ପଞ୍ଚାୟତ ନିର୍ବାଚନ ଅପରାଜିତାଙ୍କ ପାଇଁ ଅଗ୍ନିପରୀକ୍ଷା । ୨୦୧୯ର ଲୋକପ୍ରିୟତା ପୁଣି ଥରେ ପ୍ରମାଣ କରିପାରିବେ କି ସାଂସଦ ।

151

କନକ ବ୍ୟୁରୋ : ସାଧାରଣ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେଡିକୁ ମାତ ଦେବା ପରେ ପ୍ରଥମ ଥର ପାଇଁ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ୨୦୧୯ ପରେ ଅନେକ ପରିବର୍ତନ ଆସିଥିବାରୁ ଓ ଶାସକ ଦଳ ନିଜ ଗଡ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ରଣକୌଶଳ ଆପଣାଇଥିବାରୁ ଏଥର କ’ଣ ହେବ ? ଅପରାଜିତା ୨୦୧୯ର ପ୍ରଦର୍ଶନକୁ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ କରିବାରେ କେତେ ସକ୍ଷମ ହେବେ ତା ଉପରେ ସମସ୍ତଙ୍କ ନଜର ରହିଛି ।

ଗଡ଼ ରକ୍ଷା କରିପାରିବେ କି ଅପରାଜିତା ? ପଞ୍ଚାୟତ ନିର୍ବାଚନରେ କିପରି ରହିବ ବିଜେପିର ପ୍ରଦର୍ଶନ ? ୨୦୧୯ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜୟର ବାନା ଉଡାଇଥିଲେ ଅପରାଜିତା ଷଡ଼ଙ୍ଗୀ । ଆଇଏଏସ୍ ଚାକିରି ଛାଡ଼ି ରାଜନୀତିରେ ପ୍ରବେଶ ଏବଂ ପ୍ରଥମ ନିର୍ବାଚନରେ ବିଜୟୀ ହୋଇ ଜଣେ ଲୋକପ୍ରିୟ ନେତ୍ରୀ ହେବାର ଗୌରବ ଲାଭ କରିଥିଲେ ।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଜୟଦେବ, ଜଟଣୀ, ଖୋର୍ଦ୍ଧା, ବେଗୁନିଆ-ବୋଲଗଡ଼ରେ ପଞ୍ଚାୟତ ନିର୍ବାଚନ ହେଉଛି । ଏପରିକି ଭୁବନେଶ୍ୱର ଏକାମ୍ର ଓ ଉତ୍ତର ଭୁବନେଶ୍ୱରର କିଛି ଅଞ୍ଚଳରେ ବି ପଞ୍ଚାୟତ ପାଇଁ ଭୋଟ ପଡ଼ିବ । ୨୦୧୯ ନିର୍ବାଚନ ପରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ପୁଣି ଥରେ ଅପରାଜିତାଙ୍କୁ ନିଜ ଲୋକପ୍ରିୟତାର ପ୍ରମାଣ କରିବା ପାଇଁ ଅବସର ପହଞ୍ଚିଛି । ଭୁବନେଶ୍ୱର ସାଂସଦଙ୍କୁ ମଧ୍ୟ ପ୍ରଚାର ମଇଦାନରେ ଦେଖିବାକୁ ମିଳୁଛି । ବୋଲଗଡ଼ ଆଦି ଅଞ୍ଚଳରେ ବିଜେପି ପ୍ରାର୍ଥୀଙ୍କ ପାଇଁ ସେ ଭୋଟ ମାଗିଛନ୍ତି ।

୨୦୧୯ରେ ବିଜେଡି ସପକ୍ଷରେ ସାରା ରାଜ୍ୟରେ ପ୍ରବଳ ହାୱା ଥିବା ସତ୍ୱେ ରାଜଧାନୀ ଛାତି ଉପରେ ଗେରୁଆ ବାନା ଉଡାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅପରାଜିତା । ଏହି ୨ ବର୍ଷ ଭିତରେ ରାଜ୍ୟ ରାଜନୀତିର ପାଣିପାଗ ବଦଳିଛି । ବିଜେଡିର ରଣନୀତି ପୂର୍ବ ଅପେକ୍ଷା ଆହୁରି ଶାଣିତ ହୋଇଥିବା କୁହାଯାଉଛି ।
୨୦୧୯ରେ ଅପରାଜିତାଙ୍କୁ ଟକ୍କର ଦେଇଥିଲେ ପୂର୍ବତନ ମୁମ୍ବାଇ ପୁଲିସ କମିସନର ଅରୂପ ପଟ୍ଟନାୟକ । କିନ୍ତୁ ପଞ୍ଚାୟତ ନିର୍ବାଚନରେ ସେ ଏବେ ମୁଣ୍ଡ ଖେଳାଉନାହାନ୍ତି । ବର୍ତମାନ ଦେଖିବାର କଥା ହେଉଛି ଅପରାଜିତାଙ୍କ ନିର୍ବାଚନ ମଣ୍ଡଳୀରେ ବିଜେପି ବାଜିମାତ କରୁଛି ନା ବିଜେଡି ବିଜୟର ବାନା ଉଡାଉଛି ।