ଯୁବାବସ୍ଥାରେ କିଡନୀ ରୋଗର ବୋଝ । ଅର୍ଥ ଅଭାବ ଯୋଗୁଁ ହୋଇପାରୁନି ଚିକିତ୍ସା, ସହାୟତା ପାଇଁ ପରିବାରର ଆକୁଳ ନିବେଦନ

85

କନକ ବ୍ୟୁରୋ : ପୁଅ ଯେବେ ରୋଜଗାରକ୍ଷମ ହୁଏ ବାପା କାନ୍ଧରୁ ବୋଝ କମିଯାଏ । ଆଉ ଯେତେବେଳେ ସେହି ଭେଣ୍ଡିଆ ପୁଅ ରୋଗ ଶଯ୍ୟାରେ ଜୀବନ ସହ ସଂଗ୍ରମ କରେ ସେତେବେଳେ ବାପା-ମା’ଙ୍କର ଦୁଃଖରେ ଛାତି ଫାଟିଯାଏ । ଆଇଟିଆଇ ପାସ୍ କରିବା ପରେ ଏକ ଘରୋଇ ସଂସ୍ଥାରେ କାମ କରିବା ସହ ପରିବାରର ଦାୟିତ୍ୱ ତୁଲାଉଥିଲେ ବାଲେଶ୍ୱରର ମଳୟ କୁମାର ନାୟକ । ଏବେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଘରେ ଶଯ୍ୟାସାୟୀ । ବାପା ଚା’ ଦୋକାନ କରି ପରିବାର ଚଳାନ୍ତି ଓ ଭଉଣୀ ପିଲାଙ୍କୁ ଟ୍ୟୁସନ୍ କରାଇ ଭାଇର ଚିକିତ୍ସା ପାଇଁ ସହାୟତା କରୁଛନ୍ତି । ଏବେ ମାସକୁ ୭ରୁ ୮ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଡାକ୍ତର କିଡନୀ ଟ୍ରାନ୍ସପ୍ଲାଂଟ ପାଇଁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ୩୦ରୁ ୪୦ ଲକ୍ଷ ଟଙ୍କା ଦରକାର । ପାଖରେ ଟଙ୍କା ନଥିବାରୁ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ।

ଦେଢ଼ ବର୍ଷ ତଳେ ହଠାତ୍ ମଳୟଙ୍କୁ ଜର ଓ କାଶ ହୋଇଥିଲା । ସ୍ୱାସ୍ଥ୍ୟ ପରିକ୍ଷା କରିବା ପରେ ଦୁଇଟିଯାକ କିଡନୀ ୯୯ ପ୍ରତିଶତ ଖରାପ ହୋଇଯାଇଥିବା ଜଣାପଡ଼ିଲା । ପରିବାର ଲୋକ ଏହି ଖବର ଜାଣିବା ପରେ ପାଦ ତଳୁ ମାଟି ଖସିଯାଇଥିଲା । କାରଣ ମଳୟ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । କୌଣସି ଲକ୍ଷଣ ମଧ୍ୟ ଜଣାପଡ଼ୁନଥିଲା । କିଡନୀ ରୋଗ ଜଣାପଡ଼ିବା ପରେ ଏବେ ଦେଢ଼ ବର୍ଷ ହେଲା ଚାଲିଛି ଚିକିତ୍ସା । ସପ୍ତାହକୁ ୨ରୁ ୩ ଥର ଡାଏଲିସିସ କରିବାକୁ ପଡ଼ୁଛି । ଶରୀରରେ ଯନ୍ତ୍ରଣା ଯୋଗୁଁ ରାତି ରାତି ଶୋଇପାରୁନାହାନ୍ତି ମଳୟ । ଗୋଟିଏ ବୋଲି ପୁଅର ଏଭଳି ପରିସ୍ଥିତି ଦେଖି ବାପା, ମା’ ଓ ଭଉଣୀଙ୍କ ଆଖିରୁ ଲୁହ ଶୁଖୁନାହିଁ ।

ମଳୟଙ୍କ ଚିକିତ୍ସା ପାଇଁ ସମସ୍ତ ସଂଚୟ ସରିଗଲାଣି । ତଥାପି ହାର ମାନିନାହାନ୍ତି ପରିବାର । ଭାଇକୁ ସୁସ୍ଥ କରିବା ପାଇଁ ଭଉଣୀ ଦିନରାତି ପରିଶ୍ରମ କରୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରୁ ମଧ୍ୟ ଟଙ୍କା ସରିଗଲାଣି । ତେଣୁ ତାଙ୍କୁ ଭଲ କରିବାକୁ ହେଲେ କିଡନୀ ଟ୍ରାନ୍ସପ୍ଲାଂଟ ହିଁ ଶେଷ ବିକଳ୍ପ । ଏତେଟଙ୍କା ପାଖରେ ନଥିବାରୁ ସହାୟତା ମାଗୁଛନ୍ତି ପରିବାର । ତାଙ୍କୁ ସାହାଯ୍ୟ କରିବାକୁ ଚାହୁଥିଲେ..
ନାମ- ମଳୟ କୁମାର ନାୟକ

STATE BANK OF INDIA
A/C NO- 32087870307

IFSC- SBIN0007020

PHONE PAY NO- 7504662186
ଏହି ନମ୍ବରରେ ଯୋଗାଯୋଗ କରିପାରିବେ ।