ଭୁବନେଶ୍ୱରରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

24

କନକ ବ୍ୟୁରୋ : ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଗତକାଲି ସଂଧ୍ୟାରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସ୍ୱତନ୍ତ୍ର ବିମାନ ରାଜକମଲ ଯୋଗେ ସେ ଦିଲ୍ଲୀରୁ ଆସି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ରାଜ୍ୟପାଳ ଏସ୍‌ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ସ୍ୱାଗତ କରିଥିଲେ। ଶନିବାର ସେ କିଟ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସନ୍ଧ୍ୟାରେ ଦିଲ୍ଲୀ ବାହୁଡ଼ିଯିବେ। ତେବେ ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଶ୍ରୀ ନାଇଡୁ ପ୍ରଥମ ଥର ପାଇଁ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। ଏଠାରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ରାଜଭବନକୁ ନିଆଯାଇଥିଲା। ସେଠାରେ ସେ  ରାତ୍ରିଯାପନ କରିଥିଲେ। ଆଜି ସକାଳୁ ସେ କିଟ୍‌ ଯିବେ। ଭୁବନେଶ୍ୱରରେ ରହଣୀ ସମୟରେ ଉପରାଷ୍ଟ୍ରପତିଙ୍କ ସୁରକ୍ଷା ଲାଗି ସମୁଦାୟ ୨୭ ପ୍ଲାଟୁନରୁ ଅଧିକ ଫୋର୍ସ, ଶହେ ଜଣ ଅଫିସର ଓ ୨ ଜଣ ଡିସିପି ନିୟୋଜିତ ହୋଇଛନ୍ତି। ଗତକାଲି ଦିନ ବେଳେ କମିସନରେଟ୍‌ ପୁଲିସ ରାଜଭବନ, ବିମାନବନ୍ଦର, କିଟ୍‌ର କାର୍ଯ୍ୟକ୍ରମସ୍ଥଳକୁ ଯାଇ ଯାଞ୍ଚ କରିଥିବାବେଳେ ପୁଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍‌ ପରିଚାଳନା ପରିସ୍ଥିତିର ସମୀକ୍ଷା କରିଛନ୍ତି।