ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନୀ ପ୍ରଚାର, ଫେବୃଆରୀ ୧୦ ତାରିଖରେ ୟୁପିର ୧୧ ଜିଲ୍ଲାରେ ୫୮ ଆସନ ପାଇଁ ହେବ ଭୋଟ ଗ୍ରହଣ

110

କନକ ବ୍ୟୁରୋ : ଦେଶରେ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ହେବ । ଏହି କ୍ରମରେ ସବୁଠାରୁ ବଡ ରାଜ୍ୟ ଉତ୍ତର ପ୍ରଦେଶର ୧୧ ଟି ଜିଲ୍ଲାରେ ୫୮ ଟି ବିଧାନସଭା ପାଇଁ ମତଦାନ ହେବ । ଆସନ୍ତା ୧୦ ତାରିଖରେ ଭୋଟ ଗ୍ରହଣ ଥିବାରୁ ସେହିସବୁ କ୍ଷେତ୍ରରେ ଆଜି ସନ୍ଧ୍ୟା ୫ ଟାରେ ନିର୍ବାଚନ ପ୍ରଚାର ଶେଷ ହୋଇଛି । ଏନେଇ ବିଜେପି, ସମାଜବାଦୀ ପାର୍ଟି, କଂଗ୍ରେସ, ବହୁଜନ ସମାଜବାଦୀ ପାର୍ଟି ସହ ତମାମ ରାଜନୈତିକ ଦଳ ଆଜି ଜୋରଦାର ପ୍ରଚାର କରିଛନ୍ତି ।

ଏନେଇ ଆଜି ୟୁପି ରାଜନୀତିର ମୁଖ୍ୟ ଦୁଇ ଦଳ (ସମାଜବାଦୀ ପାର୍ଟି ଓ ବିଜେପି) ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି । ଉଭୟ ଦଳ ଲୋକଙ୍କ ପାଇଁ ଅନେକ ମାଗଣା ଯୋଜନାମାନ ପ୍ରଣୟନ କରିବାକୁ ଇସ୍ତାହାର ମାଧ୍ୟମରେ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ କଂଗ୍ରେସ ବି ପଛରେ ପଡିନି । ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବି ଜୋରଦାର ପ୍ରଚାର କରିଛନ୍ତି । ବର୍ଷାରେ ଭିଜି ପ୍ରିୟଙ୍କା ଗାନ୍ଧୀ କରୁଥିବା ପ୍ରଚାର ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।

ଅନ୍ୟପଟେ ୧୦ ତାରିଖରେ ଭୋଟ ଗ୍ରହଣ ଥିବାରୁ ନିର୍ବାଚନ କମିଶନରଙ୍କ ଗାଇଡ ଲାଇନ ମୁତାବକ ଆଜିଠାରୁ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ କରାଯାଇଛି । ସେହିଭଳି ନିର୍ବାଚନ ପ୍ରଚାର ଓ ଅର୍ଥ କାରବାର ଉପରେ ନିର୍ବାଚନ କମିଶନରଙ୍କ ପକ୍ଷରୁ କଡା ନଜର ରଖାଯାଇଛି ।