ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ ଫେରାଇଲେ ଅର୍ଜୁନ ପୁରସ୍କାର ଓ ଖେଳରତ୍ନ । କର୍ତ୍ତବ୍ୟ ପଥରେ ପଦକ ଥୋଇ ଫେରି ଆସିଲେ ।

303

କନକ ବ୍ୟୁରୋ: କୁସ୍ତି ଦୁନିଆରେ ଚାଲିଥିବା ଝଡ ଥମିବାର ନାଁ ନେଉ ନାହିଁ । କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପରେ ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ୍ ଖେଳରତ୍ନ ଫେରାଇ ଦେଇଛନ୍ତି । ପୂର୍ବରୁ ସେ ଅର୍ଜୁନ ପୁରସ୍କାର ଓ ଖେଳରତ୍ନ ଫେରାଇବେ ବୋଲି ଘୋଷଣା କରିଥିଲେ । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଲେଖି ବିନେଶ କହିଥିଲେ, ଆଜି କୁସ୍ତି ଯୋଦ୍ଧାଙ୍କୁ ଏଭଳି ପରିସ୍ଥିତିକୁ ଆଣିଥିବା କ୍ଷମତାଶାଳୀଙ୍କୁ ଧନ୍ୟବାଦ ।

ପୂର୍ବ ଘୋଷଣା ମୁତାବକ ଶନିବାର ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ପିଏମଓ ବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବାହାରିଥିଲେ । ହେଲେ ଅଧ ବାଟରେ ତାଙ୍କୁ ଦିଲ୍ଲୀ ପୋଲିସ ଅଟକାଇ ଦେଇଥିଲା । ତେଣୁ କର୍ତ୍ତବ୍ୟ ପଥରେ ବିନେଶ ଫୋଗଟ ନିଜ ଅର୍ଜୁନ ପୁରସ୍କାର ଓ ଖେଳରତ୍ନ ଆୱାର୍ଡକୁ ଥୋଇ ଦେଇ ଚାଲି ଆସିଛନ୍ତି ।

ମହିଳା ଯୋଦ୍ଧାଙ୍କୁ ଯୌନ ଶୋଷଣ ଅଭିଯୋଗ ପରଠୁ ଭାରତୀୟ କୁସ୍ତି ଦୁନିଆରେ ଆରମ୍ଭ ହୋଇଥିବା ବିବାଦ ଏବେ ଆହୁରି ବିବାଦୀୟ ହୋଇପଡିଛି । ବ୍ରିଜଭୂଷଣଙ୍କ ଘନିଷ୍ଠ ସହଯୋଗୀ ଭାରତୀୟ କୁସ୍ତି ସଂଘର ସଭାପତି ହେବା ପରେ ସାକ୍ଷୀ ମଲ୍ଲିକ କୁସ୍ତି ଛାଡିବା ଘୋଷଣା କରିଥିଲେ । ଏହାପରେ ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇଥିବା ବେଳେ ଏବେ ବିନେଶ ଫୋଗଟ ଖେଳରତ୍ନ ଫେରାଇ ଦେଇଛନ୍ତି ।