ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ତାଙ୍କ ଶେଷ କବିତାକୁ ନେଇ ଚର୍ଚ୍ଚା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଲେଖିଥିଲେ ଏହି କବିତା ।

181

କନକ ବ୍ୟୁରୋ: ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ତାଙ୍କର ଶେଷ କବିତାକୁ ନେଇ ଚର୍ଚ୍ଚା । ଓଡିଆ ଝିଅ ରାଷ୍ଟ୍ରପତି ହେବା ପରେ ଦିଲ୍ଲୀ ଯାଇ ରାଷ୍ଟ୍ରପତି ଭବନରେ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ ବିରୋଧୀ ଦଳ ଉପନେତା । ସେଠାରୁ ଫେରିବା ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲିଖିତ ଜୀବନର ଶେଷ କବିତା ସେ ଆବୃତି କରିଥିଲେ । ଏକାଧାରରେ ବିଷ୍ଣୁ ସେଠୀ ଥିଲେ ଗାଳ୍ପିକ, କବି ଓ ସ୍ତମ୍ଭକାର । ତାଙ୍କ ସଂପାଦନାରେ ପ୍ରକାଶିତ ହେଉଥିବା ତ୍ରୈମାସିକ ପତ୍ରିକା ଘାସ ଫୁଲ ।

ଅସୁସ୍ଥ ହେବାର କିଛି ଦିନ ପୂର୍ବର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ସେ ଏକ କବିତା ଲେଖିଥିଲେ । ଯେଉଁଥିରେ ସେ ବଣଜଙ୍ଗଲ ଘେରା ରାଇରଙ୍ଗପୁରରୁ, ଦିଲ୍ଲୀର ରାଇସିନା ହିଲ୍ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାତ୍ରାକୁ କବିତା ମାଧ୍ୟମରେ ବର୍ଣ୍ଣନା କରିଥିଲେ । ଆଉ ଯେତେବେଳେ ଦିଲ୍ଲୀ ଗସ୍ତରେ ଯାଇଥିଲେ ସେତେବେଳେ ଏହି କବିତାଟିକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ । ଯାହା ସେହି ସମୟରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା । ଦିଲ୍ଳୀରୁ ଫେରିବା ପରେ ଏନେଇ ସେ ଗଣମାଧ୍ୟମକୁ ସୂଚନା ଦେବା ସହ କବିତାର ଆବୃତି କରିଥିଲେ ।

ରାଜନୀତି ବାହାରେ ବିଷ୍ଣୁଙ୍କର ନିଆରା ପରିଚୟ ଥିଲା । ସେ ଏକାଧାରରେ ଜଣେ ଗାଳ୍ପିକ, କବି ଓ ସ୍ତମ୍ବକାର ଭାବରେ ସାରାରାଜ୍ୟରେ ପରିଚିତ ଥିଲେ । ତାଙ୍କ ଦ୍ୱାରା ସମ୍ପାଦିତ ଘାଷଫୁଲ ପତ୍ରିକା ସବୁଠୁ ଅଧିକ ଲୋକପ୍ରିୟ ଥିଲା । ଲେଖା ମାଧ୍ୟମରେ ସେ ଅନେକ ସମୟରେ ଶାସନ କଳର ଦୋଷ ତ୍ରୁଟିକୁ ସାମନାରେ ରଖୁଥିଲେ । ସମାଜରେ ଘଟୁଥିବା ବାସ୍ତବ ଚିତ୍ରକୁ ଶବ୍ଦ ମାଧ୍ୟମରେ ପାଠକଙ୍କ ଆଗରେ ରଖୁଥିଲେ । ହେଲେ, ସେ ଜାଣି ନଥିଲେ ମହାମହିମ ରାଷ୍ଟ୍ରପତିଙ୍କ ପାଇଁ ଲେଖିଥିବା ସେହି କବିତାଟି ତାଙ୍କର ଶେଷ କବିତା ହେବ । ତେବେ ଅସୁସ୍ଥ ହେବା ପରେ ସେ ଆଉ ଗଣମାଧ୍ୟମକୁ ସାକ୍ଷାତକାର ଦେଇନଥିଲେ । ଆଉ ତାଙ୍କର ଏହି ପ୍ରତିକ୍ରିୟା ଶେଷ ପ୍ରତିକ୍ରିୟା ହୋଇ ରହିଗଲା ।