ଉତ୍ତରାଖଣ୍ଡ ନୈନିତାଲରେ ଭୂସ୍ଖଳନ । ମାଟିତଳୁ ମିଳିଲା ୫ ଶ୍ରମିକଙ୍କ ଶବ, ୪ ନିଖୋଜ

60

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା କାରଣରୁ ସ୍ଥିତି ବେହାଲ ହୋଇପଡିଛି । ଏବେ ନୈନିତାଲରେ ୫ ଜଣ ଶ୍ରମିକଙ୍କ ଶବ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ନୈନିତାଲ ରାମଗଡ ଅଞ୍ଚଳରେ ଭୂସ୍ଖଳନ ଫଳରେ ୧୦ ଜଣ ଶ୍ରମିକ ମାଟିତଳେ ଚାପି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ୫ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟପଟେ ବାକି ୪ ଜଣ ଶ୍ରମିକଙ୍କ ପତ୍ତା ମିଳିନାହିଁ । ଉଦ୍ଧାର ହୋଇଥିବା ମୃତଦେହ ଗୁଡିକ ବିହାର ଓ ୟୁପିରୁ କାମ କରିବାକୁ ଆସିଥିବା ଶ୍ରମିକମାନଙ୍କର ବୋଲି କୁହାଯାଇଛି ।

ନୈନିତାଲ ରାମଗଡ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ହୋଇଥିଲା । ଏଥିରେ ସେଠାରେ କାମ କରିବାକୁ ଆସିଥିବା କିଛି ଶ୍ରମିକ ଫସି ଯାଇଥିଲେ । ରାତିରେ ଏଭଳି ଘଟଣା ଘଟିଥିବାରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରି ନଥିଲା ।

ଏବେ ଏନଡିଆରଏଫର ଏକ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଅନ୍ୟପଟେ ଏହି ଅଞ୍ଚଳକୁ ଦୁଇଦିନ ହେବ ବିଜୁଳି ଯୋଗାଣ ବନ୍ଦ ରହିଛି । କହିରଖୁ କି ପ୍ରବଳ ବର୍ଷା କାରଣରୁ ଏପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ମୋଟ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଆଜି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତକାଲି ୫ ଜଣଙ୍କର ମୃତ୍ୟୁ ହୋଇଥିଲା