ରାଜସ୍ଥାନ ପରେ ଉତ୍ତର ପ୍ରଦେଶରୁ ପୁଣି ଆସିଲା ଜଣେ ଶିକ୍ଷକଙ୍କ ବର୍ବରତା, ମାତ୍ର ୨୫୦ ଟଙ୍କା ଫିସ୍ ନଦେଇ ପାରିବାରୁ ଛାତ୍ରଙ୍କୁ ପିଟି ପିଟି ହତ୍ୟା

188

କନକ ବ୍ୟୁରୋ : ରାଜସ୍ଥାନର ଶିଶୁ ମନ୍ଦିର ଛାତ୍ର ଇନ୍ଦ୍ରଜିତଙ୍କୁ ମୁନ୍ଦେ ପାଣିପାଇଁ ପିଟି ପିଟି ହତ୍ୟା କରଗଲା । ଏହା ପୁଣି ଅନ୍ୟ କେହି ନୁହେଁ ବରଂ ସେହି ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ଦ୍ୱାରା । ଏଖବରକୁ ନେଇ ରାଜସ୍ଥାନ ବିଜେପି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଘେରିଥିବା ବେଳେ ଖୁଦ୍ ବିଜେପି ଶାସିତ ଉତ୍ତର ପ୍ରଦେଶରୁ ଆସିଛି ସମାନ ଖବର । ସେଠି ପାଣି ପାଇଁ ତ ଏଠି ମାତ୍ର ୨୫୦ ଟଙ୍କା ସ୍କୁଲ ଫିସ ପାଇଁ ପୁଣି ଜଣେ ଦଳିତ ଛାତ୍ରଙ୍କୁ ହତ୍ୟା କରାଯାଇଛି । ଉତ୍ତର ପ୍ରଦେଶର ଲକ୍ଷ୍ନୌ ନିକଟସ୍ଥ ଶ୍ରାବସ୍ତି ଜିଲ୍ଲାରେ ଘଟିଛି ।

ଏଠାରେ ଥିବା ଏକ ଘରୋଇ ସ୍କୁଲର ଶିକ୍ଷକ ମାତ୍ର ୨୫୦ ଟଙ୍କା ଫିସ୍ ନଦେଇ ପାରିବାରୁ ଦଳିତ ଛାତ୍ର ଜଣଙ୍କୁ ଅମାନବିକ ଭାବେ ମାଡ ମାରିଥିଲେ । ଏହାପରେ ଛାତ୍ର ଜଣଙ୍କୁ ତାଙ୍କ ପରିବାର ଲୋକ ମେଡିକାଲରେ ଆଡମିଶନ କରିଥିଲେ । ଲଗାତର ୧୦ ଦିନ ଚିକିତ୍ସା ପରେ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ପରିବାର ଲୋକଙ୍କ ତରଫରୁ ଥାନାରେ ଅଭିଯୋଗ ହେବା ପରେ ଏବେ ସଂପୃକ୍ତ ଶିକ୍ଷକ ଜଣଙ୍କୁ ଗିରଫ କରାଯାଇଛି ।

ପୋଲିସ ଅଧିକ୍ଷକ ଅରବିନ୍ଦ ମୌର୍ଯ୍ୟ କହିଛନ୍ତି କି ମୃତ ଛାତ୍ରଙ୍କ ଦାଦା ଦେଇଥିବା ଅଭିଯୋଗ ମୁତାବକ ୧୦ ଦିନ ତଳେ ଶିକ୍ଷକ ଜଣଙ୍କ ତାଙ୍କ ପିଲାକୁ ୨୫୦ ଟଙ୍କା ସ୍କୁଲ ଫିସ ନଦେଇ ପାରିବାରୁ ତାଙ୍କୁ ଶିକ୍ଷକ ଜଣଙ୍କ ଅମାନୁଷିକ ଭାବେ ମାଡ ମାରିଥିଲେ । ଏହାପରେ ଛାତ୍ର ଜଣଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।

ସମ୍ପୂର୍ଣ୍ଣ ସୂଚନା ମୁତାବକ ୧୪ ବର୍ଷିୟ ଦଳିତ ଛାତ୍ର ଜଣଙ୍କ ଏକ ଘରୋଇ ସ୍କୁଲରେ ପଢୁଥିଲେ । ଛାତ୍ର ଜଣଙ୍କ ମାତ୍ର ୨୫୦ ଟଙ୍କା ସ୍କୁଲ ଫିସ ଦେଇ ନପାରିବାରୁ ତାଙ୍କୁ ଶିକ୍ଷକ ଅନୁପମ ପାଠକ ଅଗଷ୍ଟ ୮ ତାରିଖରେ ପ୍ରବଳ ମାଡ ମାରିଥିଲେ । ଏହାପରେ ଛାତ୍ର ଜଣଙ୍କର ବଡ ଭାଇ ଅନଲାଇନ ମାଧ୍ୟମରେ ୨ ମାସର ସ୍କୁଲ ଦେୟ ଦେଇଥିଲେ । ହେଲେ ଶିକ୍ଷକଙ୍କ ମାଡରେ ଗମ୍ଭୀର ଭାବେ ଛାତ୍ର ଜଣଙ୍କ ଆହାତ ହୋଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଚଳିତମାସ ୧୮ ତାରିଖରେ ମୃତ୍ୟୁ ହୋଇଛି ।