ପ୍ରବେଶ କର ମାମଲାରେ ବେଦାନ୍ତ ଭଳି କଂପାନୀଙ୍କୁ ଝଟକା : ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଦେଲେ ସୁପ୍ରିମକୋର୍ଟ

35

କନକ ବ୍ୟୁରୋ : ପ୍ରବେଶ କର ମାମଲାରେ ବେଦାନ୍ତ ଭଳି କଂପାନୀ ମାନଙ୍କୁ ଝଟକା । ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଦେଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଗଠିତ ୯ ଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ।

ଧାରା ୩୦୪ ଅନୁଯାୟୀ ପ୍ରବେଶ କର ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କର କ୍ଷମତା ରହିଛି ବୋଲି ଖଣ୍ଡପୀଠ କହିଛନ୍ତି । ବେଦାନ୍ତ ଆଲୁମିନିୟମ କଂପାନୀ ଓ ଅନ୍ୟମାନେ ଓଡିଶା ପ୍ରବେଶ କର ୧୯୯୯ର ବୈଧତାକୁ ଚ୍ୟାଲେଂଜ୍ କରିଥିଲେ ।

ପୂର୍ବରୁ ସୁପ୍ରିମକୋର୍ଟ ଓ ଓଡିଶା ହାଇକୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ଆଦେଶ ବଳରେ ବ୍ୟାବସାୟିକ ସଂସ୍ଥାମାନେ ଭାରତ ବାହାରୁ ଆମଦାନୀ କରୁଥିବା ଅନୁସୂଚିତ ଦ୍ରବ୍ୟଗୁଡିକ ଉପରେ ପ୍ରବେଶ କର ଦେୟର ୫୦ ପ୍ରତିଶତ ପ୍ରଦାନ କରିଛନ୍ତି । ସେହିପରି ଓଡିଶାରେ ଉତ୍ପାଦିତ ହେଉନଥିବା ଅନୁସୂଚିତ ଦ୍ରବ୍ୟଗୁଡିକ ରାଜ୍ୟ ବାହାରୁ ଅଣାଗଲେ ବ୍ୟବସାୟିକ ସଂସ୍ଥା ଗୁଡିକ ପ୍ରବେଶ କର ଦେୟର ଏକ ତୃତୀୟାଂଶ ପ୍ରଦାନ କରିଛନ୍ତି ।

ତେବେ ସୁପ୍ରିମକୋର୍ଟଙ୍କ ଏହି ଆଦେଶ ବଳରେ ବିଭିନ୍ନ ବ୍ୟବସାୟିକ ସଂସ୍ଥାମାନେ ଅବଶିଷ୍ଟ ପ୍ରବେଶ କର ଦେୟ ବାବଦରେ ପ୍ରାୟ ୧୫ ଶହ କୋଟି ଟଙ୍କା ଏବଂ ତାହା ଉପରେ ସୁଧ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ।