ଗିରଫଦାରୀର ଚିତ୍ରକୁ ନେଇ ଉଠିଲା ଅନେକ ପ୍ରଶ୍ନ।

130

କନକ ବ୍ୟୁରୋ: ଗଣତନ୍ତ୍ର ବ୍ୟବସ୍ଥାକୁ ପଙ୍ଗୁ କରିଦେଇ ଯେତେବେଳେ ସେନା ଶାସକ ସାଜେ, କେଉଁ ଭଳି ପରିସ୍ଥିତି ସୃଷ୍ଟି ହୁଏ, ପାକିସ୍ତାନରୁ ଆସିଥିବା କିଛି ଚିତ୍ର ହିଁ ବୟାନ ହୋଇଯାଇଛି । କେହି ଅସ୍ୱୀକର କରୁନାହାଁନ୍ତି ଯେ, ଦୁର୍ନୀତି ମାମଲାରେ ଇମ୍ରାନ୍ ଖାନ୍ ବନ୍ଧା ହୋଇଛନ୍ତି । କେହି ଅସ୍ୱୀକାର କରୁନାହାଁନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଦୁର୍ନୀତି କରିନାହାଁନ୍ତି । କିନ୍ତୁ ଏଥିରେ ପାକିସ୍ତାନର କୌଣସି ଭୂମିକା ନାହିଁ କହିଲେ ହୁଏତ ଭୁଲ ହୋଇଯିବ । ସେନା-ଶାସକ, ଗଣତନ୍ତ୍ର- ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପ୍ରତିବାଦ-ହିଂସା ଭିତରେ ପାକିସ୍ତାନ ଏଭଳି ଛନ୍ଦି ହୋଇଯାଇଛି ଯେ, ପୂରା ଦେଶ ଜଳୁଛି ।

ପାକିସ୍ତାନ ସୁପ୍ରିମକୋର୍ଟ । ସ୍ଥାନ: ଇସଲାମାବାଦ । ଗିରଫଦାରୀ ପରେ ସାମ୍ନାକୁ ଆସିଥିବା ଇମ୍ରାନ ଖାନ୍ଙ୍କ ଚିତ୍ରକୁ ନେଇ ଏବେ ଚର୍ଚ୍ଚା । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ପାକିସ୍ତାନ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ । ଆଉ ସୁପ୍ରିମକୋର୍ଟରେ ଇମ୍ରାନ ଖାନ ଆଣିଛନ୍ତି ସାଂଘାତିକ୍ ଅଭିଯୋଗ । ମୋର ହତ୍ୟା କରାଯାଇପାରେ । ମୋତେ ସ୍ଲୋ ପଏଜନ୍ ଦିଆଯାଉଛି । ଏମିତି କି ବାଥ୍ରୁମ୍ ଯିବାକୁ ଦିଆଯାଉ ନାହିଁ ବୋଲି ସୁପ୍ରିମକୋର୍ଟକୁ ଜଣାଇଛନ୍ତି ଇମ୍ରାନ୍ ।

ପାକିସ୍ତାନରେ ୧୪୪ ଧାରା ସତ୍ୱେ ସାରା ଦେଶରେ ଜାରି ରହିଛି ଇମ୍ରାନଙ୍କ ସମର୍ଥକଙ୍କ ପ୍ରତିବାଦ, ବିକ୍ଷୋଭ । ହିଂସାକାଣ୍ଡ ଓ ଉତ୍ୟକ୍ତ ପ୍ରଦର୍ଶନକାରୀଙ୍କୁ କାବୁ କରିବା ପାଇଁ ପାକ୍ ସେନା ପକ୍ଷରୁ ଲୁହ ବୁହା ଗ୍ୟାସର ପ୍ରୟୋଗ କରାଯାଉଛି । ଅନେକ ସ୍ଥାନରେ ସୁଟ୍ ଆଟ୍ ସାଇଟ୍ର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଶାହବାଜ ସରକାର । ଉତ୍ତେଜନା ଓ ହିଂସାକାଣ୍ଡକୁ ନଜରରେ ରଖି ଗୁଳିଚାଳନା କରିବାକୁ ମଧ୍ୟ ପଛାଉ ନାହିଁ ସେନା । ଫଳରେ ଦେଶରେ ଗୃହଯୁଦ୍ଧ ଭଳି ସ୍ଥିତି ଦେଖିବାକୁ ମିଳିଛି ।

– ପାକିସ୍ତାନର ୧୮ଟି ସହରରେ ବ୍ୟାପକ ହିଂସା
– ହିଂସାକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା
– ପରମାଣୁ ଠିକଣାର ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ !
ଏସବୁ ଭିତରେ ଇମ୍ରାନ ଖାନଙ୍କ ଯାଞ୍ଚ ପାଇଁ ତଦନ୍ତକାରୀ ସଂସ୍ଥାକୁ ୮ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦିଆଯାଉଛି । ଏପଟେ ତୋଷାଖାନା ମାମଲାରେ ମଧ୍ୟ ଇମ୍ରାନ ଖାନଙ୍କ ଅଡୁଆ ବଢ଼ିଛି । ବେଆଇନ ଭାବେ ସମାଗ୍ରୀ ବିକ୍ରି କରାଯାଇଥିବା କୋର୍ଟ କହିଛନ୍ତି । ତେବେ ପାକିସ୍ତାନରେ ଇଂଟରନେଟ୍ ସେବାକୁ ବନ୍ଦ ଥିବାରୁ ପ୍ରକୃତରେ କ’ଣ ଚାଲିଛି, ତାହା ସ୍ପଷ୍ଟ ଭାବେ ଜାଣି ହେଉନାହିଁ ।