ଭୋଟ୍ ମାଗିବା ବେଳେ ହେଭିୱେଟ ନେତାଙ୍କୁ ଘେରିଲେ ଗାଁ ଲୋକ । ପୂର୍ବ ପ୍ରତିଶ୍ରୁତି ମନେପକାଇ ରାସ୍ତା ମଝିରେ ପଚାରିଲେ ପ୍ରଶ୍ନ ।

154

କନକ ବ୍ୟୁରୋ : ବଲାଙ୍ଗୀରରେ ଲୋକଙ୍କ ପ୍ରଶ୍ନବାଣର ସମୁଖୀନ ହୋଇଛନ୍ତି ରାଜ୍ୟ ରାଜନୀତିର ଦୁଇ ହେଭିୱେଟ୍ । ମନ୍ତ୍ରୀ ଟୁକୁନି ସାହୁ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ପ୍ରଶ୍ନ ପଚାରି ଘାଇଲା କରିଛନ୍ତି ଜନତା । ପ୍ରତିଶ୍ରୁତି ଅନୁସାରେ ମୌଳିକ ସମସ୍ୟାର ସମାଧାନ କାହିଁକି ହେଲା ନାହିଁ ଓ ନିର୍ବାଚନ ପରେ କାହିଁକି ଆସିନଥିଲେ ବୋଲି ପ୍ରଶ୍ନ କରିଛନ୍ତି ଭୋଟର ।

ନେତାଙ୍କୁ ଘେରିଲେ ଜନତା । ମାଗିଲେ ଜବାବ । ନିଜ ଜିଲ୍ଲାରେ ହେଭିୱେଟ ନେତାଙ୍କୁ ପ୍ରଶ୍ନବାଣରେ ଘେରିଛନ୍ତି ଭୋଟର । ବଲାଙ୍ଗୀରରେ ମନ୍ତ୍ରୀ ଟୁକୁନୀ ସାହୁ ଓ କଂଗ୍ରେସ ନେତା ନରସିଂହ ମିଶ୍ର ହଟହଟାର ସମ୍ମୁଖୀନ ହୋଇଛନ୍ତି । ବିଭିନ୍ନ ପ୍ରସଙ୍ଗ ନେଇ ଏହି ଦୁଇନେତାଙ୍କୁ ଘେରିଛନ୍ତି ଭୋଟର ।

ଟୁକୁନି ସାହୁ ବଲାଙ୍ଗୀରର ଗୁଡଭେଲା ବ୍ଲକର ବିଭିନ୍ନ ଗାଁକୁ ପ୍ରଚାର ପାଇଁ ଯାଇଥିବାବେଳେ ନିଜର ହକ୍ ପାଇଁ ମୁହଁ ଖୋଲିଛନ୍ତି ଭୋଟର । ଠେଲକୋଭେଲା ଓ ସିକେଲପଦର ଗାଁରେ ଲୋକେ ବିଭିନ୍ନ ମୌଳିକ ସୁବିଧା ନେଇ ମନ୍ତ୍ରୀଙ୍କୁ ଗୁଡାଇତୁଡାଇ ପ୍ରଶ୍ନ କରିଥିଲେ । ବିଶେଷକରି ରାସ୍ତା, ପିଇବା ପାଣି, ବିଦ୍ୟୁତ ସମସ୍ୟା, ଆବାସ ଘର ଦୁର୍ନୀତି ଓ ଜମିପଟ୍ଟା ଭଳି ବିଷୟ ଉଠାଇଥିଲେ ଭୋଟର । ସୋସିଆଲ ମିଡିଆରେ ଏଭଳି ଭିଡିଓ ଭାଇରାଲ ହେବା ପରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି ।

ପ୍ରଚାର ବେଳେ ନରସିଂହ ମିଶ୍ର ହଟହଟା ହୋଇଛନ୍ତି ବଲାଙ୍ଗୀର ଆଗଲପୁର ବ୍ଲକ ରେଙ୍ଗାଲି ଗାଁରେ । ଗାଁ ଲୋକଙ୍କ ପ୍ରଶ୍ନବାଣ କିଛି ସମୟ ପାଇଁ ନରସିଂହଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା । ଲୋକଙ୍କ ଅଭିଯୋଗ ଥିଲା ଗତ ନିର୍ବାଚନ ପରେ କଂଗ୍ରେସ ନେତାମାନେ ଗାଁକୁ ନଆସି ଲୋକଙ୍କ ସମସ୍ୟା ଦୂର କରିନାହାନ୍ତି । ପରିସ୍ଥିତି ଏଭଳି ହୋଇଥିଲା ଯେ, ନରସିଂହ ମିଶ୍ର କିଛି ସମୟ ପାଇଁ ଲୋକଙ୍କୁ ବୁଝାଇଥିଲେ ।

କିଛିଦିନ ତଳେ ପ୍ରଚାର ବେଳେ ଭୋଟରଙ୍କ ପ୍ରଶ୍ନବାଣରେ ଘାଇଲା ହୋଇଥିଲେ ପାଟଣାଗଡ ବିଧାୟକ ସରୋଜ ମେହେର । ଏବେ ସମାନ ଢଙ୍ଗରେ ଦୁଇ ଦୁଇ ବଡ ନେତା ଅସୁବିଧାରେ ପଡିବା ଗୋଟିଏ କଥା ସ୍ପଷ୍ଟ କରିଛି, ଲୋକଙ୍କ ଭିତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଅସନ୍ତୋଷ ଅଛି, ଯାହା ଆଗାମୀ ପଞ୍ଚାୟତ ନିର୍ବାଚନରେ ଜଣାପଡିବ ।