ବୋଝ ଉପରେ ନଳିତା ବିଡ଼ା : ମରୁଡ଼ି ଆଶଙ୍କା ଭିତରେ ସୁନ୍ଦରଗଡ଼ ଜିଲ୍ଲାରେ ସାଉଥ ଆଫ୍ରିକା ପୋକ ଆତଙ୍କ,ଚାଷୀ ମୁଣ୍ଡରେ ଚଡକ

331

କନକ ବ୍ୟୁରୋ : କମ୍ ବୃଷ୍ଟିପାତ ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଏବେ ସାଉଥ୍ ଆଫ୍ରିକାର ପୋକକୁ ନେଇ ଆତଙ୍କ । ସୁନ୍ଦରଗଡ଼ରେ ଡାଲି ଜାତୀୟ ଫସଲ ପାଇଁ କାଳ ପାଲଟିଛି ଫଲ୍ ଆର୍ମି ୱାର୍ମ ନାମକ କୀଟ । ଏହି କୀଟ ଯେତିକି କ୍ଷୀପ୍ର ବେଗରେ ଗତି କରିପାରେ, ସେତିକି ଦ୍ରୁତ ଗତିରେ ବଂଶ ବୃଦ୍ଧି କରିପାରେ । କୃଷି କ୍ଷେତ୍ରରେ ଭୟଙ୍କର ଧ୍ୱଂସ ଲୀଳା ରଚିବାକୁ ସମର୍ଥ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଏହି ପୋକ ।

ସାଉଥ୍ ଆଫ୍ରିକାର ଫଲ୍ ଆର୍ମି ୱାର୍ମ ନାମକ କୀଟ । ଏହି ଅଜଣା ନାଁ ଏବେ ଚାଷୀଙ୍କ ମନରେ ଭୟ ସୃଷ୍ଟି କରିଛି । ସୁନ୍ଦରଗଡର କୁତ୍ରା, ବଡଗାଁ, ରାଜଗାଙ୍ଗପୁର ଅଞ୍ଚଳରେ ଦେଖାଦେଇଛି ଏହି କୀଟ । ଧାନ, ଡାଲି ଜାତୀୟ ଫସଲ ଓ ମକା ଫସଲ ପାଇଁ ଏହା କାଳ ସାଜିଲାଣି । ମକା ଗଛର କନ୍ଦାକୁ ଖାଇ ଯାଉଥିବା ଯୋଗୁଁ ସଂପୂର୍ଣ୍ଣ ଗଛ ନଷ୍ଟ ହୋଇଯାଏ । ଆଉ କିଛି ଦିନ ଗଲେ ତଳି ପଡ଼ିବ, ଯଦି ଫଲ ଆର୍ମି ୱାର୍ମ ଫସଲକୁ ଆକ୍ରାନ୍ତ କରେ, ତାହା ହେଲେ ଚାଷୀ ମୁଣ୍ଡରେ ଚଡକ ପଡିଯିବ ।

ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କୃଷି ବିଭାଗରେ ତତ୍ପରତା ପ୍ରକାଶ ପାଇଛି । କୃଷି ବୈଜ୍ଞାନିକମାନଙ୍କୁ ନେଇ ରାଜଗାଙ୍ଗପୁରରେ ଏହି ରୋଗ ପୋକକୁ କିଭଳି ଭାବରେ ଦମନ କରିହେବ ସେ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଅନ୍ୟପଟେ, କୃଷି ବୈଜ୍ଞାନିକ କହିଛନ୍ତି ଯେ ଏହି ପୋକ ବଡ଼ ହୋଇଯିବା ପରେ ଦମନ କରିବା ସହଜ ନୁହେଁ ।

କାହିଁକି ‘ଫଲ୍ ଆର୍ମି ୱାର୍ମ’କୁ ଏତେ ଭୟ?
୧୨୦ ପ୍ରକାର ଶସ୍ୟକୁ ନଷ୍ଟ କରିବାକୁ ଏହି କୀଟ ସକ୍ଷମ

– ୨୦୧୬ରେ ଏହି କୀଟ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିଲା

– ଅଣ୍ଡାରୁ ବାହାରିଲା ପରେ ମାତ୍ର ୪ ଦିନରେ ଏହି କୀଟ ଉଡିପାରେ

– ଗୋଟିଏ ରାତିରେ ଉଡ଼ିପାରେ ପାଖାପାଖି ୪୦୦ କିଲୋମିଟର

– ରାତିକ ମଧ୍ୟରେ ଦେଇଥାଏ ୨୦୦ରୁ ୩୦୦ ଅଣ୍ଡା

– ଗୋଟିଏ ଦିନରେ ହଜାର ହଜାର ଏକର ଫସଲ ନଷ୍ଟ କରିପାରେ

– ୨୦୧୮ରେ ହରିୟାଣାରେ ଆତଙ୍କ ଖେଳାଇଥିଲା

ବାତ୍ୟା ଫୋନି ପରେ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ଏହି କୀଟ ଦେଖିବାକୁ ମିଳିଥିଲା, ଏବେ ସୁନ୍ଦରଗଡ଼ରେ ଏହାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି ।