କୋହଲିଙ୍କ ସ୍କାର୍ଡରେ ନାହାନ୍ତି ହିଟମ୍ୟାନ୍ ! ଟ୍ୱିଟ୍ ବଢାଇଲା ବିରାଟ-ରୋହିତଙ୍କ ମଧ୍ୟରେ ମତଭେଦ ଥିବା ଚର୍ଚ୍ଚା ।

465

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ବିପକ୍ଷରେ ଆସନ୍ତାକାଲିଠୁ ମଇଦାନକୁ ଓହ୍ଲାଇବ ଭାରତ । କିନ୍ତୁ ଏହା ପୂର୍ବରୁ କ୍ରିକେଟ୍ ଜଗତରେ କୁହୁଳୁଛି କୋହଲି-ରୋହିତଙ୍କ ବିବାଦର ନିଆଁ । ବିଶ୍ୱକପ ସେମିଫାଇନାଲରୁ ଭାରତର ବିଦାୟ ପରେ ଦଳର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ମତଭେଦ ରହିଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଧିରେ ଧିରେ ଘନେଇବାରେ ଲାଗିଛି । ଆଉ ଏହି ଚର୍ଚ୍ଚାକୁ ଆଉ ଏକ ଖୋରାକ ଯୋଗାଇଛି ବିରାଟଙ୍କ ଏକ ଟ୍ୱିଟ୍ ।

ଅଧିନାୟକ ବିରାଟ କୋହଲି ଆଜି ପୋଷ୍ଟ କରିଥିବା ଏକ ଟ୍ୱିଟକୁ ନେଇ ବଢୁଛି ବିବାଦ । କାରଣ ବିରାଟ ଏହି ଟ୍ୱିଟରେ ‘ସ୍କାର୍ଡ ୧୦୦’ ଲେଖି ଏକ ଫଟୋ ପୋଷ୍ଟ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ଚୟନ ହୋଇଥିବା ଟିମର ପ୍ରମୁଖ ଖେଳାଳୀମାନେ ଏହି ଫଟୋରେ ନଜର ଆସିଛନ୍ତି । କିନ୍ତୁ ବିବାଦ ଏଥିପାଇଁ ବଢିଛି, କାରଣ ଏହି ଫଟୋରେ ଚଳିତ ବିଶ୍ୱକପର ଶ୍ରେଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍ ରୋହିତଙ୍କୁ ଦେଖିବାକୁ ମିଳିନାହିଁ । ଅର୍ଥାତ ମ୍ୟାଚ ପୂର୍ବରୁ ବିରାଟଙ୍କ ସ୍କାର୍ଡରେ ରୋହିତ ଉକ୍ତ ଫଟୋରେ ନଥିବା ଦୁଇ ଖେଳାଳୀଙ୍କ ମଧ୍ୟରେ ତିକ୍ତତାର ଆଭାସ ଦେଉଛି ।

ସେହିପରି ଗତକାଲି କ୍ରିକେଟ୍ ଜଗତର ହିଟ୍ ମ୍ୟାନ୍ ରୋହିତ ଶର୍ମା ମଧ୍ୟ ଏଭଳି ଏକ ଟ୍ୱିଟ୍ କରିଥିଲେ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ଟ୍ୱିଟରେ ରୋହିତ, ବ୍ୟାଟ୍ ଧରି ପ୍ୟାଭିଲିୟନରୁ ମୈଦାନକୁ ଆସୁଥିବାର ଏକ ଫଟୋ ପୋଷ୍ଟ କରିଥିବା ବେଳେ ଏଥିରେ ଲେଖିଛନ୍ତି, ‘ ମୁଁ କେବଳ ଦଳ ପାଇଁ ନୁହେଁ, ଦେଶ ପାଇଁ ପଡିଆକୁ ଓହ୍ଲାଇଥାଏ । ରୋହିତଙ୍କ ଏହି ଟ୍ୱିଟ୍ ନିଜ ପକ୍ଷ ରଖିଥିବା ଭଳି ମନେ ହେଉଥିଲା । ଯାହାକୁ ନେଇ ନାନା କଳ୍ପନା ଜଳ୍ପନା ମଧ୍ୟ ପ୍ରକାଶ ପାଇଥିଲା । ଆଉ ରୋହିତଙ୍କ ପରେ ବିରାଟଙ୍କ ଏଭଳି ଟ୍ୱିଟ୍ ଦୁଇ ଖେଳାଳୀଙ୍କ ମଧ୍ୟରେ ମତଭେଦ ଥିବା ନେଇ ସଙ୍କେତ ଦେଉଛି ।