ପଳାତକ ବିଜୟ ମାଲ୍ୟାଙ୍କୁ ଆଉ ଏକ ଝଟକା । ସୁପ୍ରିମକୋର୍ଟରେ କେସ୍ ଲଢିବାକୁ ମନା କଲେ ଓକିଲ ।

95

କନକ ବ୍ୟୁରୋ: ପଳାତକ ବିଜୟ ମାଲ୍ୟାକୁ ଭାରତ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି । ଦୁଇ ବର୍ଷ ତଳେ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ତେବେ ଏହାପରେ ଏହି ମାମଲା ଆଇନର ଜାଲରେ ଛନ୍ଦି ହୋଇଯାଇଛି । ଯାହାର ଶୁଣାଣି ବର୍ତ୍ତମାନ ସୁପ୍ରିମକୋର୍ଟରେ ଜାରି ରହିଛି । ବର୍ତ୍ତମାନ ସୁପ୍ରିମକୋର୍ଟରେ ଚାଲିଥିବା ଏହି ମାମଲାର ଲଢେଇ ପାଇଁ ବିଜୟ ମାଲ୍ୟାଙ୍କ ଓକିଲ ମନା କରିଦେଇଛନ୍ତି । ଓକିଲଙ୍କ କହିବା କଥା, ବିଜୟ ମାଲ୍ୟାଙ୍କ କୌଣସି ଠିକଣା ନାହିଁ । ଏଥିପାଇଁ ତାଙ୍କ ସହ ସେ କଥାବାର୍ତ୍ତା କରିପାରୁନାହାଁନ୍ତି । ତେଣୁ ଏପରି ସ୍ଥିତିରେ ତାଙ୍କ ପାଇଁ କେସ୍ ଲଢିବା ସମ୍ଭବ ନୁହେଁ ବୋଲି କହିଛନ୍ତି ବିଜୟ ମାଲ୍ୟାଙ୍କ ଓକିଲ ।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହ ବିଜୟ ମାଲ୍ୟାଙ୍କର ଏହି ମାମଲା ଜାରି ରହିଛି । ଯେଉଁଥିରେ ବିଜୟ ମାଲ୍ୟାଙ୍କ ପକ୍ଷରୁ ଆଡଭୋକେଟ୍ ଇସି ଅଗ୍ରୱାଲ ଏହି ମାମଲା ଦେଖାଶୁଣା କରୁଥିଲେ । ତେବେ ନିକଟରେ ହୋଇଥିବା ଏକ ଶୁଣାଣିରେ ସେ ମାଲ୍ୟାଙ୍କ କେସ୍ ଲଢିବାକୁ ମନା କରିଦେଇଛନ୍ତି । ଜଷ୍ଟିସ୍ ଚନ୍ଦ୍ରଚୂଡ ଓ ହିମା କୋହଲିଙ୍କ ଖଣ୍ଡପୀଠକୁ ସେ କହିଛନ୍ତି, ମାଲ୍ୟା ଏବେ ସମ୍ଭବତଃ ବ୍ରିଟେନରେ ଅଛନ୍ତି । ହେଲେ ତାଙ୍କ ପାଖରେ କେବଳ ତାଙ୍କର ଇମେଲ୍ ରହିଛି । ତେଣୁ ଏପରି ସ୍ଥିତିରେ ତାଙ୍କ ସହିତ ସେ ଠିକ୍ ଭାବେ କଥାବାର୍ତ୍ତା ମଧ୍ୟ କରିପାରୁନାହାଁନ୍ତି । ତେଣୁ ତାଙ୍କୁ ଏହି ମାମଲାରୁ ଛୁଟି ଦେବାକୁ ସେ କହିଥିଲେ ।

ସୁପ୍ରିମକୋର୍ଟ ମଧ୍ୟ ମାଲ୍ୟାଙ୍କ ଓକିଲଙ୍କ ଏହି ଅପିଲକୁ ସ୍ୱୀକାର କରିନେଇଛି । ତେବେ ଏହି ମାମଲାର ଆଗାମୀ ଶୁଣାଣି ଜାନୁଆରୀ ମାସରେ ହେବାକୁ ଥିବାବେଳେ, ମାଲ୍ୟାଙ୍କ ଅଡୁଆ ବଢିପାରେ ବୋଲି ଜଣାପଡୁଛି । ଚଳିତ ବର୍ଷ ସୁପ୍ରିମକୋର୍ଟ ମାଲ୍ୟାଙ୍କୁ ଏକ ମାମଲାରୁ ଚାରି ମାସ ଜେଲ ଦଣ୍ଡାଦେଶ ଶୁଣାଇଥିଲା । କୋର୍ଟର ଆଦେଶ ନମାନିବା କାରଣରୁ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଯାଇଥିଲା ।