ଅବସରର ୨୪ଘଂଟା ଭିତରେ ଭି.କେ.ପାଣ୍ଡିଆନଙ୍କୁ ମିଳିଲା ନୂଆ ନିଯୁକ୍ତି । କ୍ୟାବିନେଟ୍ ପାହ୍ୟା ସହ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଦାୟିତ୍ୱ ଦେଲେ ରାଜ୍ୟ ସରକାର

461

କନକ ବ୍ୟୁରୋ : ଭି.କେ. ପାଣ୍ଡିଆନଙ୍କ ଅବସର ଯେମିତି ଅଚାନକ ଥିଲା, ସେମିତି ତାଙ୍କ ନୂଆ ନିଯୁକ୍ତି ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ପାଣ୍ଡିଆନଙ୍କ ଅବସରକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଥିଲେ ବି ତାଙ୍କୁ ପୁଣି ଥରେ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।

ପ୍ରଥମ ଚିଠିଟି କେନ୍ଦ୍ର ସରକାରଙ୍କ ସାଧାରଣ ପ୍ରଶାସନ ଓ କାର୍ମିକ ମନ୍ତ୍ରାଳୟ ପକ୍ଷରୁ ୨୩ତାରିଖରେ ରାଜ୍ୟ ସରକାରଙ୍କ ପାଖକୁ ଆସିଥିଲା । ଏଥିରେ ଆଇଏଏସ ଭି.କେ.ପାଣ୍ଡିଆନଙ୍କ ସ୍ୱେଛାକୃତ ଅବସର ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କରିଥିବା ରାଜ୍ୟ ସରକାରଙ୍କୁ ସୂଚନା ଦେଇଥିଲା ଡିଓପିଟି । ଆଉ ଦ୍ୱିତୀୟଟି ହେଉଛି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଆଜି ଜାରି କରାଯାଇଥିବା ବିଜ୍ଞପ୍ତି । ଯେଉଁଥିରେ ଭି.କେ.ପାଣ୍ଡିଆନଙ୍କୁ ନୂଆ ନିଯୁକ୍ତି ଦିିଆଯାଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ବିଜ୍ଞପ୍ତି ଅନୁସାରେ, ଫାଇଭ-ଟି ଓ ନବୀନ ଓଡିଶା ଯୋଜନାର ଅଧ୍ୟକ୍ଷ ସହିତ କ୍ୟାବିନେଟ ପାହ୍ୟା ପାଇଛନ୍ତିି ପାଣ୍ଡିଆନ୍ । ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ । ତେବେ ପାଣ୍ଡିଆନଙ୍କ ଉପରେ ବିଶ୍ୱାସ ଯୋଗୁଁ ତାଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଥିବା କହିଛନ୍ତି ବିଜେଡି ବିଧାୟକ ।

ପାଣ୍ଡିଆନଙ୍କ ସ୍ୱେଛାକୃତ ଅବସର ଆବେଦନକୁ କେନ୍ଦ୍ର ସରକାର ଯେମିତି ଅତି ଶୀଘ୍ର ଗ୍ରହଣ କରିଥିଲେ, ରାଜ୍ୟ ସରକାର ତାଙ୍କୁ ସେମିତି ତୁରନ୍ତ ନୂଆ ନିଯୁକ୍ତି ଦେଇଛନ୍ତି । ଯାହା ଆଲୋଚନାର ବିଷୟ ହୋଇଛି । ଏସବୁ କାର୍ଯ୍ୟ ଯୋଜନାବଦ୍ଧ ଭାବେ ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

ଗତ ଅକ୍ଟୋବର ୨୦ ତାରିଖରେ ୨ହଜାର ବ୍ୟାଚର ଆଇଏଏସ୍ ଭି.କେ.ପାଣ୍ଡିଆନ୍ ପାଣ୍ଡିଆନ ଭିଆରଏସ ପାଇଁ ଆବେଦନ କରିଥିଲେ । ଆଉ ଆବେଦନର ମାତ୍ର ତିନି ଦିନ ଭିତରେ ଏହାକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଭାରତୀୟ ସାଧାରଣ ପ୍ରଶାସନିକ ସେବା ୧୯୫୮ ଆଇନର ରୁଲ୍ ୧୬(୨-ଏ) ଆଧାରରେ ତାଙ୍କ ଆବେଦନକୁ ଗ୍ରହଣ କରିଥିବା ନେଇ ସୂଚନା ଦେଇଛି କେନ୍ଦ୍ର । କେନ୍ଦ୍ର ସୂଚନା ଦେବାର ମାତ୍ର କିଛି ଘଂଟା ଭିତରେ ପାଣ୍ଡିଆନଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।